• ପ୍ରସିଦ୍ଧ ମ୍ୟାଡିସନ ସ୍କୋୟାର ଗାର୍ଡନରେ ୫ ହଜାର ଲୋକଙ୍କ ସଭାକୁ ସମ୍ବୋଧିତ କରିବେ ମୋହନ ଭାଗବତ
  • ଆରଏସଏସର ଶତାବ୍ଦୀ ବର୍ଷ ଉପଲକ୍ଷେ ବୈଶ୍ୱିକ ଲୋକସମ୍ପର୍କ କାର୍ଯ୍ୟକ୍ରମରେ ଭାଗବତ ଆମେରିକା ପହଞ୍ଚିଛନ୍ତି
  • ନ୍ୟୁୟର୍କ ସିଟି ମେୟର ଜୋହରାନ ମମଦାନୀ ପ୍ରସ୍ତାବିତ ଆରଏସଏସ ମୁଖ୍ୟଙ୍କ କାର୍ଯ୍ୟକ୍ରମକୁ ସମର୍ଥନ କରନ୍ତିନି କହିଛନ୍ତି

ନ୍ୟୁୟର୍କ: ଆମେରିକା ନ୍ୟୁୟର୍କର ମ୍ୟାଡିସନ ସ୍କୋୟାର ଗାର୍ଡନରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବା ପୂର୍ବରୁ ଟାଇମସ୍କୋୟାରର ମଝାମଝିରେ ଲାଗିଥିବା ହୋର୍ଡିଂରେ ତାଙ୍କ ଛବି ପ୍ରଦର୍ଶିତ ହୋଇଛି। ଆରଏସଏସର ଶତାବ୍ଦୀ ବର୍ଷ ଉପଲକ୍ଷେ ବୈଶ୍ୱିକ ଲୋକସମ୍ପର୍କ କାର୍ଯ୍ୟକ୍ରମରେ ଭାଗବତ ମଙ୍ଗଳବାର ଆମେରିକା ପହଞ୍ଚିଥିଲେ। ସେ ଶନିବାର ପ୍ରସିଦ୍ଧ ମ୍ୟାଡିସନ ସ୍କୋୟାର ଗାର୍ଡନରେ ୫ ହଜାର ଲୋକଙ୍କ ସଭାକୁ ସମ୍ବୋଧିତ କରିବେ।

‘ୟୁନିଭର୍ସାଲ ୱାନନେସ୍ ସେଲିବ୍ରେସନ’ ନାମକ ଏହି କାର୍ଯ୍ୟକ୍ରମର ଆୟୋଜନ ‘ଆମେରିକାନ ହିନ୍ଦୁଜ ଫର ଏନଗେଜମେଣ୍ଟ ଆଣ୍ଡ ଡାୟଲଗ’ (ଏଏଚଇଏଡି) କରିଛନ୍ତି। ସଙ୍ଗଠନ ଏହି କାର୍ଯ୍ୟକ୍ରମକୁ ‘ଐତିହାସିକ ରକ୍ଷାବନ୍ଧନ ସମାରୋହ’ ବୋଲି କହିଛି। ଆୟୋଜକ କହିଛନ୍ତି ଯେ ସାଂସ୍କୃତିକ ପ୍ରସ୍ତୁତି ଓ ମୁଖ୍ୟବକ୍ତାଙ୍କ ଦ୍ୱାରା ସମ୍ବୋଧନ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସାର୍ବଭୌମ ଏକତା ବିଷୟ ଓ ହିନ୍ଦୁ ଦର୍ଶନ ‘ବସୁଧୈବ କୁଟୁମ୍ବକମ’ ଅର୍ଥାତ ସାରା ବିଶ୍ୱ ଏକ ପରିବାର ଉପରେ ବିଚାର କରାଯିବ। ଏହି କାର୍ଯ୍ୟକ୍ରମ ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ଟାଇମ ସ୍କୋୟାର ମୁଖ୍ୟ ହୋର୍ଡିଂରେ ଭାଗବତଙ୍କ ଛବି ସହିତ ‘ସଂକଳ୍ପ, ସଦଭାବ ଓ ସଂବାଦ’ ଶୀର୍ଷକ ପ୍ରଦର୍ଶିତ ହୋଇଥିଲା।

ଭାଗବତଙ୍କ ଛବି ହୋର୍ଡିଂରେ ପ୍ରଦର୍ଶିତ ହେବା କାଳରେ ଭାରତୀୟ-ଆମେରିକୀୟ ସମୂଦାୟର ଅନେକ ସଦସ୍ୟ ଟାଇମ ସ୍କୋୟାରରେ ହୋର୍ଡିଂସହ ନିଜର ସେଲଫି ନେଇଛନ୍ତି। ତେବେ ମ୍ୟାଡିସନ ସ୍କୋୟାର ଗାର୍ଡନରେ ଭାଗବତଙ୍କ ପ୍ରସ୍ତାବିତ କାର୍ଯ୍ୟକ୍ରମକୁ ବିଭିନ୍ନ ନାଗରିକ ଅଧିକାର ସଙ୍ଗଠନ ନାପସନ୍ଦ କରିଛନ୍ତି ଓ ସମାଲୋଚନା ବି କରିଛନ୍ତି। ନ୍ୟୁୟର୍କ ସିଟି ମେୟର ଜୋହରାନ ମମଦାନୀ କହିଛନ୍ତି ଯେ ସେ ମ୍ୟାଡିସନ ସ୍କୋୟାର ଗାର୍ଡନରେ ପ୍ରସ୍ତାବିତ ଆରଏସଏସ ମୁଖ୍ୟଙ୍କ କାର୍ଯ୍ୟକ୍ରମକୁ ସମର୍ଥନ କରନ୍ତି ନାହିଁ।

ମମଦାନୀ କହିଛନ୍ତି ଯେ ଏହି ‘ବ୍ୟକ୍ତିଗତ’ କାର୍ଯ୍ୟକ୍ରମକୁ ରଦ୍ଦ କରିବାର ଅଧିକାର କ୍ଷେତ୍ର ସହର ନିକଟରେ ନାହିଁ। ଆମେରିକାରେ ଭାଗବତ ଭାରତୀୟ ପ୍ରବାସୀ ସମୂଦାୟଙ୍କ ସଦସ୍ୟ, ଭାରତୀୟ-ଆମେରିକୀୟ ବ୍ୟବସାୟୀ ଓ ସାମୂଦାୟିକ ନେତାଙ୍କ ସହ ବୈଠକ କରିଛନ୍ତି। ଆରଏସଏସ ମୁଖ୍ୟ ନ୍ୟୁୟର୍କରେ ଥିବା ଭକ୍ତି କେନ୍ଦ୍ର ପରିଦର୍ଶନ କରିଛନ୍ତି ଓ ଭାରତୀୟ ଆଧ୍ୟାତ୍ମିକ ଗୁରୁ ଶ୍ରୀଲ ଏ.ସି.ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଯିଏ ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନସିୟସନେସ୍ (ଇସ୍କନ)ର ସଂସ୍ଥାପକ ଥିଲେ।