ନୂଆଦିଲ୍ଲୀ ୦୭।୧୦; ଉତ୍ତର ପ୍ରଦେଶର ପବିତ୍ର ଧାମ ବୃନ୍ଦାବନରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ପ୍ରେମାନନ୍ଦ ମହାରାଜଙ୍କ ପ୍ରିୟ ଶିଷ୍ୟଙ୍କ ରହସ୍ୟଜନକ ମୃତ୍ୟୁକୁ ୧୫ ଦିନ ବିତି ଯାଇଥିଲେ ମଧ୍ୟ ଏହାର ପ୍ରକୃତ ପରଦାଫାଶ ହୋଇପାରିନାହିଁ। ଏହି ଘଟଣା ପରେ ଏବେ ବୃନ୍ଦାବନର ଆଶ୍ରମ ଓ ସାଧୁସନ୍ଥମାନଙ୍କୁ ନେଇ ଅନେକ ସାଙ୍ଘାତିକ ଅଭିଯୋଗ ଆସିଛି। ଯାହା ସମଗ୍ର ଧର୍ମଜଗତରେ ହଇଚଇ ସୃଷ୍ଟି କରିଛି।

ଗତ ସେପ୍ଟେମ୍ବର ୨୫ ତାରିଖରେ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ଚତୁର୍ଥ ମହଲାରୁ ଆତ୍ମହତ୍ୟା କରିଥିବା କୁହାଯାଇଥିଲା। ମାତ୍ର ପୋଷ୍ଟମର୍ଟମ ରିପୋର୍ଟ ଏବଂ ଘଟଣାସ୍ଥଳରୁ ଏକ ଇଲେକ୍ଟ୍ରିକ୍ ଗ୍ରାଇଣ୍ଡର ମିଳିବା ପରେ ଏହି ମୃତ୍ୟୁକୁ ନେଇ ରହସ୍ୟ ଆହୁରି ବଢ଼ିଯାଇଛି। ବର୍ତ୍ତମାନ ପୋଲିସର ତଦନ୍ତ ଉପରେ ସମସ୍ତଙ୍କର ନଜର ରହିଛି।

ଏହାରି ମଧ୍ୟରେଶ୍ରୀକୃଷ୍ଣ ଜନ୍ମଭୂମି ସଂଘର୍ଷ ନ୍ୟାସର ଅଧ୍ୟକ୍ଷ ତଥା ହିନ୍ଦୁବାଦୀ ନେତା ଦିନେଶ ଶର୍ମା ଫଲାହାରୀ ଏକ ବଡ଼ ଦାବି କରି କହିଛନ୍ତି ଯେ, ବୃନ୍ଦାବନର ପ୍ରାୟ ୧୫ଟି ଆଶ୍ରମ ଉପରେ ନକଲି ସାଧୁଙ୍କ ନାଁରେ ମାଫିଆମାନେ କବ୍ଜା କରି ବସିଛନ୍ତି। 'କେଲି କୁଞ୍ଜ' ଆଶ୍ରମରେ ପ୍ରକୃତ ସନ୍ଥ ଏବଂ ନକଲି ସାଧୁଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ଲାଗିରହିଥିବା ସେ ଅଭିଯୋଗ କରିଛନ୍ତି।

ଦିନେଶ ଶର୍ମାଙ୍କ କହିବା ଅନୁସାରେ, ଏହି ଅସାମାଜିକ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ପ୍ରେମାନନ୍ଦ ମହାରାଜ କେଲି କୁଞ୍ଜ ଛାଡ଼ି ପ୍ରାୟ ୨୦ କିଲୋମିଟର ଦୂର 'ବେଲବନ ଆଶ୍ରମ'କୁ ଚାଲିଯାଇଛନ୍ତି। ତାଙ୍କ ସହ କିଛି ପ୍ରକୃତ ସନ୍ଥ ମଧ୍ୟ ସେଠାକୁ ଯାଇଛନ୍ତି। ଏହାସହ ତାଙ୍କ ସୁରକ୍ଷା ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ 'ଜେଡ୍ ପ୍ଲସ୍' (Z Plus) ସୁରକ୍ଷା ଯାଇଗାଇବାକୁ ଚିଠି ଲେଖାଯାଇଥିବା ସେ କହିଛନ୍ତି। ମଥୁରାର ସାଧ୍ୱୀ ଇନ୍ଦୁଲେଖା ଏବଂ ମହାମଣ୍ଡଳେଶ୍ୱର ରାଧାନନ୍ଦ ଗିରି ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ, କିଛି ଅସାମାଜିକ ତତ୍ତ୍ୱ ପ୍ରେମାନନ୍ଦ ମହାରାଜଙ୍କ ନାଁକୁ ବ୍ୟବହାର କରି ବୃନ୍ଦାବନରେ ବେଆଇନ ଭାବେ ଜମି ଦଖଲ କରୁଛନ୍ତି। ପ୍ରେମାନନ୍ଦ ମହାରାଜଙ୍କ ନାଁକୁ ଜଡ଼ିତ କରି ଚାଲିଥିବା ଏହି ବିବାଦ ଏବଂ ତାଙ୍କ ଶିଷ୍ୟଙ୍କ ରହସ୍ୟଜନକ ମୃତ୍ୟୁ ପ୍ରଶାସନ ଆଗରେ ଏକ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି।