ମୁମ୍ୱାଇ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ଏଫଆଇଆର୍ ରୁଜୁ କରିଛି । ବମ୍ବେ ହାଇକୋର୍ଟଙ୍କ ଆଦେଶ ପରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସବୁଠାରୁ ବଡ଼ କଥା ହେଉଛି ଯେ, ଏଫଆଇଆର୍‌ରେ ଉଦ୍ଧବ ଠାକରେ ଓ ଆଦିତ୍ୟ ଠାକରେଙ୍କ ସମେତ ଅନେକ ଜଣାଶୁଣା ବ୍ୟକ୍ତିଙ୍କ ନାମ ସାମିଲ ରହିଛି । ପ୍ରାୟ ଛଅ ବର୍ଷ ପୁରୁଣା ଏହି ମାମଲାର କେନ୍ଦ୍ରୀୟ ଏଜେନ୍ସି ଏବେ ନୂଆ ଭାବେ ତଦନ୍ତ କରିବ ।

ବମ୍ବେ ହାଇକୋର୍ଟଙ୍କ ଜଷ୍ଟିସ୍ ସାରଙ୍ଗ କୋଟୱାଲ୍ ଏବଂ ଜଷ୍ଟିସ୍ ରଣଜିତସିଂହ ରାଜା ଭୋଂସଲେଙ୍କ ଖଣ୍ଡପୀଠ ସେପ୍ଟେମ୍ବର ୨ରେ ଦିଶା ସାଲିଆନଙ୍କ ମୃତ୍ୟୁର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ସିବିଆଇକୁ ମାମଲାର ତଦନ୍ତ ପାଇଁ ଜଣେ ଅଭିଜ୍ଞ ଏବଂ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ଛାତରୁ ଖସିପଡ଼ି ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଥିଲା ।

୨୦୨୦ ଜୁନ ୮ରେ ଦିଶା ସାଲିଆନଙ୍କ ମୃତ୍ୟୁ

ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍ ୨୦୨୦ ଜୁନ ୮ରେ ମୁମ୍ବାଇର ମାଲାଡ୍ ଅଞ୍ଚଳସ୍ଥିତ ଏକ ଆବାସିକ ବିଲ୍ଡିଂର ୧୨ତମ ମହଲାରୁ ଖସିପଡ଼ିବା ପରେ ମୃତ୍ୟୁବରଣ କରିଥିଲେ । ମ୍ୟାନେଜରଙ୍କ ମୃତ୍ୟୁର ଗୋଟିଏ ସପ୍ତାହ ପରେ, ଜୁନ୍ ୧୪ରେ ସୁଶାନ୍ତ ସିଂହ ରାଜପୁତ ନିଜ ଆପାର୍ଟମେଣ୍ଟରେ ମୃତ ଅବସ୍ଥାରେ ମିଳିଥିଲେ । ଦୁଇଟିଯାକ ମୃତ୍ୟୁ ଘଟଣା ମଧ୍ୟରେ ସମ୍ଭାବ୍ୟ ସମ୍ପର୍କକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ।

ରାଜପୁତଙ୍କ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ହଟଚମଟ ମଧ୍ୟରେ ମହାରାଷ୍ଟ୍ର ସରକାର ଏହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏଜେନ୍ସି ପରବର୍ତ୍ତୀ ସମୟରେ 'କ୍ଲୋଜର ରିପୋର୍ଟ' ଦାଖଲ କରି ଏହାକୁ ଆତ୍ମହତ୍ୟା ବୋଲି ଦର୍ଶାଇଥିଲା । ଅନ୍ୟପଟେ, ମୁମ୍ବାଇ ପୋଲିସ୍ ଦିଶା ସାଲିଆନ୍ ମାମଲାକୁ ଦୁର୍ଘଟଣାଜନିତ ମୃତ୍ୟୁ ମାନି ଏଡିଆର ରୁଜୁ କରିଥିଲା । ହାଇକୋର୍ଟ ଏହା ଉପରେ ପ୍ରଶ୍ନ ଉଠାଇ ମାମଲାର ତଦନ୍ତ ଏବେ ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏଫଆଇଆର୍ ରୁଜୁ ନକରିବାକୁ ନେଇ ମୁମ୍ବାଇ ପୋଲିସକୁ ଭର୍ତ୍ସନା

