ଭୁବନେଶ୍ୱର ୧୨।୦୧ : କୋର୍ଟରେ ହାଜର ହେଲେ ପୀୟୁଷ । ଭୁବନେଶ୍ୱର ସିଭିଲ କୋର୍ଟରେ ହଜାର ହେଲେ ପୀୟୁଷ ତ୍ରିପାଠୀ । ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ପରେ ଜାନୁଆରୀ ୧୨ ତାରିଖ ମାନେ ସୋମବାର ଦିନ କୋର୍ଟରେ ହାଜର ହୋଇଛନ୍ତି ।

ଯାତ୍ରାରୁ ବିଶ୍ରାମ ନେଇଥିବା ଜଲିଉଡ୍ ସୁପରଷ୍ଟାର ପୀୟୁଷ ତ୍ରିପାଠୀ ନୂଆବର୍ଷରେ ମଞ୍ଚ ଚଢିଥିଲେ। ଜାନୁଆରୀ ୫ ତାରିଖରେ ଯାତ୍ରା ସିଂହବାହିନୀର ନାଟକ ‘ତୁ ମୋ ବଜରଙ୍ଗୀ’ ଜରିଆରେ ଏଣ୍ଟ୍ରି କରିଥିଲେ। ଏହି ନାଟକ ଏବଂ ପୀୟୂଷଙ୍କ ଅଭିନୟ ଦେଖିବାକୁ ହଜାର ହଜାର ଦର୍ଶକ ଅନଲାଇନରେ ଆଗୁଆ ଟିକଟ୍ ବୁକ୍ କରିଥିଲେ। ଚଣ୍ଡିଖୋଲରେ ନାଟକଟି ମଞ୍ଚସ୍ଥ ହୋଇଥିଲା ବେଳେ କଟକର ଟାଙ୍ଗୀରେ ନାଟକ ମଞ୍ଚାୟନ ହୋଇଥାନ୍ତା । ହେଲେ ନୂଆବର୍ଷରୁ ପୀୟୂଷ ମଞ୍ଚ ଚଢିବାକୁ ନେଇ ଅପେରା ସୂର୍ଯ୍ୟମନ୍ଦିର ଓ ଯାତ୍ରା ସିଂହବାହିନୀ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି। କଳି କୋର୍ଟରେ ପହଞ୍ଚିଥିଲା ବେଳେ ଯାତ୍ରାର ଝମେଲା ଆହୁରି ବଢ଼ିଯାଇଛି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପୀୟୂଷ ମଞ୍ଚକୁ ଚଢ଼ିପାରିବେନି ବୋଲି ଭୁବନେଶ୍ୱର ସିଭିଲ ଜଜ୍ ନିର୍ଦ୍ଦେଶ ଦେଇଥିଲେ। ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ କରିବା ମାମଲାରେ ଅଦାଲତ ଏହି ରୋକ୍ ଲଗାଇଥିଲେ । ଏହା ସହ ଆଗାମୀ ଶୁଣାଣି ତାରିଖ ମାନେ ଜାନୁଆରୀ ୧୨ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ବି ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ପୀୟୁଷ ୧୨ ତାରିଖ ମାନେ ସୋମବାର ଦିନ ଭୁବନେଶ୍ୱର ସିଭିଲ ଜଜଙ୍କ କୋର୍ଟରେ ହାଜର ହୋଇଛନ୍ତି । ନିଜ ଆଇନଜୀବୀଙ୍କ ଜରିଆରେ ନିଜ ପକ୍ଷ ରଖିଛନ୍ତି ପୀୟୁଷ ତ୍ରିପାଠୀ । ଏହାସହ ସିଂହବାହିନୀ ପାର୍ଟି ମାଲିକ ସଞ୍ଜୀବ ପାଢୀଙ୍କୁ ମଧ୍ୟ ହାଜର ହେବା ପାଇଁ ନୋଟିସ ହୋଇଥିଲା । ସଞ୍ଜୀବ ପାଢୀ କୋର୍ଟରେ ହାଜର ହୋଇଥିବା ସୂଚନା ମିଳିଛି ।