ଉମରକୋଟ: ବାହାର ରାଜ୍ୟକୁ ଦାଦନ ପାଇଁ ଚାଲାଣ ବେଳେ ୯ ନାବାଳିକାଙ୍କୁ ଉଦ୍ଧାର କଲା ପୋଲିସ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରୁ ୯ ନାବାଳିକାଙ୍କୁ ଦାଦନ ପାଇଁ ଚାଲାଣ କରାଯାଉଥିଲା। ତେବେ ପୋଲିସ ନାବାଳିକାକୁ ଉଦ୍ଧାର କରି ଥାନାକୁ ନେଇଥିବା ବେଳେ, ଫେରାର ଦଲାଲକୁ ଖୋଜିବାକୁ ଉଦ୍ୟମ ଜାରି ରଖିଛି।

ସୂଚନା ଅନୁସାରେ, ଦଲାଲ ଜଣକ ଏମାନଙ୍କୁ ନେବା ପାଇଁ ଗାଡ଼ିର ବ୍ୟବସ୍ଥା କରିଥିଲେ। ଆଉ ଡାବୁଗାଁ ବ୍ଲକ୍ ସରାଗୁଡ଼ା ଛକ ନିକଟରେ ଗାଡ଼ିକୁ ଅପେକ୍ଷା କରିଥିବା ବେଳେ, ଜିଲ୍ଲା ଶ୍ରମିକ ସଭାପତି ସନାତନ ସାହୁଙ୍କୁ ସନ୍ଦେହ ହେବାରୁ ତୁରନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯୋଗାଯୋଗ କରିଥିଲେ ଏବଂ ସ୍ଥାନୀୟ ପୋଲିସକୁ ଘଟଣା ବିଷୟରେ ସୂଚନା ଦେଇଥିଲେ।

Also Read: ଦଶପଲ୍ଲା ବିଡିଓଙ୍କ କାର୍କୁ ଢେଲା ମାଡ଼ କରି ୨ ଫେରାର, ଥାନାରେ ଅଭିଯୋଗ

ଖବର ପାଇ ଡାବୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ୯ ନାବାଳିକାଙ୍କୁ ଉଦ୍ଧାର କରି ଥାନାରେ ରଖିଛନ୍ତି। ଏମାନଙ୍କୁ କେଉଁଠି ଏବଂ କେଉଁ କାମ ପାଇଁ ନିଆଯାଉଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଉଦ୍ଧାର ନାବାଳିକାଙ୍କ ବୟାନ ଆଧାରରେ ଘଟଣାର ଅଧିକ ଖୋଳତାଡ଼ ଚାଲିଛି।

ତେବେ ପୋଲିସ ଆସିବା ପୂର୍ବରୁ ଘଟଣାସ୍ଥଳରୁ ଦଲାଲ ଫେରାର ହୋଇଯାଇଥିବା ବେଳେ, ଜିଲ୍ଲା ଶ୍ରମିକ ସଭାପତିଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଆଦିବାସୀ ବହୁଳ ଅଂଚଳର ୯ ଜଣ ନାବାଳିକା ଝିଅଙ୍କୁ ଆନ୍ତଃ ରାଜ୍ୟ ଚାଲାଣର ଶିକାର ହେବା ପୂର୍ବରୁ ଉଦ୍ଧାର ହୋଇଯାଇଛନ୍ତି। ତେବେ ଘଟଣାକୁ ନେଇ ପୋଲିସ ପ୍ରତିକ୍ରିୟା ମିଳିପାରିନାହିଁ।