ନୂଆଦିଲ୍ଲୀ: ପୋଲାଣ୍ଡର ଜଣେ ବରିଷ୍ଠ ମନ୍ତ୍ରୀ ମଙ୍ଗଳବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶ୍ୱସ୍ତରୀୟ ପ୍ରଭାବକୁ ଭୂୟସୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ବିଶ୍ୱର ସେହି ଅଳ୍ପ କେତେଜଣ ନେତାଙ୍କ ମଧ୍ୟରୁ ଜଣେ, ଯିଏକି ବର୍ତ୍ତମାନର ସଂଘର୍ଷକୁ ରୋକିବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ପ୍ରଭାବ ପକାଇ ପାରିବେ। ପୋଲାଣ୍ଡର ଉପ-ବୈଦେଶିକ ମନ୍ତ୍ରୀ ବାର୍ତ୍ତୋସେଭସ୍କି (Bartoszewski) କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଅତି ଜଣାଶୁଣା ଓ ସମ୍ମାନିତ ବିଶ୍ୱ ନେତା। ଏକ ନିରପେକ୍ଷ ରାଷ୍ଟ୍ର ଭାବରେ ଭାରତର ରୁଷ  ସହିତ ଏକ ଦୀର୍ଘକାଳୀନ ସମ୍ପର୍କ ରହିଆସିଛି। ପ୍ରଧାନମନ୍ତ୍ରୀ ମୋଦୀ ଯାହା କୁହନ୍ତି, ରାଷ୍ଟ୍ରପତି ପୁଟିନ ପ୍ରକୃତରେ ସେଥିପ୍ରତି ଧ୍ୟାନ ଦିଅନ୍ତି।’

ସେ କହିଛନ୍ତି, ୨୦୨୨ରେ ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ପରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ରୁଷକୁ ପରମାଣୁ ଆକ୍ରମଣ କରିବାରୁ ରୋକିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥା ମାନି ପୁଟିନ ପରମାଣୁ ଆକ୍ରମଣ କରିନଥିଲେ । ଏବେ ମସ୍କୋ ସହିତ ଆଲୋଚନା କରିବା ଦିନକୁ ଦିନ କଠିନ ହେବାରେ ଲାଗିଛି, ଏଭଳି ସ୍ଥିତିରେ ପୁଟିନଙ୍କୁ ପ୍ରଭାବିତ କରିବାରେ ଭାରତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ରୁଷ ଯେଉଁ ଦେଶଗୁଡ଼ିକୁ ଶତ୍ରୁ ମନେ କରେ ନାହିଁ, ସେହି ଦେଶଗୁଡ଼ିକର ଅନୁରୋଧକୁ ରୁଷ ଅଧିକ ଗୁରୁତ୍ୱ ଦେଇଥାଏ। ଏହି କ୍ରମରେ ସେ ଭାରତ ସହିତ ଚୀନ୍‌ର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି। ପୋଲାଣ୍ଡ ମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ରୁଷ ଠାରୁ ଭାରତ ରିହାତି ଦରରେ ଅଶୋଧିତ ତୈଳ ଆମଦାନୀ କରିବାକୁ ନେଇ ଦୁଇ ଦେଶ ମଧ୍ୟରେ ଥିବା ମତଭେଦ ଏବେ ଦୂର ହୋଇଯାଇଛି।

ସେ ସ୍ୱୀକାର କରିଛନ୍ତି ଯେ, ପୂର୍ବରୁ ପୋଲାଣ୍ଡ ଏହାର ସମାଲୋଚନା କରୁଥିଲା, କାରଣ ଏହି ଅର୍ଥ ରୁଷର ଯୁଦ୍ଧ ଅର୍ଥନୀତିକୁ ସାହାଯ୍ୟ କରୁଥିଲା। କିନ୍ତୁ ବର୍ତ୍ତମାନ ବଜାର ଦର ଠାରୁ ପ୍ରାୟ ୪୦ ପ୍ରତିଶତ କମ୍ ମୂଲ୍ୟରେ ତୈଳ ମିଳୁଥିବାରୁ ଭାରତ ଏହି ଆର୍ଥିକ ନିଷ୍ପତ୍ତି ନେଇଛି ବୋଲି ପୋଲାଣ୍ଡ ବୁଝିପାରିଛି। ଉଭୟ ଦେଶ ଏବେ ପରଷ୍ପରର ଆଭିମୁଖ୍ୟକୁ ସମ୍ମାନ ଜଣାଉଛନ୍ତି ଏବଂ ଏହା ଆଉ ଦୁଇ ଦେଶ ମଧ୍ୟରେ କୌଣସି ବଡ଼ ସମସ୍ୟା ହୋଇ ରହିନାହିଁ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଟିନଙ୍କ ପ୍ରଶଂସା
ପୋଲାଣ୍ଡ ମନ୍ତ୍ରୀଙ୍କ ଏହି ବକ୍ତବ୍ୟର କିଛି ଦିନ ପୂର୍ବରୁ ନିଜେ ରୁଷ ରାଷ୍ଟ୍ରପତି ପୁଟିନ ଭାରତର ସ୍ୱାଧୀନ ବୈଦେଶିକ ନୀତିକୁ ଉଚ୍ଚ ପ୍ରଶଂସା କରିଥିଲେ। ସେଣ୍ଟ ପିଟର୍ସବର୍ଗ ଇଣ୍ଟରନ୍ୟାସନାଲ ଇକୋନୋମିକ ଫୋରମ୍‌ ଅବସରରେ ପୁଟିନ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରିବା ସମ୍ପୂର୍ଣ୍ଣ ବ୍ୟର୍ଥ। ପୁଟିନ କହିଥିଲେ, ‘ସମସ୍ତେ ବୁଝିସାରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତ ଉପରେ ଚାପ ସୃଷ୍ଟି କରିବା ଅନ୍ତର୍ଜାତୀୟ ତଥା ଦ୍ୱିପାକ୍ଷିକ ସମ୍ପର୍କ ପାଇଁ କ୍ଷତିକାରକ। ଏହି ଚାପ କେଉଁଠାରୁ ଆସୁଛି, ତାହାର କୌଣସି ଗୁରୁତ୍ୱ ନାହିଁ। ଭାରତ ନିଜର ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ଯେଉଁ ଦେଶ ସହ ସମ୍ପର୍କ ବଢ଼ାଇବାକୁ ଉଚିତ ମନେ କରୁଛି, ସେଥିରେ ଆମେ ଖୁସି ।’