ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ ଖୁସି ଖବର ମିଳିଛି । ପିଏମ୍ କିଷାନ ଯୋଜନା ଯୋଜନାର ଅଫିସିଆଲ୍ ଏକ୍ସ ଆକାଉଣ୍ଟରୁ ଆନୁଷ୍ଠାନିକ ତାରିଖ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୦ରେ ପିଏମ୍ କିଷାନ ଯୋଜନାର ୨୩ତମ କିସ୍ତି ଜାରି କରିବେ ।

ସରକାର କହିଛନ୍ତି ଯେ ଏହି ରାଶି ସିଧାସଳଖ ହିତାଧିକାରୀ ଚାଷୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯିବ । ଏହି ଟଙ୍କା ସେମାନଙ୍କର ଚାଷ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ । ଖରିଫ ଫସଲ ବୁଣା ସମୟରେ ଚାଷୀମାନଙ୍କ ପାଇଁ ଏହି ଆର୍ଥିକ ସହାୟତା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ହୁଗଲି ଜିଲ୍ଲାର ତାରକେଶ୍ୱରରୁ ୨୩ତମ କିସ୍ତି ଜାରି କରିବେ ।

ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୩ରେ ଆସାମର ଗୌହାଟୀରୁ ଯୋଜନାର ୨୨ତମ କିସ୍ତି ଜାରି କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଏହି ଯୋଜନା ଅଧୀନରେ, ଚାଷୀମାନଙ୍କୁ ତିନୋଟି କିସ୍ତିରେ ପ୍ରତିବର୍ଷ ୬,୦୦୦ ଆର୍ଥିକ ସହାୟତା ପ୍ରଦାନ କରାଯାଏ ।

 

ମଇ ୪ରେ, ସରକାର କହିଥିଲେ ଯେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୨ଟି କିସ୍ତିରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ୪.୨୮ ଲକ୍ଷ କୋଟି ଟଙ୍କାରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି ଯୋଜନାରେ ୨.୧୭ କୋଟିରୁ ଅଧିକ ମହିଳା ହିତାଧିକାରୀଙ୍କୁ ମଧ୍ୟ ଲାଭ ମିଳିଛି । ଏପର୍ଯ୍ୟନ୍ତ କେବଳ ମହିଳା ହିତାଧିକାରୀଙ୍କୁ ୧.୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ।