ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶ କୋଟି କୋଟି ଚାଷୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାକୁ ଆଗାମୀ ପାଞ୍ଚ ବର୍ଷ ପାଇଁ ଅର୍ଥାତ୍ ୨୦୩୦-୩୧ ଯାଏ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନା ପାଇଁ ସରକାର ମୋଟ ୩.୧୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ । କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହାକୁ ମଞ୍ଜୁରି ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା କୋଟି କୋଟି ଯୋଗ୍ୟ ଚାଷୀମାନଙ୍କୁ ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ପ୍ରତିବର୍ଷ ୬,୦୦୦ ଟଙ୍କାର ଆର୍ଥିକ ସହାୟତା ମିଳିବା ଜାରି ରହିବ ।

ପିଏମ୍ କିଷାନ ଯୋଜନା କ'ଣ ?

ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏକ କୃଷକ କଲ୍ୟାଣ ଯୋଜନା । ଦେଶର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଏହାର ମୂଳ ଉଦ୍ଦେଶ୍ୟ । ଏହି ଯୋଜନା ଅଧୀନରେ ପ୍ରତିବର୍ଷ କୃଷକମାନଙ୍କୁ ୬୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଏ । ଏହି ରାଶି ୩ଟି ସମାନ କିସ୍ତିରେ ଅର୍ଥାତ୍ ପ୍ରତି ୪ ମାସ ବ୍ୟବଧାନରେ କୃଷକମାନଙ୍କ ଆକାଉଣ୍ଟରେ ଜମା କରାଯାଏ ।

ପିଏମ୍ କିଷାନ ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୩ଟି କିସ୍ତି ହସ୍ତାନ୍ତର କରାଯାଇସାରିଛି । ୨୩ତମ କିସ୍ତି ଅଧୀନରେ ୯.୪୯ କୋଟିରୁ ଅଧିକ କୃଷକ ଉପକୃତ ହୋଇଛନ୍ତି । ସରକାର ମୋଟ ଉପରେ ୧୮,୯୮୪ କୋଟି ଟଙ୍କାରୁ ଅଧିକ ରାଶି ପ୍ରଦାନ କରିସାରିଛନ୍ତି ।