ନୂଆଦିଲ୍ଲୀ: ମଧ୍ୟାପ୍ରାଚ୍ୟ ଯୁଦ୍ଧ ଏବଂ ତେଲ କମ୍ପାନିଗୁଡ଼ିକର କ୍ଷତି ହ୍ରାସ କରିବା ପାଇଁ ଦେଶରେ ପେଟ୍ରୋଲ-ଡିଜେଲ୍ ମୂଲ୍ୟ ବୃଦ୍ଧି ହୋଇଥିଲା । ଏହାରି ଭିତରେ ଯୁଦ୍ଧ ସ୍ଥିତି ଟଳିଛି, ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗ ହର୍ମୁଜ ମଧ୍ୟ ଖୋଲିଛି । ଏବେ ତେଲ ଦର କମିବା ନେଇ ଦେଶବାସୀଙ୍କ ମଧ୍ୟରେ ଏକ ଆଲୋଚନା ଆରମ୍ଭ ହୋଇଛି । ଏସବୁ ଭିତରେ ଜେପି ମୋର୍ଗାନର ଏକ ରିପୋର୍ଟ ଏହି ଆଶାକୁ ବଳ ଦେଇଛି । ରିପୋର୍ଟ ଅନୁସାରେ, ସରକାରୀ ତେଲ ମାର୍କେଟିଂ କମ୍ପାନିଗୁଡ଼ିକ (OMCs)ର ଲାଭ କ୍ଷମତା ବୃଦ୍ଧି ପାଇବ । ଅଶୋଧିତ ତୈଳ ମୂଲ୍ୟ ହ୍ରାସରୁ ଫୁଏଲ୍ ମାର୍କେଟିଂ ମାର୍ଜିନ ବଢ଼ୁଛି । କିନ୍ତୁ ବର୍ଦ୍ଧିତ ଋଣ ଏବଂ ଫଏଲ୍ ଟ୍ଯାକ୍ସକୁ ନେଇ ଅନିଶ୍ଚିତତା ଏହି ସେକ୍ଟରରେ ଦୀର୍ଘକାଳୀନ ଆୟର ସମ୍ଭାବନାକୁ ସୀମିତ କରିପାରେ ।

ଫୁଏଲ୍ ମାର୍କେଟିଂ ମାର୍ଜିନ କ'ଣ ?

ତୈଳ କମ୍ପାନିଗୁଡ଼ିକ ଅଶୋଧିତ ତେଲ କ୍ରୟ କରୁଥିବା ମୂଲ୍ୟ ଏବଂ ପ୍ରକ୍ରିୟାକରଣ ପରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରି କରୁଥିବା ମୂଲ୍ୟ ମଧ୍ୟରେ ଥିବା ପାର୍ଥକ୍ୟକୁ ମାର୍କେଟିଂ ମାର୍ଜିନ୍ କୁହାଯାଏ । ବ୍ରୋକେଜ୍ ଫାର୍ମର ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ତୈଳ କମ୍ପାନିଗୁଡ଼ିକର ପେଟ୍ରୋଲ ଏବଂ ଡିଜେଲ ଉପରେ ମାର୍କେଟିଂ ମାର୍ଜିନ୍ ପୁଣି ଥରେ ବୃଦ୍ଧି ପାଇଛି । ରିପୋର୍ଟରେ କୁହାଯାଇଛି ଯେ ପଶ୍ଚିମ ଏସୀୟ ଉତ୍ତେଜନା ସମୟରେ ଉପୁଜିଥିବା ଚାପ ଏବେ ଯଥେଷ୍ଟ ହ୍ରାସ ପାଇଛି । ତୈଳ କମ୍ପାନିଗୁଡ଼ିକର ମାର୍ଜିନ୍ ଏବେ ଯୁଦ୍ଧ ପୂର୍ବ ସ୍ତରକୁ ଫେରିଛି । ଏହାର ଅର୍ଥ ହେଉଛି କମ୍ପାନିଗୁଡ଼ିକ ତେଲ ବିକ୍ରୟ କରି ଭଲ ଲାଭ ଅର୍ଜନ କରୁଛନ୍ତି ।

ରିପୋର୍ଟରେ କୁହାଯାଇଛି ଯେ, ସରକାରୀ ରିଫାଇନାରୀ ଏବଂ ଫୁଏଲ୍ ରିଟେଲର୍ସମାନଙ୍କର ପେଟ୍ରୋଲ ଏବଂ ଡିଜେଲ ବିକ୍ରି ଉପରେ ମିଳିତ ମାର୍ଜିନ୍ ଏବେ ମଧ୍ୟ ପ୍ରାଚ୍ୟ ସଂଘର୍ଷ ପୂର୍ବର ସ୍ତରଠାରୁ ଉପରେ ରହିଛି । ଅଶୋଧିତ ତେଲର କମ୍ ଦାମ ଏବଂ କମ୍ ସେଣ୍ଟ୍ରାଲ ଏକ୍ସାଇଜ୍ ଡ୍ୟୁଟି ଯୋଗୁଁ ଏହି ବୃଦ୍ଧି ଘଟିଛି । ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବା ପରେ ଗ୍ଲୋବାଲ ମାର୍କେଟରେ ତେଲ ଦର ବଢ଼ିଥିଲା, କିନ୍ତୁ ଭାରତରେ ରିଟେଲ ପମ୍ପ ରେଟ୍ ବହୁ ପରିମାଣରେ ସ୍ଥିର ରହିଥିଲା । ମେ’ ମାସରେ ପେଟ୍ରୋଲ ଏବଂ ଡିଜେଲ ଦରରେ ଲିଟର ପିଛା ୭.୫୦ ଟଙ୍କା ବୃଦ୍ଧି ପାଇବା ପରେ ମଧ୍ୟ, ରିଟେଲ୍ ପମ୍ପ ରେଟ୍ ଉତ୍ପାଦନ ଖର୍ଚ୍ଚ ଠାରୁ କମ୍ ଥିଲା ।

ଏଲପିଜି ଉପରେ ଏବେ ବି ଅଧିକ କ୍ଷତି

ଜେପି ମୋର୍ଗାନ କହିଛି ଯେ ଏଲପିଜି ଉପରେ କ୍ଷତି ଏବେ ବି ଅଧିକ ରହିଛି, କିନ୍ତୁ ତେଲ ଦର ହ୍ରାସ ପାଇବା ସହ ଏଥିରେ ମଧ୍ୟ ଶୀଘ୍ର ହ୍ରାସ ଘଟିବ । ଏହାସହ କୁହାଯାଇଛି ଯେ, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଆୟ ଉପରେ ଅଧିକ ଇନଭେଣ୍ଟ୍ରି କ୍ଷତିର ପ୍ରଭାବ ପଡ଼ିପାରେ, କିନ୍ତୁ ଦ୍ୱିତୀୟ ତ୍ରୈମାସିକରେ ଲାଭ ଭଲ ହେବ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ମାର୍ଜିନରେ ହେଉଥିବା ଏହି ସୁଧାର ଉତ୍ସାହକୁ ଦୁଇଟି କଥା ସୀମିତ କରୁଛି । ପ୍ରଥମ ଗତ କିଛି ମାସ ମଧ୍ୟରେ ଓଏମସିଗୁଡ଼ିକ ଉପରେ ବହୁତ ଋଣ ବଢ଼ିଛି – ଯାହା ଭାଲ୍ୟୁଏସନ୍ ଉପରେ ପ୍ରଭାବ ପକାଇଛି । ଦ୍ୱିତୀୟରେ ଲାଭ ଫେରିପାଇବାର ଏକ ବଡ଼ ଅଂଶ ଏକ୍ସାଇଜ୍ ଡ୍ୟୁଟି କାଟ୍ ଯୋଗୁଁ ହୋଇଛି । ସମ୍ଭବତଃ ସରକାର କିଛି ସମୟ ପାଇଁ ଟ୍ୟାକ୍ସ କମ୍ ରଖିବେ, ଯାହାଦ୍ୱାରା ଓଏମସି ନିଜର ଋଣ ପରିଶୋଧ କରିପାରିବ । ତେବେ ଭବିଷ୍ୟତରେ ଏକ୍ସାଇଜ୍ ଡ୍ୟୁଟି ବଢ଼ିବାର ଆଶଙ୍କା ମଧ୍ୟ ରହିଛି । ସରକାର ରିଟେଲ୍ ଦରରେ ତୁରନ୍ତ ବୃଦ୍ଧିକୁ ଏଡ଼ାଇବା ପାଇଁ ମାର୍ଚ୍ଚ ମାସରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୧୦ ଟଙ୍କା କମ କରିଥିଲେ । ଗ୍ଲୋବାଲ ମାର୍କେଟରେ ତେଲ ଦର ଯୁଦ୍ଧ ପୂର୍ବ ସ୍ତରକୁ ଆସି ସ୍ଥିର ହୋଇଯିବ, ସେତେବେଳେ ଏହି ଡ୍ୟୁଟିକୁ ପୁଣି ବଢ଼ାଯାଇପାରେ ।

