ଭୁବନେଶ୍ଵର: ରାଜ୍ୟ ସରକାରଙ୍କ କାମର ମୂଲ୍ୟାୟନ କରିବେ ପ୍ରଧାନମନ୍ତ୍ରୀ | ଦୁଇ ବର୍ଷର ସରକାରଙ୍କ ଉପଲବ୍ଧିର ରିପୋର୍ଟ ମାଗିଲେ ପ୍ରଧାନମନ୍ତ୍ରୀ | ୨୦୨୪ ଜୁନ ୧୨ ତାରିଖରେ ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ବିଜେପି ସରକାର କରିବା ପରେ ଅନେକ ଲୋକାଭିମୁଖୀ କାର୍ଯ୍ୟ କରିଆସିଛନ୍ତି | ଲୋକଙ୍କ ସରକାର କହି ସରକାରକୁ ଆସିଥିବା ମୋହନ ସରକାରକୁ ଏବେ ଦୁଇ ବର୍ଷ ପୂରିବାକୁ ଯାଉଛି |

ତେବେ ଏହି ଦୁଇ ବର୍ଷରେ କଣ କରିଛନ୍ତି, ବିଶେଷକରି ଲୋକଙ୍କ ନିକଟତର ହେବା ପାଇଁ କଣ ଯୋଜନା କରିଛନ୍ତି ଏବଂ ତାହା ଲୋକଙ୍କ ପାଖକୁ ପହଞ୍ଚି ପାରିଛି କି ନାହିଁ | କେନ୍ଦ୍ର ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରାଯାଉଛି କି ନାହିଁ | ୨୪ ନିର୍ବାଚନରେ ୨୧ ଇସ୍ତାହାର ଘୋଷଣା କରିଥିଲା ଦଳ ତାହାକୁ କେତେ ପରିମାଣରେ ପୂରଣ କରିପାରିଛନ୍ତି ? ରାଜ୍ୟରେ ତୃଣମୂଳ ସ୍ତରରେ ସ୍ଥିତି କଣ ଅଛି ? ଆଗକୁ ରାଜ୍ୟ ପାଇଁ କଣ କଣ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ସରକାର ? ଏସବୁର ସମୀକ୍ଷା କରିବେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ଦୁଇ ବର୍ଷ ମଧ୍ୟରେ ରାଜ୍ୟ ବିଜେପି ସରକାରର ସମସ୍ତ ତଥ୍ୟ ମାଗିଛନ୍ତି ପ୍ରଧାନମନ୍ତ୍ରୀ।

Also Read: ଅସହ୍ୟ ହେଲାଣି ଭତ୍ତା ଯନ୍ତ୍ରଣା, ବିଜେପି କହିଲା- ୧୫ ଦିନରେ ହେବ ସମାଧାନ, କଂଗ୍ରେସ ଜବାବ ସରକାରଙ୍କ ଆନ୍ତରିକତା ନାହିଁ...

ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମକୁ ଆସିପାରନ୍ତି ପ୍ରଧାନମନ୍ତ୍ରୀ | ଆଜି ଏହି ସୂଚନା ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଓଡିଶା ଆସିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି | କିଛି ଦିନ ତଳେ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମକୁ ଆସିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆସିବାକୁ ଆଗ୍ରହ ପ୍ରକାଶ କରିଛନ୍ତି | ତାରିଖ ଧାର୍ଯ୍ୟ ହେଲେ ଗସ୍ତ ବିବରଣୀ ଜଣାପଡିବ | ସେପଟେ, ରାଜ୍ୟ ସରକାର ଦୁଇ ବର୍ଷ ମଧ୍ୟରେ କଣ ଉପଲବ୍ଧି କରିଛନ୍ତି ସେ ନେଇ ବିଜେପି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ |

ପଞ୍ଚାୟତ ଠାରୁ ରାଜ୍ୟ ସ୍ତରୀୟ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ | ଏନେଇ ଚିଠା ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ, ଖୁବଶୀଘ୍ର କାର୍ଯ୍ୟକ୍ରମ ଘୋଷଣା ହେବ ବୋଲି ସଭାପତି ସୂଚନା ଦେଇଛନ୍ତି। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନିଜେ ବିଭାଗ ୱାରୀ ସମୀକ୍ଷା ଆରମ୍ଭ କରିବେ | ଏହି ସମୀକ୍ଷା ଆସନ୍ତା ୨ ତାରିଖରୁ ଆରମ୍ଭ ହେବ।

Also Read: ପେଟକୁ ଥଣ୍ଡା ରଖୁଥିବା ବେଲପଣା ପିଇବାକୁ ମୋଦୀଙ୍କ ପରାମର୍ଶ, ଗ୍ରୀଷ୍ମ ଋତୁରେ ଦେଶୀ ପାନୀୟର ମଜା ନିଅନ୍ତୁ..