• ଡଲାର ଇଣ୍ଡେକ୍ସ ଏବେ ୧୦୦ର ପାଖାପାଖି ପହଞ୍ଚିଯାଇଛି। ସେହିପରି ମୁଦ୍ରାସ୍ପୀତି ହାର ୨.୪%ରୁ ଉପରକୁ ଉଠିଛି
  • ନା ଦର ଯେଉଁ ପର୍ଯ୍ୟନ୍ତ ୫,୧୦୦ ଡଲାର ଉପରକୁ ନ ପହଞ୍ଚିଛି ସେ ପର୍ଯ୍ୟନ୍ତ ଅର୍ଥାତ ଆଗାମୀ ୪-୫ ମାସ ବଜାରରେ ଚାପ ଓ ଦୁର୍ବଳତା ଲାଗି ରହିବ
  • ରୂପା ଦର ଏବେ ସର୍ବୋଚ୍ଚସ୍ତରରୁ ପାଖାପାଖି ୫୦% ହ୍ରାସ ହୋଇଛି। ଏହି ସମୟରେ ସୁନା ଦରରେ ମାତ୍ର ୨୬% ହ୍ରାସ ହୋଇଛି।

ନୂଆଦିଲ୍ଲୀ ୨୬।୩: ମଧ୍ୟପ୍ରାଚ୍ୟ ଉତ୍ତେଜନା ଓ ଦିନକର ଦର ବୃଦ୍ଧି ପରେ ୨୬ ମାର୍ଚ୍ଚ ଗୁରୁବାର ସୁନା ଓ ରୂପା ଦର ପୁଣି ହ୍ରାସ ହୋଇଛି। ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ଅପରାହ୍ନ ୫ଟା ବେଳେ ଟ୍ରେଡିଂ ଆରମ୍ଭ ହେବାମାତ୍ରେ ସୁନା ଦରରେ ୨.୧୦% ଅର୍ଥାତ ୩୦୬୪ ଟଙ୍କା ହ୍ରାସ ହୋଇଥିବା ବେଳେ ରୂପା ଦରରେ ୫.୨୫% ଅର୍ଥାତ ୧୨,୩୩୩ ଟଙ୍କା ହ୍ରାସ ଦେଖା ଦେଇଛି। ଏମସିଏକ୍ସରେ ଏପ୍ରିଲ ୨୦୨୬କୁ ଡେଲିଭରୀରେ ଥିବା ସୁନା ପ୍ରତି ୧୦ ଗ୍ରାମ ୧,୩୯,୮୦୦ସ୍ତରରେ ଖୋଲିଥିଲା। ତେବେ ଦେଖୁ ଦେଖୁ ୧,୪୧,୦୩୩ ଟଙ୍କାରେ ଟ୍ରେଣ୍ଡ କରିବାକୁ ଲାଗିଛି।

ସେହିପରି ମେ ୨୦୨୬ରେ ଡେଲିଭରୀ ହେବାକୁ ଥିବା ରୂପା ୨,୨୧,୭୧୪ ଟଙ୍କାରେ ଖୋଲିଥିଲା। ହେଲେ ଏହା କିଛି ସମୟ ପରେ କେଜି ପିଛା ୨,୨୨, ୫୦୧ ଟଙ୍କାରେ ଟ୍ରେଣ୍ଡ କରୁଛି। ତେବେ ଖବର ଅପଡେଟ ହେବା ସୁଦ୍ଧା ସୁନା ପ୍ରତି ୧୦ ଗ୍ରାମ ୩,୬୦୦ ଟଙ୍କା ଓ ରୂପା ପ୍ରତି କେଜି ୧୫ ହଜାର ଟଙ୍କାରୁ ଅଧିକ ଶସ୍ତା ହୋଇଛି। ହେଲେ ଏବେ ପ୍ରଶ୍ନ ଉଠୁଛି ବୁଧବାର ଦିନ ତମାମ ସୁନା ଓ ରୂପା ଉଚ୍ଚ ଦରରେ କାରବାର କରିଥିବା ବେଳେ ଗୁରୁବାର ଅଚାନକ ଏତେ ହ୍ରାସ ହେଲା କାହିଁକି?

ତେବେ ଏହା ପଛରେ ଅନେକ କାରଣ ରହିଛି, ତାହା ହେଉଛି ମଜଭୁତ ହେଉଥିବା ଡଲାର ଇଣ୍ଡେକ୍ସ। ଡଲାର ଇଣ୍ଡେକ୍ସ ଏବେ ୧୦୦ର ପାଖାପାଖି ପହଞ୍ଚିଯାଇଛି। ସେହିପରି ମୁଦ୍ରାସ୍ପୀତି ହାର ୨.୪%ରୁ ଉପରକୁ ଉଠିଛି। ଏହି ହାର ଆଗକୁ ମଧ୍ୟ ଅଧିକ ବଢିପାରେ। ଏଥିରେ ସୁନା ଦର ଯେଉଁ ପର୍ଯ୍ୟନ୍ତ ୫,୧୦୦ ଡଲାର ଉପରକୁ ନ ପହଞ୍ଚିଛି ସେ ପର୍ଯ୍ୟନ୍ତ ଅର୍ଥାତ ଆଗାମୀ ୪-୫ ମାସ ବଜାରରେ ଚାପ ଓ ଦୁର୍ବଳତା ଲାଗି ରହିବ। ଏଣୁ ଏବେକା ପରିସ୍ଥିତିରେ ରୂପା ଅପେକ୍ଷା ସୁନାରେ ନିବେଶ ବେଶ୍ ଲାଭଦାୟକ ହେବ ବୋଲି କେଡିୟା ଆଡଭାଇଜରୀର ଅଜୟ କେଡିୟା ଗଣମାଧ୍ୟମକୁ କହିଛନ୍ତି।

ରୂପା ଦର ଏବେ ସର୍ବୋଚ୍ଚସ୍ତରରୁ ପାଖାପାଖି ୫୦% ହ୍ରାସ ହୋଇଛି। ଏହି ସମୟରେ ସୁନା ଦରରେ ମାତ୍ର ୨୬% ହ୍ରାସ ହୋଇଛି। ଏଥିରୁ ରୂପାରେ ନିବେଶ ହୁଏତ ଆଗକୁ ଲାଭପ୍ରଦ ହୋଇ ନପାରେ, ହେଲେ ସୁନା ବେଶ୍ ରିଟର୍ଣ୍ଣ ଦେବ ବୋଲି ଆକଳନ କରାଯାଉଛି। ସାରା ବିଶ୍ୱର କେନ୍ଦ୍ରୀୟବ୍ୟାଙ୍କମାନେ ଏବେ ବିପୁଳ ସୁନା କ୍ରୟ କରୁଛନ୍ତି (୨୦୨୬ରେ ୮୫୦ ଟନ) ଏଣୁ ସୁନା ନିବେଶ ନିଶ୍ଚିତ ଲାଭପ୍ରଦ ହେବ ବୋଲି କୁହାଯାଇପାରେ।