ପେଟ୍ରୋଲ ଏବଂ ଡିଜେଲ ଉପରେ ମାର୍ଜିନ୍ ବଢ଼ିଲା

ତିନୋଟି ସରକାରୀ ଓଏମସି BPCL, IOC ଏବଂ HPCL ମଧ୍ୟରୁ, ଯଦି ତେଲ ଦର ଏମିତି କମ୍ ରୁହେ ତେବେ ଆଗାମୀ ଦିନରେ BPCL ଏବଂ IOC ସବୁଠାରୁ ଅଧିକ ଲାଭବାନ ହେବେ ବୋଲି ଆଶା କରାଯାଉଛି । ବ୍ରୋକରେଜ୍ର ଆକଳନ ଅନୁସାରେ, ବିପିସିଏଲ୍ ଏବଂ ଆଇଓସିଏଲ୍ ପାଇଁ ପେଟ୍ରୋଲ ଓ ଡିଜେଲର ବର୍ତ୍ତମାନର ମିଳିତ ମାର୍ଜିନ୍ ଯୁଦ୍ଧ ପୂର୍ବ ସ୍ତରଠାରୁ ଅଧିକ ଅଛି । ଅନ୍ୟପଟେ ଏଚ୍ପିସିଏଲ୍ର ମାର୍ଜିନ୍ ପ୍ରାୟତଃ ପୂର୍ବ ସ୍ତରକୁ ଫେରିଆସିଛି କିମ୍ବା ତା’ଠାରୁ ଅଧିକ ହୋଇଛି । ଏହି ସୁଧାର ଭଲ କମ୍ବାଇଣ୍ଡ ରିଫାଇନିଂ ଏବଂ ମାର୍କେଟିଂ ଇକୋନୋମିକ୍ସକୁ ଦର୍ଶାଉଛି ।

ସରକାରଙ୍କ ରାଜସ୍ୱ କ୍ଷତି

ଇନ୍ଧନ ମାର୍ଜିନରେ ସୁଧାର ଆସିବାର ମୁଖ୍ୟ କାରଣ ହେଉଛି ସରକାରଙ୍କ ଏକ୍ସାଇଜ୍ ଡ୍ୟୁଟି କମ୍ ରଖିବା ନିଷ୍ପତ୍ତି । ଏହାଦ୍ୱାରା ରିଟେଲ ଦରର ଏକ ବଡ଼ ଅଂଶ ଓଏମସିଗୁଡ଼ିକୁ ମିଳିପାରିଛି। ଆନାଲିଷ୍ଟମାନଙ୍କ ଆକଳନ ଅନୁସାରେ, ଏକ୍ସାଇଜ୍ ଡ୍ୟୁଟି କାଟ୍ ଯୋଗୁଁ ସରକାରଙ୍କୁ ବାର୍ଷିକ ପ୍ରାୟ ୧.୮ ଲକ୍ଷ କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡ଼ିଛି । ତେଣୁ ଏହା ବର୍ତ୍ତମାନର ଲାଭ ସ୍ତର ବଜାୟ ରହିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଶେଷଜ୍ଞଙ୍କ କହିବା ଅନୁସାରେ, ସରକାର ଓଏମସିଗୁଡ଼ିକୁ କିଛି ସମୟ ପାଇଁ ଅଧିକ ମାର୍ଜିନ୍ ରଖିବାକୁ ଅନୁମତି ଦେଇପାରନ୍ତି, ଯାହାଦ୍ୱାରା ସେମାନଙ୍କର ପୂର୍ବ କ୍ଷତି ପାଇଁ ବଢିଥିବା ଋଣ ସୁଝିବାରେ ସାହାଯ୍ୟ ମିଳିବ। ତେବେ, ଆଗାମୀ ଦୁଇଟି ଆର୍ଥିକ ବର୍ଷରେ ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ, ତେଣୁ ପୁଣି ଥରେ ଟ୍ୟାକ୍ସ ବଢ଼ାଇବା ପାଇଁ ଚାପ ସୃଷ୍ଟି ହୋଇପାରେ।