ଆନନ୍ଦପୁର ୧୮।୦୫ : ଆକ୍ସନରେ ପ୍ରଶାସନ । କେନ୍ଦୁଝର ଜିଲ୍ଲାରେ ସକ୍ରିୟ ଥିବା ବେଆଇନ ବାଲି ମାଫିଆଙ୍କ ବିରୋଧରେ ପୋଲିସ ପ୍ରଶାସନ ପକ୍ଷରୁ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କେନ୍ଦୁଝର ପୋଲିସର ସ୍ପେସାଲ୍ ସ୍କ୍ୱାର୍ଡ ପକ୍ଷରୁ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି ।

ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ଆନନ୍ଦପୁର, ଘଷିପୁରା, ହାଟଡିହି ଏବଂ ଘଟଗାଁ ଅଞ୍ଚଳର ପ୍ରାୟ ୧୨ଟି ସ୍ଥାନରେ ପୁଲିସ ବାଲି ମାଫିଆଙ୍କ ଆଡ୍ଡା ଓ ବାସଭବନ ଉପରେ ଚଢ଼ାଉ କରିଛି । ସକାଳ ୫ଟାରୁ ଜାରି ରହିଛି ରେଡ୍। ଏହି ଚଢାଉ ସମୟରେ ପୋଲିସ ହାତରେ ବହୁ ତଥ୍ୟ ଓ ପ୍ରମାଣ ମିଳିଛି । ଏପିରିକି ମାଫିଆଙ୍କ ଘରୁ ୨୫ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି । ଏହାସହ ବାଲି ଚୋରା ଚାଲାଣରେ ବ୍ୟବହୃତ ହେଉଥିବା ୩୦ରୁ ଅଧିକ ଗାଡ଼ିକୁ ସିଜ୍ କରିଛି ପୋଲିସ । ଏହି ଚଢାଉରେ ପୋଲିସକୁ ବହୁ ସଂଖ୍ୟାରେ ବ୍ୟାଙ୍କ ପାସ୍ ବୁକ୍, ବୀମା କାଗଜପତ୍ର ଏବଂ ବାଲି ପରିବହନ ପାଇଁ ପ୍ରସ୍ତୁତ କରାଯାଇଥିବା ଏକାଧିକ ଜାଲ୍ ଦସ୍ତାବିଜକୁ ମଧ୍ୟ ହେପାଜତକୁ ନେଇଛି ।

Also Read:-Diet Coke Price Increase: ବଜାରକୁ ଫେରିଲା Diet Coke, କ୍ୟାନ ଅଭାବରୁ କାଚ ବୋତଲ ଦାମ୍ ୧୦୦ ଟଙ୍କା

ପୋଲିସର ବିଭିନ୍ନ ଟିମ୍ର ସୂଚନା ଆଧାରରେ ଚିହ୍ନଟ ହୋଇଥିବା ମାଫିଆଙ୍କ ଘର ଚଢ଼ାଉ ଜାରି ରହିଛି । ହାଟଡହି ବ୍ଲକ୍ ନନ୍ଦିପଦା ଥାନା ଅନ୍ତର୍ଗତ ବଞ୍ଚୋ ଗାଁର ରତିକାନ୍ତ ରାଉତ, ଜଳକଳଙ୍ଗ ଗାଁର ସନ୍ତୋଷ ନାୟକ, ଏଲକଣିଆ ଗାଁର ଯୋଗେନ୍ଦ୍ର ବେହେରା ଏବଂ ଶାଳଣିଆଁ ଗାଁର ଗୁରୁବ୍ରତ ଖଣ୍ଡେଇଙ୍କ ଘରେ ସ୍ପେସାଲ ସ୍କ୍ୱାର୍ଡ ଖେଦା ଚଳାଇଛି । ଆନନ୍ଦପୁର ଥାନା ଅଞ୍ଚଳର ପ୍ରଭାବଶାଳୀ ବାଲି ମାଫିଆ ରାଜାପ୍ରଭୁ ଦାସଙ୍କ ଘରେ ଚଢ଼ାଉ ଜାରି ରହିଛି । ସେହିପରି ଘଷିପୁରା ଥାନା ଧକୋଠା ଗାଁର ଅଜିତ୍ ପୃଷ୍ଟି, ସୁଦର ସାହୁ ଏବଂ ଶାନ୍ତନୁ ନାୟକଙ୍କ ବାସଭବନରେ ପୁଲିସ ତଦନ୍ତ ଚଳାଇଛି । ଅନ୍ୟାନ୍ୟ ଅଞ୍ଚଳ ଯେପରିକି ବୀରଗୋବିନ୍ଦପୁର ଗାଁର ସୌମ୍ୟ ରଞ୍ଜନ ମହାପାତ୍ର ଏବଂ ଅମାରଙ୍ଗ ଗାଁର ସନ୍ତୋଷ ନାୟକଙ୍କ ଘରେ ମଧ୍ୟ ପୁଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।

ଦୀର୍ଘ ଦିନ ହେବ ଏହି ଅଞ୍ଚଳରେ ବେଆଇନ ଭାବେ ବାଲି ଖନନ ଓ ଚୋରା ଚାଲାଣ ନେଇ ଅଭିଯୋଗ ଆସୁଥିଲା । ଏହି ମାଫିଆମାନେ ଜାଲ୍ ଦସ୍ତାବିଜ୍ ପ୍ରସ୍ତୁତ କରି ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ୱ ହାନି କରୁଥିଲେ । ବର୍ତ୍ତମାନ ସମସ୍ତ କାଗଜପତ୍ରର ଯାଞ୍ଚ ଚାଲିଛି ଏବଂ ଆଗକୁ ଏଥିରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ । ଏହି ମେଗା ରେଡ୍ ପରେ ଜିଲ୍ଲାରେ ବେଆଇନ ଖଣିଜ ଓ ବାଲି କାରବାର ଉପରେ ବଡ଼ ପ୍ରତିବନ୍ଧକ ଲାଗିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।