କଟକ: କଟକ ରାଜନୀତିରେ ହଟଚମଟ । ବିଜେଡିରେ କିଛି ଠିକ୍ ଠାକ୍ ଚାଲିନଥିବା ଜଣାପଡୁଛି । ବିଜେଡି ଛାଡି କିଛି ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି । ଲାଗୁଛି ବିଜେଡି କନ୍ଦଳ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । କାରଣ କଟକ କର୍ପୋରେଟରଙ୍କ ମେଳି ପହଞ୍ଚିଛି ନବୀନ ନିବାସରେ । ତେବେ କିଛି ବିଜେଡି କର୍ପୋରେଟରଙ୍କୁ ପ୍ରଭାତ ବିଶ୍ବାଳ ବିଜେପିରେ ମିଶାଇବା ନେଇ ଚର୍ଚ୍ଚା ଜୋର୍ ଧରିଛି ।

କଣ କହିଲେ ପ୍ରଭାତ?

କେତେ ସତ ଅଛି କଥାରେ ତାହା ଜଣାନାହିଁ । କିନ୍ତୁ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ । ସେ କହିଛନ୍ତି ବୈଠକରେ ସେଭଳି କିଛି ଆଲୋଚନା ହୋଇନାହିଁ । ସେ କହିଛନ୍ତି 'ଭଵିଷ୍ୟତ କାର୍ଯ୍ୟପନ୍ଥା ପାଇଁ ସମସ୍ତଙ୍କ ମତ ଲୋଡିଥିଲି । କାହାକୁ କୌଣସି ଦଳରେ ମିଶିବା ପାଇଁ ପରାମର୍ଶ ଦେଇ ନାହିଁ । ୮ ଜଣ କର୍ପୋରେଟର ନବୀନଙ୍କୁ ଭେଟିବା ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପ୍ରଭାତ ।

ତାଙ୍କ କହିବା କଥା '୩ ବାରବାଟି କଟକ ଓ ୫ ଚୌଦ୍ଵାର କଟକ କର୍ପୋରେଟର ନବୀନକୁ ଭେଟିଥିଲେ । ରାଜନୀତିରେ ଏସଵୁ ସାଧାରଣ ପ୍ରକ୍ରିୟା । ଆହୁରି ବି ଚୌଦ୍ଵାର କଟକର କର୍ପୋରେଟରଙ୍କୁ ନେଇ ପ୍ରତାପ ଜେନା ରୁଦ୍ଧଦ୍ଵାର ବୈଠକ ସମ୍ପର୍କରେ ପ୍ରଭାତଙ୍କ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ପ୍ରତାପ ଜେନାଙ୍କୁ ଦଳ ଦାୟିତ୍ୱ ଦେଇଥିବ ବୋଲି ସେ ବୈଠକ କରିଥିଲେ । ମୋ ସହ ଯିଏ ମିଶିଛନ୍ତି ସେମାନେ ମୋ ଚିନ୍ତାଧାରା ଜାଣିଛନ୍ତି । ଆଉ ବେଶି କିଛି କହିବାର ନାହିଁ ବୋଲି ସେ ରୋକ୍ଠୋକ୍ ଶୁଣାଇଦେଇଛନ୍ତି ।

ନବୀନ ନିବାସରେ କର୍ପୋରେଟର ମେଳି:

ସୂଚନା ଥାଉକି, ସୋମବାର କଟକରୁ ବିଜେଡି କର୍ପୋରେଟରମାନେ ଆସି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲ । ପ୍ରଥମେ ବିଜେଡି କର୍ପୋରେଟରଙ୍କୁ ନେଇ ପ୍ରଭାତ ବିଶ୍ବାଳଙ୍କ ମେଳି, ପରେ ସ୍ଥିତି ସଜାଡ଼ିବାକୁ ବରିଷ୍ଠ ନେତା ପ୍ରତାପ ଜେନାଙ୍କୁ ଦାୟିତ୍ବ । କଟକରେ ବିଜେଡି କର୍ପୋରେଟରଙ୍କୁ ନେଇ ପ୍ରତାପଙ୍କ ବୈଠକ ପରେ ନବୀନ ନିବାସରେ ଚର୍ଚ୍ଚା ଆଲୋଚନା ହୋଇଥିଲା । କଟକରେ ସଂଗଠନ ସଜାଡ଼ିବାକୁ ଗୁରୁତ୍ବ ଦେବା ସହ କର୍ପୋରେଟର ମାନଙ୍କ ସହ ନବୀନ ଆଲୋଚନା କରିଛନ୍ତି । ସବୁ କର୍ପୋରେଟର ନବୀନଙ୍କ ସହ ଅଛନ୍ତି ଓ ରହିବେ ବୋଲି ପ୍ରତାପ ଜେନା କହିଥିଲେ ।

Also Read...ବର୍ଷିଲା ବିଜେଡି, କହିଲେ- ବିଜୁ ବାବୁ ଜଣେ ସ୍ୱାଧୀନତା ସଂଗ୍ରାମୀ, ତାଙ୍କ ପ୍ରତି ଏପରି ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ

କ୍ରସ ଭୋଟିଂ ପରେ ରାଜନୀତି ତେଜିଛି:

ରାଜ୍ୟସଭା କ୍ରସ୍ ଭୋଟିଂକୁ ନେଇ ବିଜେଡି ବିଧାୟକଙ୍କୁ ନିଲମ୍ବନ ପରେ ସରଗରମ କଟକ ରାଜନୀତି । ବିଜେଡି କର୍ପୋରେଟରମାନଙ୍କୁ ନେଇ ନିଲମ୍ବିତ ନେତା ପ୍ରଭାତ ବିଶ୍ବାଳ ଘନଘନ ବୈଠକ କରିବା ପରେ ବିଜେଡିରେ ସବୁକିଛି ଠିକ୍ ଚାଲିନଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ପରେ ସଂଗଠନ ସଜାଡ଼ିବା ଲାଗି ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ଉଦ୍ୟମ ଚଳାଇଛନ୍ତି ।

ତେବେ ପ୍ରତାପଙ୍କ ଚେକ୍ର ପ୍ରଭାବ ପଡ଼ିବନି ବୋଲି ଖୋଲାଖୋଲି କହିଛନ୍ତି ସୌଭିକ ବିଶ୍ବାଳ । ଏସବୁ ଭିତରେ ଗତକାଲି ୧୨ ବିଜେଡି କର୍ପୋରେଟରଙ୍କୁ ଧରି କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ପୁସ୍ତକ ମେଳା ବୁଲିଥିଲେ ବିଧାୟକ ସୌଭିକ । ଆଗକୁ ଏ ମେଳି ପଲିଟିକ୍ସ କି ମୋଡ଼ ନେଉଛି ତାହା ଦେଖିବାର କଥା ।