କୋର୍ଟ ଏହା ସହିତ ତଦନ୍ତରେ ଅବହେଳା ପାଇଁ ମୁମ୍ବାଇ ପୋଲିସକୁ ଭର୍ତ୍ସନା କରିଥିଲେ । କୋର୍ଟ ଛଅ ବର୍ଷ ଧରି ମାମଲାକୁ କେବଳ ଦୁର୍ଘଟଣାଜନିତ ମୃତ୍ୟୁ ଭାବେ ଦେଖିବା ଏବଂ ଏଫଆଇଆର୍ ରୁଜୁ ନକରିବାକୁ ନେଇ ପୋଲିସର ସମାଲୋଚନା କରିଥିଲେ ଏବଂ ତଦନ୍ତରେ 'ସ୍ପଷ୍ଟ ଅସଙ୍ଗତି' ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ଦିଶା ସାଲିଆନ୍ ମାମଲାରେ ଏଫଆଇଆର୍ ରୁଜୁ ହେବା ପରେ ଏବେ ସିବିଆଇ ସମ୍ପୂର୍ଣ୍ଣ ଘଟଣାବଳୀର ନୂଆ ଭାବେ ତଦନ୍ତ କରିବ ।

ସାଲିଆନଙ୍କ ପିତା ହାଇକୋର୍ଟରେ ଆବେଦନ କରି ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅ ସହ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଛି ଏବଂ ସିବିଆଇ ତଦନ୍ତ ଦାବି କରିଥିଲେ । ସେ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେଙ୍କ ବିରୋଧରେ ମଧ୍ୟ ଏଫଆଇଆର୍ ଦାବି କରିଥିଲେ । 

ସିବିଆଇ FIRରେ କାହା କାହା ନାମ ସାମିଲ ?

ସିବିଆଇ ପକ୍ଷରୁ ରୁଜୁ କରାଯାଇଥିବା ଏଫଆଇଆରରେ ଯେଉଁମାନଙ୍କ ନାମ ସାମିଲ ଅଛି, ସେଥିରେ ଶିବସେନା (ୟୁବିଟି) ପ୍ରମୁଖ ଉଦ୍ଧବ ଠାକରେ, ତାଙ୍କ ପୁଅ ଆଦିତ୍ୟ ଠାକରେ, ରୋହନ ରୋୟ, ଡିନୋ ମୋରିଆ, ସୂରଜ ପାଞ୍ଚୋଲି, ଆଦିତ୍ୟ ଠାକରେଙ୍କ ବଡିଗାର୍ଡ, ରିୟା ଚକ୍ରବର୍ତ୍ତୀ, ଶୋଭିକ ଚକ୍ରବର୍ତ୍ତୀ, ସଚିନ ୱାଜେ, ପରମବୀର ସିଂହ, ଡିସିପି ବିଶାଳ ଠାକୁର, ଅନିଲ ଦେଶମୁଖ, ଏପିଆଇ ଅଶୋକ ଦେବଧେ, ପିଆଇ ଜଗଦେବ କଲାପଦଙ୍କ ସମେତ ଅନେକ ନାମ ରହିଛି।

ଏହା ବ୍ୟତୀତ, ମାଲୱାଣୀ ପୋଲିସ ଷ୍ଟେସନର ସମ୍ପୃକ୍ତ ଅଧିକାରୀ, ପୋଷ୍ଟମୋର୍ଟମରେ ବିଳମ୍ବ ପାଇଁ ଦାୟୀ ଡାକ୍ତର ଓ ଷ୍ଟାଫ୍, ରିଜେଣ୍ଟ ଗାଲାକ୍ସି ବିଲ୍ଡିଂର ସିକ୍ୟୁରିଟି ଗାର୍ଡ ଏବଂ ଏସଆଇଟିର ବରିଷ୍ଠ ସଦସ୍ୟ (ଯେଉଁଥିରେ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ଅଛନ୍ତି) । ଏହି ସମସ୍ତଙ୍କ ବିରୋଧରେ ମାମଲାକୁ ଚାପିଦେବାକୁ ଚେଷ୍ଟା କରିବା ଏବଂ ସରକାରୀ ରେକର୍ଡରେ ହେରଫେର କରିବା ଅଭିଯୋଗ ଲାଗିଛି ।