ନୂଆଦିଲ୍ଲୀ ୧୩।୦୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଅଫିସ୍ ପ୍ରସ୍ତୁତ। ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଉଥ ବ୍ଳକରୁ ଏହି ନୂଆ ଅଫିସକୁ ସ୍ଥାନାନ୍ତର ହେବ। ଫଳରେ ଏକ ଯୁଗର ଅନ୍ତ ଘଟିବ । ଦେଶ ସ୍ବାଧୀନତା ଲାଭକରିବା ପରଠାରୁ ଅର୍ଥାତ ୧୯୪୭ମସିହାରୁ ପିଏମ୍ଓ ସାଉଥ୍ ବ୍ଳକରେ କାର୍ଯ୍ୟକ୍ଷମ ହୋଇଆସୁଛି। ନୂଆ ଅଫିସର ଠିକଣା ସେବାତୀର୍ଥ ରଖାଯାଇଛି।

ସେଣ୍ଟ୍ରାଲ ଭିଷ୍ଟା ରିଡେଭେଲପମେଣ୍ଟ ପ୍ରୋଜେକ୍ଟ ଅଧୀନରେ ଏହାର ନିର୍ମାଣ କରାଯାଇଛି। ଏହି କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଚିବାଳୟ ଏବଂ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ରହିଛି। ପ୍ରତିଟି କାର୍ଯ୍ୟାଳୟ ପାଇଁ ପୃଥକ ବିଲ୍ଡିଂ ନିର୍ମାଣ କରାଯାଇଛି। ପିଏମ୍ ଓ ଯେଉଁ କମ୍ପ୍ଲେକ୍ସରେ ରହିବ ତାହାର ନାମ ରଖାଯାଇଛି ସେବାତୀର୍ଥ-୧। ସେଠାରେ ରହିଛି ଅତ୍ୟାଧୁନିକ କାର୍ଯ୍ୟସ୍ଥଳ ଓ ଭବ୍ୟ ସମାରୋହ ପ୍ରକୋଷ୍ଠ ।

ସେହିଭଳି ସେବାତୀର୍ଥ-୨ରେ କ୍ୟାବିନେଟ ସଚିବାଳୟ ରହିଛି ଯାହାକି ଗତବର୍ଷ ସେପ୍ଟେମ୍ବରରୁ ସେଠାରେ କାର୍ଯ୍ୟକ୍ଷମ ହୋଇସାରିଛି। ସେବାତୀର୍ଥ-୩ରେ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଅଫିସ୍ ଓ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ରହିବ। ସାଉଥ୍ ଓ ନର୍ଥ ବ୍ଳକରୁ ସବୁ ସରକାରୀ ଅଫିସ ହଟିବା ପରେ ତାକୁ ସର୍ବସାଧାରଣ ସଂଗ୍ରହାଳୟରେ ପରିଣତ କରାଯିବ।

ଏହି ପ୍ରସ୍ତାବିତ ମ୍ୟୁଜିୟମ ନିର୍ମାଣ ତଥା ସହଯୋଗ କରିବା ଲାଗି ଫ୍ରାନ୍ସର ମ୍ୟୁଜିୟମ ଉନ୍ନୟନ ସଂସ୍ଥା ସହ ୨୦୨୪ରେ ରାଜିନାମା ସ୍ବାକ୍ଷର କରାଯାଇଛି। ୨ ଲକ୍ଷ ୨୬ ହଜାର ୨୦୩ ବର୍ଗଫୁଟ ଜମିରେ ପରିବ୍ୟାପ୍ତ ଏହି ସେବାତୀର୍ଥ ନିର୍ମାଣରେ ମୋଟ ୧ହଜାର ୧୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଲାଗି ନୂଆ ବିଲଡିଂର ନିର୍ମାଣ କରାଯାଉଛି।