ବେଜିଂ : ଚୀନ୍ ରାଜଧାନୀ ବେଜିଂରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ଶୁକ୍ରବାର ଅପରାହ୍ନରେ ଏକ ଛୋଟ ବେ ସାମରିକ ବିମାନ ବେଜିଂର ସବୁଠୁ ଉଚ୍ଚ ବିଲ୍ଡିଂ ସିଆଇଟିଆଇସି ଟାୱାର (ଚାଇନା ଜୁନ) ସହ ଧକ୍କା ଲାଗିଛି। ଏହି ଧକ୍କା ଏତେ ଜୋରଦାର ଥିଲା ଯେ ବିଲ୍ଡିଂର ବାହ୍ୟ ଭାଗରେ ବ୍ୟାପକ କ୍ଷତି ହୋଇଛି ଓ ବିମାନଟି ଖଣ୍ଡ ଖଣ୍ଡ ହୋଇ ବିଲ୍ଡିଂ ସମ୍ମୁଖ ସଡ଼କରେ ପଡିଛି। ଏହି ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଦୁର୍ଘଟଣା ସୂଚନା ମିଳିବାମାତ୍ରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ସହ ସୁରକ୍ଷା ଦୃଷ୍ଟିରୁ ବିଲ୍ଡିଂକୁ ଖାଲି କରିଦେଇଛି। ଆଖପାଖ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି।

ପୋଲିସ, ଦମକଳ ଓ ଜରୁରିକାଳୀନ ସେବା ଟିମ୍ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିଲେ। ତେବେ ଅଧିକାରୀମାନେ ଏପର୍ଯ୍ୟନ୍ତ ବିମାନରେ ଥିବା ଲୋକ ଅଥବା କେହି ହତାହତ ହୋଇଥିବା ନେଇ ପୁଷ୍ଟି କରି ନାହାନ୍ତି। ତେବେ ଶୁକ୍ରବାରର ଏହି ଘଟଣା ଆମେରିକା ୯/୧୧ ୱାର୍ଲଡ ଟ୍ରେଡ ସେଣ୍ଟର ବିଲ୍ଡିଂ ଆକ୍ରମଣ ଘଟଣାର ସ୍ମୃତିକୁ ତାଜା କରି ଦେଇଛି। ପ୍ରାରମ୍ଭିକ ସୂଚନା ଅନୁସାରେ ସିଆଇଟିଆଇସି ବିଲ୍ଡିଂ ସହ ଧକ୍କା ଲାଗିଥିବା ବିମାନ ଏକ ଚୀନ ନିର୍ମିତ ବି-୧୨ ପିପି ହାଲୁକା ବେ ସାମରିକ ବିମାନ ଥିଲା। ଚୀନ୍ ଗଣମାଧ୍ୟମ ଓ ସୋସିଆଲ ମିଡିଆ ରିପୋର୍ଟ ଅନୁସାରେ ବିମାନରେ କେବଳ ଜଣେ ପାଇଲଟ ଥିଲେ।

ଏହି ବିମାନଟି ବେଜିଂର ସିଫୋସି ଏୟାରପୋର୍ଟରୁ ଉଡାଣ କରିଥିଲା। ଫ୍ଲାଇଟ୍ ଟ୍ରାକିଂ ଡାଟା ଅନୁସାରେ ବିମାନଟି ଉଡାଣ କରିବାର ୩୦ ମିନିଟ୍ ପରେ ସ୍ଥାନୀୟ ସମୟ ସନ୍ଧ୍ୟା ପାଖାପାଖି ୫ଟା ୪୦ ମିନିଟ୍ ରେ ଏୟାରପୋର୍ଟକୁ ଫେରିବାରଥିଲା। ହେଲେ ନିର୍ଦ୍ଧାରିତ ସମୟ ପୂର୍ବରୁ ନିଜ ଯାତ୍ରା ପଥ ଭୁଲିଯାଇଥିଲା ଓ ବେଜିଂ ଫିପଥ୍ ରିଂ ରୋଡ ନିକଟରେ ହୋଇଥିବା ବେଳେ ରାଡାର ସହ ସମ୍ପର୍କ ହରାଇଥିଲା। ଏହା ପରେ ବିମାନ ସହ ପୁଣି ଦ୍ୱିତୀୟବାର ସମ୍ପର୍କ ହୋଇ ପାରିନଥିଲା।

ବେଜିଂ ଭଳି ଏକ ଉଚ୍ଚ ସୁରକ୍ଷିତ ସହରରେ କୌଣସି ଛୋଟ ବିମାନ ରାସ୍ତା ଭୁଲି ସିଧା ସବୁଠୁ ଉଚ୍ଚ ବିଲ୍ଡିଂ ସହ ଧକ୍କା ଲାଗିବା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଡାଣ ବିଶେଷଜ୍ଞ ଓ ସୁରକ୍ଷା ଏଜେନ୍ସୀମାନେ ବିମାନର ବୈଷୟି ତ୍ରୁଟି ଯୋଗୁ ଅଥବା ମାନବୀୟ ଭୁଲ ପାଇଁ ଏହି ଦୁର୍ଘଟଣା ଘଟିଛି ତାର ତଦନ୍ତ କରୁଛନ୍ତି। ଏହାର ଏକ ଉଚ୍ଚସ୍ତରୀୟ ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ଏହା ପଛରେ କୌଣସି ପ୍ରକାରର ଆତଙ୍କବାଦୀ ଆକ୍ରମଣକୁ ଅସ୍ୱୀକାର କରାଯାଇଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସ୍ପଷ୍ଟ ଦେଖା ଯାଉଛି ଯେ ବିମାନଟି ଦ୍ରୁତ ବେଗରେ ବିଲ୍ଡିଂର ଉପରି ଭାଗରେ ମାଡ଼ ହେଉଛି। ଏହି ଧକ୍କା ଏତେ ଜୋରଦାର ଥିଲା ଯେ ସିଆଇଟିଆଇସି ଟାୱାରର ୨ଟି ବଡ଼ କାଚ ଝରକା ଭାଙ୍ଗିଯିବା ସହ ବିଲ୍ଡିଂର ବାହାର କାନ୍ଥ କଣା ହୋଇ ଯାଇଛି। ବେଜିଂର ଚୌୟାଙ୍ଗ ଜିଲ୍ଲା ସେଣ୍ଟ୍ରାଲ ବିଜନେସ୍ ଡିଷ୍ଟ୍ରିକ୍ଟ (ସିବିଡି) ଥିବା ଏହି ସିଆଇଟିଆଇସି ଟାୱାର ଚୀନ ର ତୃତୀୟ ସବୁଠୁ ବଡ଼ ବିଲ୍ଡିଂ। ସାଂଘାଇ ଟାୱାର ଓ ପିଙ୍ଗ ଏନ ଫାଇନାନ୍ସ ବିଲ୍ଡିଂ ପଛକୁ ଏହା ରହିଛି। ଏହି ବିଲ୍ଡିଂରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନୀଙ୍କ ବଡ଼ କାର୍ଯ୍ୟାଳୟ ରହିଛି।