କୋଲକାତା: ଆଇପିଏଲ୍ ୨୦୨୬ର ୬୦ତମ ମ୍ୟାଚରେ ହୋଇଥିବା ହାଇସ୍କୋରିଂ ମୁକାବିଲାରେ ଜିତିଲା କୋଲକାତା ନାଇଟ୍ ରାଇଡର୍ସ। ଗୁଜରାଟ ଟାଇଟନ୍ସର ବିଜୟ ରଥ ଉପରେ ବ୍ରେକ ଲଗାଇଲା କୋଲକାତା। ୨୯ ରନରେ ମ୍ୟାଚକୁ ଜିତି ପ୍ଲେ ଅଫ୍ ଆଶା ଉଜ୍ଜିବୀତ ରଖିଛି କୋଲକାତା। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଫିନ ଆଲେନଙ୍କ ୯୩ ରନ, ରଘୁବଂଶୀଙ୍କ ଅପରାଜିତ ୮୨ ରନ ଏବଂ କ୍ୟାମେରୁନ ଗ୍ରୀନଙ୍କ ଅପରାଜିତ ୫୨ ରନ ବଳରେ ୨ ଓ୍ଵିକେଟ୍ ହରାଇ ୨୪୭ ରନ କରିଥିଲା। ଜବାବରେ ଗୁଜରାଟ ଶେଷ ପର୍ଯ୍ୟନ୍ତ ଲଢି ୪ ଓ୍ଵିକେଟ୍ ହରାଇ ୨୧୮ ରନ କରି ପାରିଛି। ଅଧିନାୟକ ଶୁଭମନ ଗିଲ୍ ୮୫ ରନ, ସାଇ ସୁଦର୍ଶନ ୫୩ ରନ ଓ ଜୋସ ବଟଲର ୫୭ ରନ କରିଥିଲେ ହେଁ ଦଳକୁ ଜିତାଇ ପାରି ନାହାନ୍ତି।

KKR 

ଓପନିଂ କରିବାକୁ ଆସିଥିବା ଫିନ୍ ଆଲେନ ମୈଦାନର ଚାରିଆଡ଼କୁ ଚୌକା ଓ ଛକା ବର୍ଷା କରି ଗୁଜରାଟର ବୋଲରଙ୍କ ଧୁଲେଇ କରିଥିଲେ। ସେ ମାତ୍ର ୩୫ଟି ବଲ୍ ଖେଳି ୧୦ଟି ଛକା ଓ ୪ଟି ଚୌକା ସହାୟତାରେ ୯୩ ରନ୍‌ର ଏକ ସ୍ମରଣୀୟ ପାଳି ଖେଳିଥିଲେ। କେବଳ ୭ ରନ୍ ପାଇଁ ସେ କେକେଆର୍ ଇତିହାସର ସବୁଠାରୁ ଦ୍ରୁତତମ ଶତକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ। ତେବେ KKR ପାଇଁ ସବୁଠାରୁ ଦ୍ରୁତ ଶତକ (୪୭ ବଲ୍‌) ମାରିବାର ରେକର୍ଡ ଏବେ ବି ଆଲେନଙ୍କ ନାମରେ ହିଁ ରହିଛି।​​​​​​​

୨୨ଟି ଛକା ମାରି ଇତିହାସ ରଚିଲା କୋଲକାତା

ଏହି ମ୍ୟାଚ୍‌ରେ କୋଲକାତାର ବ୍ୟାଟରମାନେ ମୋଟ ୨୨ଟି ଛକା ଏବଂ ୧୨ଟି ଚୌକା ମାରିଛନ୍ତି। ଅର୍ଥାତ୍ ଦଳ ପକ୍ଷରୁ ସଂଗୃହିତ ୨୪୭ ରନ୍ ମଧ୍ୟରୁ କେବଳ ବାଉଣ୍ଡ୍ରିରୁ ହିଁ ୧୮୦ ରନ୍ ଆସିଛି। ଗୋଟିଏ ପାଳିରେ ୨୨ଟି ଛକା ମାରି କୋଲକାତା ଦଳ ଏକ ଐତିହାସିକ କୀର୍ତ୍ତିମାନ ସ୍ଥାପନ କରିଛି। ଆଇପିଏଲ୍‌ର ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବା ତାଲିକାରେ ଦଳ ଏବେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ଏହା ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ଦୁଇଟି ମ୍ୟାଚ୍‌ରେ ୨୨ଟି ଛକା ଲେଖାଏଁ ମାରିଥିଲା। ଏହି ତାଲିକାର ପ୍ରଥମ ସ୍ଥାନରେ ପଞ୍ଜାବ କିଙ୍ଗସ ରହିଛି, ଯିଏ ଗୋଟିଏ ଇନିଂସରେ ୨୪ଟି ଛକା ମାରିବାର ରେକର୍ଡ କରିଛି। ୨୪୭ ରନ୍ ଆଇପିଏଲ୍ ଇତିହାସରେ KKR ର ତୃତୀୟ ସର୍ବାଧିକ ସ୍କୋର ହୋଇଥିବା ବେଳେ ଚଳିତ ଆଇପିଏଲ୍ ୨୦୨୬ ସିଜିନ୍‌ରେ ଏହା ଦଳର ସବୁଠୁ ବଡ଼ ସ୍କୋର।

ମୈଦାନରେ କମାଲ କଲେ ଗ୍ରୀନ ଓ ରଘୁବଂଶୀ

ଫିନ୍ ଆଲେନ ଯେତେବେଳେ ଆଉଟ୍ ହୋଇଥିଲେ, ସେତେବେଳକୁ କୋଲକାତା ୧୧.୨ ଓଭରରେ ୨ ୱିକେଟ୍ ହରାଇ ୧୩୯ ରନ୍ କରିସାରିଥିଲା। ଏହାପରେ ମଇଦାନକୁ ଓହ୍ଲାଇଥିଲେ କ୍ୟାମେରନ ଗ୍ରୀନ ଏବଂ ଅଙ୍ଗକ୍ରିଶ ରଘୁବଂଶୀ। ଦୁହେଁ ରନ୍ ଗତିକୁ ଆଦୌ କମିବାକୁ ଦେଇ ନଥିଲେ ଏବଂ ଗୁଜରାଟ ବୋଲରଙ୍କୁ ନିର୍ଧୁମ ଛେଚିଥିଲେ। ରଘୁବଂଶୀ ଓ ଗ୍ରୀନ ମିଶି ମାତ୍ର ୫୨ଟି ବଲ୍‌ରେ ୧୦୮ ରନ୍‌ର ଏକ ଅପରାଜିତ ଭାଗିଦାରୀ ଗଢ଼ିଥିଲେ। ଏଥିରେ ଗ୍ରୀନ ୨୮ ବଲ୍‌ରୁ ୫୨ ରନ୍ କରିଥିବା ବେଳେ ରଘୁବଂଶୀ ୪୪ ବଲ୍‌ରୁ ୮୨ ରନ୍‌ର ବିସ୍ଫୋରକ ପାଳି ଖେଳି ଦଳୀୟ ସ୍କୋରକୁ ୨୪୭ରେ ପହଞ୍ଚାଇଛନ୍ତି।