ନୂଆଦିଲ୍ଲୀ: ବରିଷ୍ଠ ଅଧିବକ୍ତା ତଥା ତୃଣ ମୂଳ କଂଗ୍ରେସ (ଟିଏମସି) ରାଜ୍ୟସଭା ସାଂସଦ ମେନକା ଗୁରୁସ୍ୱାମୀ ଦିଲ୍ଲୀରେ ଶନିବାର ହୋଇଥିବା ପ୍ରୋଟେଷ୍ଟ କାଳରେ ବିରୋଧୀ ଦଳ ନେତାଙ୍କ ସତର୍କତାମୂଳକ ଗିରଫକୁ ପ୍ରତିବାଦ କରି ସୁପ୍ରିମକୋର୍ଟକୁ ଯାଇଛନ୍ତି। ଅଟକ ଥିବା ବିପକ୍ଷ ଦଳ ନେତାଙ୍କ ମଧ୍ୟରେ ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି। ଏ ନେଇ ପିଟିସନକୁ କାଲି ରବିବାର ସ୍ପେଶାଲ ବେଞ୍ଚରେ ଶୁଣାଣି ଲାଗି ଲିଷ୍ଟ କରାଯାଇଛି। ଶନିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ, ପି. ବିଜୟନ ଓ ମାଣିକ ସରକାରଙ୍କୁ ଅଟକ ରଖାଯାଇଛି।

ଶାନ୍ତିପୂର୍ଣ୍ଣ ବିରୋଧ ମୌଳିକ ଅଧିକାର
ମେନକା ଗୁରୁସ୍ୱାମୀ ପିଟିସନରେ କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନର ମୌଳିକ ଅଧିକାରକୁ ଦବାଇଦେବା ଲାଗି ସତର୍କତା ମୂଳକ ଗିରଫଦାରୀକୁ ଉପଯୋଗ କରାଯାଇ ପାରିବନି, ଖାସ କରି ସେହି ନେତାଙ୍କ ବିରୋଧରେ ଯେଉଁମାନେ ପୂର୍ବରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ଗୁରୁସ୍ୱାମୀ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ପିଟିସନରେ ପ୍ରଦର୍ଶନକାରୀଙ୍କୁ ସଡ଼କରୁ ଓ ବିପକ୍ଷ ନେତାଙ୍କୁ ସେମାନଙ୍କ ବାସଭବନରୁ ଗିରଫ କରାଯିବାକୁ ଚ୍ୟାଲେଞ୍ଜ କରାଯାଇଛି।

ପ୍ରୋଟେଷ୍ଟ ଲାଗି ଜଣେବି ନେତା ପହଞ୍ଚିପାରିଲେନି ଜନ୍ତର ମନ୍ତର
ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଜନ୍ତର ମନ୍ତର ଏବେ ଶୂନଶାନ ପଡିଛି। ପୋଲିସ ଜାତୀୟ ରାଜଧାନୀରେ ଖୋଜି ଖୋଜି ବିକ୍ଷୋଭକାରୀଙ୍କୁ ଅଟକ କରୁଛି। ହେଲେ ଏହି ବିରୋଧ ପ୍ରଦର୍ଶନ ଯେ ସମ୍ପୂର୍ଣ୍ଣ ସମାପ୍ତ ହୋଇଯାଇଛି ତାହା ଏବେ କୁହାଯାଇ ପାରିବନି। ଶନିବାର ଦିଲ୍ଲୀ ଜନ୍ତରମନ୍ତରକୁ ହଜାର ହଜାର ସିଜେପି ବିକ୍ଷୋଭକାରୀ ଆସିଥିଲେ, ହେଲେ ସେମାନେ ଗନ୍ତବ୍ୟରେ ପହଞ୍ଚି ପାରି ନାହାନ୍ତି। ପୋଲିସ ରଣନୀତି ଆଗରେ ବିକ୍ଷୋଭକାରୀଙ୍କ ସବୁ ରଣନୀତି ବିଫଳ ହୋଇଛି।

