ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀରରେ ଚାଲିଥିବା ଅଶାନ୍ତି ଏବଂ ପ୍ରତିବାଦ ମଧ୍ୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଏକ ଅତ୍ୟନ୍ତ  ବିବାଦୀୟ ବୟାନ ଦେଇଛନ୍ତି । ଆନ୍ଦୋଳନକାରୀଙ୍କୁ ସେ ସିଧାସଳଖ ଭାରତ ସହିତ ତୁଳନା କରିଛନ୍ତି । ସେ କହିଛନ୍ତି, "ମୁଁ ପିଓକେ ଆନ୍ଦୋଳନକାରୀଙ୍କୁ ଭାରତ ପରି ଶତ୍ରୁ ଶ୍ରେଣୀରେ ରଖିଛି ।" ଏହି ବୟାନ ପରେ ସମଗ୍ର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଏବଂ ବଡ଼ ଧରଣର ଆକ୍ରୋଶ ଦେଖିବାକୁ ମିଳିଛି ।

ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ସ୍ପଷ୍ଟ ଭାବେ କହିଛନ୍ତି ଯେ ସରକାରୀ ନୀତି ବିରୋଧରେ ରାସ୍ତାକୁ ଓହ୍ଲାଇଥିବା ଆନ୍ଦୋଳନକାରୀଙ୍କ ସହ କୌଣସି ପ୍ରକାର ଆଲୋଚନା କରାଯିବ ନାହିଁ I ଖାଲି ସେତିକି ନୁହେଁ ସେମାନଙ୍କୁ ଦେଶର ଶତ୍ରୁ ବୋଲି କହିବାକୁ ମଧ୍ୟ ପଛାଇ ନାହାନ୍ତି ।

ବିଭିନ୍ନ ରିପୋର୍ଟ ଅନୁସାରେ, ପିଓକେରେ ଜୁନ୍ ୫ରୁ ଆରମ୍ଭ ହୋଇଥିବା ପ୍ରତିବାଦ ଓ ସୁରକ୍ଷା ବାହିନୀର ଦମନଲୀଳା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୯୦ରୁ ଅଧିକ ଜୀବନ ଗଲାଣି । ସୁରକ୍ଷା କର୍ମୀଙ୍କ ଗୁଳିଚାଳନାରେ ଅନେକ ନିରୀହ ନାଗରିକ ଓ ଆନ୍ଦୋଳନକାରୀ ପ୍ରାଣ ହରାଇଛନ୍ତି ।

ସେପଟେ ଏହି ଆନ୍ଦୋଳନ ଭିତରେ ବିଧାନସଭା ନିର୍ବାଚନକୁ ବର୍ଜନ କରିବା ପାଇଁ ବିଭିନ୍ନ ଗୋଷ୍ଠୀ ଆହ୍ୱାନ ଦେଇଛନ୍ତି । ସୁରକ୍ଷା ପାଇଁ ଇସଲାମାବାଦ ସରକାର ସଂପୃକ୍ତ ଅଞ୍ଚଳରେ ୧୪୦୦୦ରୁ ଅଧିକ ସୁରକ୍ଷାକର୍ମୀ ମୁତୟନ କରିଛନ୍ତି । ଏସବୁକୁ ଦେଖି ସାଧାରଣ ଜନତା ଅଭିଯୋଗ କରିଛନ୍ତି, ଏହା ଦ୍ୱାରା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ପ୍ରଭାବିତ ହେଉଛି । ସ୍ଥିତିକୁ ନିୟନ୍ତ୍ରଣ କରିବା ନାଁରେ କର୍ତ୍ତୃପକ୍ଷ ବିଭିନ୍ନ ଅଞ୍ଚଳରେ ଇଣ୍ଟରନେଟ୍, ମୋବାଇଲ୍ ସେବା ସହିତ ବିଦ୍ୟୁତ୍ ଏବଂ ପାଣି ଯୋଗାଣ ମଧ୍ୟ ବନ୍ଦ କରି ରଖିଛନ୍ତି ।

ପାକିସ୍ତାନର ବିରୋଧୀ ଦଳ ନେତା ମୌଲାନା ଫଜଲୁର ରେହମାନ ସରକାରଙ୍କ ଅମାନୁଷିକ ଗୁଳିଚାଳନାକୁ କଡ଼ା ନିନ୍ଦା କରିଛନ୍ତି ।  ସେ କହିଛନ୍ତି, ଜନସାଧାରଣଙ୍କର ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି । ଅନ୍ୟପଟେ, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପାକିସ୍ତାନୀ ସୁରକ୍ଷା ବାହିନୀର ଏହି କଠୋର କାର୍ଯ୍ୟାନୁଷ୍ଠାନକୁ ନେଇ ଗଭୀର ଚିନ୍ତା ପ୍ରକାଶ କରାଯାଇଛି ।