ବୌଦ୍ଧ ୩।୪: ଦାମୀ କାର୍‌ରେ ଚାଲାଣ ପାଇଁ ହେଉଥିଲେ ସଜବାଜ । ଅଚାନକ ଚଢ଼ାଉ କଲା ପୋଲିସ । କାର୍ ଛାଡ଼ି ଫେରାର ମାରିଲେ ମାଫିଆ । କାର୍‌କୁ ଜବତ କଲା ପୋଲିସ । ତନଖି ବେଳେ କାର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ । ପ୍ରାୟ ୫ କ୍ଵିଣ୍ଟାଲ ୭୦ କେଜି ଗଞ୍ଜେଇ ଜବତ । ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା । ମାଫିଆ କେଉଁଠାରୁ ଗଞ୍ଜେଇ ନେଉଥିଲେ ଏବଂ କେଉଁ ସ୍ଥାନକୁ ଚାଲାଣ କରୁଥିଲେ ତାର ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମନୋହରପୁର ନିକଟରେ ଗଞ୍ଜେଇ ଚାଲାଣ ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ। ଦାମୀ କାର୍‌ରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ହେଉଥିବା ବେଳେ ମନମୁଣ୍ଡା ପୋଲିସ ଅଚାନକ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଦୁଇଟି ଦାମୀ କାର୍ ସହ ଗଞ୍ଜେଇ ଜବତ କରିଥିଲା ପୋଲିସ । ହେଲେ କାର୍ ଛାଡ଼ି ଫେରାର ମାରିଥିଲେ ଗଞ୍ଜେଇ ମାଫିଆ । ପୋଲିସ ଗାଡିକୁ ତନଖି କରିବା ବେଳେ ଦୁଇଟି କାର୍‌ରୁ ପ୍ରାୟ ୫ କ୍ଵିଣ୍ଟାଲ ୭୦ କେଜି ଗଞ୍ଜେଇ ଜବତ ହୋଇଥିବା ନେଇ ସୂଚନା ମିଳିଛି । ଏହି ଗଞ୍ଜେଇର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ହେବା ନେଇ ଅନୁମାନ କରାଯାଉଛି ।

Also Read:- ବଦଳୁଛି ପାଣିପାଗ, ଡରାଇଲାଣି ଖରା ! ଏଥର ନୁହେଁ, ଏଣିକି ପ୍ରତି ବର୍ଷ ଏପ୍ରିଲ୍ ୨ରୁ ସକାଳୁଆ ସ୍କୁଲ

ଗାଡ଼ିରୁ ଛତିଶଗଡ, ମଧ୍ୟପ୍ରଦେଶର ଓ ଓଡ଼ିଶା ନମ୍ବର ଥିବା ଗାଡ଼ି ନମ୍ବର ପ୍ଲେଟ୍ ଜବତ ହୋଇଛି । ତେବେ ମାଫିଆ ମାନେ ଏହି ନମ୍ବର ପ୍ଲେଟ୍ ସାହାଯ୍ୟରେ ବିଭିନ୍ନ ରାଜ୍ୟର ପୋଲିସକୁ ଚକ୍‌ମା ଦେଇ ଗଞ୍ଜେଇ ଚାଲାଣ କରିବାର ନୂଆ ରାସ୍ତା ଆପଣାଇଥିବା ସୂଚନା ମିଳିଛି । ମାଫିଆ ମାନେ କିଭଳି ଭାବେ କେଉଁଠାରୁ ଗଞ୍ଜେଇ ନେଉଥିଲେ ଏବଂ କେଉଁ ସ୍ଥାନକୁ ଚାଲାଣ କରୁଥିଲେ ସେ ନେଇ ତଦନ୍ତ କରୁଛି ମନମୁଣ୍ଡା ପୋଲିସ । ମାଫିଆ ମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ ଲରେନ୍ ରାଉତରାୟ ସୂଚନା ଦେଇଛନ୍ତି ।

ସେପଟେ ଗତ ୩ ମାସ ମଧ୍ୟରେ ମନମୁଣ୍ଡା ପୋଲିସ ପ୍ରାୟ ୧୫ କୋଟି ଟଙ୍କାର ୧୫ ଟନ୍ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଥିବା ନେଇ SDPO ସୂଚନା ଦେଇଛନ୍ତି ।