ସିଜେପି ସମର୍ଥନରେ ଆସିଥିଲେ କେଜରିୱାଲ
ଶନିବାର ଦିଲ୍ଲୀ ଚାପା ଅସନ୍ତୋଷରେ ଥିଲା। ଛାତ୍ରଙ୍କ ବିକ୍ଷୋଭକୁ ସମର୍ଥନ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲ ସଡ଼କକୁ ଓହ୍ଲାଇ ଆସିଥିଲେ। ହେଲେ ସେ ମଧ୍ୟ ଜନ୍ତରମନ୍ତର ପହଞ୍ଚି ପାରି ନାହାନ୍ତି। ଘରୁ ବାହାରକୁ ବାହାରିବା ମାତ୍ରେ ଦିଲ୍ଲୀ ପୋଲିସ ତାଙ୍କୁ ଅଟକ କରିଛି। କେବଳ କେଜରିୱାଲ ନୁହନ୍ତି ମମତା ବାନାର୍ଜୀ ମଧ୍ୟ ତାଙ୍କ ବଳକା ସାଂସଦଙ୍କୁ ସାଙ୍ଗରେ ଧରି ମୁହଁ ରେ ଟେପ୍ ଲଗାଇ ବିକ୍ଷୋଭସ୍ଥଳକୁ ବାହାରି ପଡିଥିଲେ। ହେଲେ ପୋଲିସ ଦିଦିଙ୍କୁ ସାଙ୍ଗରେ ନେଇଯାଇଛି।

ଦିଲ୍ଲୀ ଜନ୍ତରମନ୍ତର ପ୍ରଦର୍ଶନ ବିଫଳ କରିବାକୁ ପ୍ରସ୍ତୁତ ଥିଲା ପୋଲିସ
ସିଜେପି ପ୍ରୋଟେଷ୍ଟ ବିଫଳ କରିବାକୁ ପୋଲିସ ସବୁ ପ୍ରକାରର ପ୍ରସ୍ତୁତି କରିଥିଲା। ପୋଲିସ ସହିତ ଅର୍ଦ୍ଧ ସାମରିକ ବଳ ଓ ୩୦ ହଜାର ବିଏସଏଫ ଜବାନଙ୍କୁ ମୁତୟନ କରାଯାଇଛି। ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ସ୍ଥାପନା କରାଯିବା ସହ ପ୍ରଦର୍ଶନକାରୀଙ୍କ ଉପରେ ନଜର ରଖିବାକୁ ଡ୍ରୋନ ଉଡା ଯାଇଥିଲା। ଜନ୍ତର ମନ୍ତରକୁ ସଂଯୁକ୍ତ କରୁଥିବା ସବୁ ରାସ୍ତା ସିଲ୍ କରାଯାଇଥିଲା। ଦିଲ୍ଲୀ ସୀମାକୁ ବ୍ୟାରିକେଡିଂ କରାଯିବା ସହ ଯାତାୟାତ କରୁଥିବା ଗାଡି ଯାଞ୍ଚ ହେଉଥିଲା।

ଏହା ଛଡା ରବିବାର ସୁପ୍ରିମକୋର୍ଟ ଆଦେଶ ଅବମାନନା ମାମଲାର ମଧ୍ୟ ଶୁଣାଣି ହେବ। ଦିଲ୍ଲୀ ବିକ୍ଷୋଭକୁ ନେଇ ମେଟ୍ରୋ ଷ୍ଟେସନ ବନ୍ଦ ରଖାଯାଇଛି। ତେବେ ମେଟ୍ରୋ ସମ୍ପୂର୍ଣ୍ଣ ବନ୍ଦ ନ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର କହିଥିଲେ। ହେଲେ ଅଧିକାରୀ ଏହା ପାଳନ କରି ନଥିବାରୁ ଏହା ବିରୋଧରେ ଅବମାନନା କାର୍ଯ୍ୟାନୁଷ୍ଠାନ ଦାବି କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଛି।