ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସୀମା ପୁନଃନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷର ବିଲକୁ ନେଇ ଆହ୍ୱାନ ଦେଇଥିଲେ । ଏହାର ମାତ୍ର କିଛି ଘଣ୍ଟା ପରେ, delimitation ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ବିଧାନସଭା ଓ ଲୋକସଭାରେ ମହିଳା ସଂରକ୍ଷଣକୁ ରାହୁଲ ଗାନ୍ଧୀ ଅଟକାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଅମିତ ଶାହ ଅଭିଯୋଗ କରିବା ପରେ, ସରକାର ସଂସଦର ପୁନଃଅଧିବେଶନ ଡାକିବାକୁ ଅନୁରୋଧ କରିଛନ୍ତି। ୨୦୨୩ରେ ମଞ୍ଜୁର ହୋଇଥିବା ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ କାର୍ଯ୍ୟକାରୀ କରିବା ପାଇଁ ସୀମା ପୁନଃନିର୍ଦ୍ଧାରଣ ଏକ ପୂର୍ବ ସର୍ତ୍ତ ହୋଇଥିବାରୁ, ସରକାର ଏହି ପ୍ରକ୍ରିୟାକୁ ଆଗକୁ ବଢ଼ାଇବାକୁ ଚାହୁଁଥିବା ଜଣାପଡ଼ିଛି।

ବର୍ତ୍ତମାନ ଲୋକସଭା ନଭେମ୍ବର ୩୦ରେ ଏବଂ ରାଜ୍ୟସଭା ଡିସେମ୍ବର ୨ରେ ବସିବାକୁ ଯାଉଥିବା ବେଳେ, ଗତ ଏପ୍ରିଲ୍ ମାସରେ ଆବଶ୍ୟକ ସାମ୍ବିଧାନିକ ସଂଶୋଧନ ପାଇଁ ସରକାର ଯେଉଁ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିଲେ, ତାହା ଏଥର ସଂଗ୍ରହ କରିବାକୁ ଆଶା ରଖିଛନ୍ତି। ସୀମା ପୁନଃନିର୍ଦ୍ଧାରଣ ସହ ନ ଯୋଡ଼ି ମହିଳା ସଂରକ୍ଷଣକୁ ତୁରନ୍ତ ଲାଗୁ କରାଯାଉ ନାହିଁ କାହିଁକି ବୋଲି କଂଗ୍ରେସ ପ୍ରଶ୍ନ କରିଛି। କିନ୍ତୁ ବିଜେପିର ଯୁକ୍ତି ହେଲା ଯେ, ଆସନ ସଂଖ୍ୟା ବଢ଼ିଲେ ସାଂସଦ ଏବଂ ସେମାନେ ପ୍ରତିନିଧିତ୍ୱ କରୁଥିବା ଜନସଂଖ୍ୟା ମଧ୍ୟରେ ଅନୁପାତରେ ଉନ୍ନତି ଆସିବ।

ଗୁରୁବାର ସମ୍ବିଧାନ ଦିବସ ଅବସରରେ ଅମିତ ଶାହ କହିଥିଲେ ଯେ, କଂଗ୍ରେସ ଦଳ ଏହି ପ୍ରସଙ୍ଗକୁ ଚାପି ରଖିଛି । ଏହାକୁ ଅଟକାଉଛି। ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ଆହ୍ୱାନ ଦେଇ ସେ କହିଥିଲେ ଯେ, ଦେଶର ମହିଳାମାନଙ୍କୁ ନିଶ୍ଚିତ ଭାବରେ ୩୩ ପ୍ରତିଶତ ସଂରକ୍ଷଣ ମିଳିବ । ଏହା ବିଜେପି ଏବଂ ନେତା ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ, ଯାହାକୁ କେହି ରୋକି ପାରିବେ ନାହିଁ। ଅନ୍ୟପଟେ, କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳଗୁଡ଼ିକ କହିଛନ୍ତି ଯେ, ୨୦୨୩ରୁ ଏହି ସଂରକ୍ଷଣ ଆଇନରେ ପରିଣତ ହୋଇସାରିଛି ଏବଂ ବର୍ତ୍ତମାନର ଲୋକସଭାରେ ହିଁ ଏହାକୁ ଲାଗୁ କରାଯାଇପାରିବ। 

ନିଜ ସ୍ୱାର୍ଥରେ ନିର୍ବାଚନ ମଣ୍ଡଳୀର ସୀମା ବଦଳାଇବା ପାଇଁ ସରକାର‘ମହିଳା ସଂରକ୍ଷଣ ପଛରେ ଲୁଚୁଛନ୍ତି’ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ସରକାରଙ୍କ ଏହି ବିଲ୍ ଅନୁଯାୟୀ ଲୋକସଭାର ମୋଟ ଆସନ ସଂଖ୍ୟା ୮୫୦ କୁ ବୃଦ୍ଧି ପାଇବ । ଯେଉଁଥିରୁ ପ୍ରାୟ ୨୮୩ଟି ଆସନ ପର୍ଯ୍ୟାୟକ୍ରମେ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ ।  ସୀମା ପୁନଃନିର୍ଦ୍ଧାରଣ ହେଲେ ଅଧିକ ଜନସଂଖ୍ୟା ବିଶିଷ୍ଟ ଉତ୍ତର ଭାରତକୁ ସମାନୁପାତିକ ଭାବରେ ଅଧିକ ଆସନ ମିଳିପାରେ ବୋଲି ଆଶଙ୍କା ରହିଛି । ସେନେଇ ଶାହ ଗତ ଏପ୍ରିଲ୍‌ରେ କହିଥିଲେ ଯେ, ସବୁ ରାଜ୍ୟରେ ଆସନ ସଂଖ୍ୟାରେ ସମାନ ୫୦ ପ୍ରତିଶତ ବୃଦ୍ଧି କରିବା ପ୍ରସ୍ତାବରେ ସରକାର ରାଜି ହୋଇପାରନ୍ତି। 

ଲୋକସଭାରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ପାଇଁ ପ୍ରାୟ ୩୬୦ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ବିଜେପି ନେତୃତ୍ୱାଧୀନ NDA ପାଖରେ ଏବେ ନିଶ୍ଚିତ ଭାବେ ୩୧୯ ଜଣ ସଦସ୍ୟ ଥିବା ଜଣାପଡ଼ିଛି । ଯେଉଁଥିରେ ବିଜେପିର ୨୪୧ ଜଣ ସାଂସଦ ଅଛନ୍ତି। ଏହି ସଂଖ୍ୟାରେ ତୃଣମୂଳ କଂଗ୍ରେସ (TMC) ର ୨୦ ଜଣ ବିଦ୍ରୋହୀ ସାଂସଦ ସାମିଲ୍ ଅଛନ୍ତି ।  ପଞ୍ଜାବରେ ଆଗାମୀ ନିର୍ବାଚନ ପୂର୍ବରୁ ବିଜେପି ସହ ମେଣ୍ଟ କରିଥିବା ଶିରୋମଣି ଅକାଳୀ ଦଳର ଜଣେ ସାଂସଦ ମଧ୍ୟ ଏଥିରେ ଯୋଡ଼ି ହୋଇଛନ୍ତି।

NCP (SP) ର ୮ ଜଣ ସାଂସଦଙ୍କ ସମର୍ଥନ ମିଳିଲେ ଏହି ସଂଖ୍ୟା ୩୨୮ ରେ ପହଞ୍ଚିବ। ଦଳର ନେତ୍ରୀ ସୁପ୍ରିୟା ସୁଲେ ପୂର୍ବରୁ କହିଥିଲେ ଯେ, ପ୍ରତ୍ୟେକ ରାଜ୍ୟର ଆସନରେ ସମାନ ୫୦ ପ୍ରତିଶତ ବୃଦ୍ଧି ହେଲେ ସେ ସମର୍ଥନ ଦେବେ। ଏହାରି ମଧ୍ୟରେ ଏନସିପି (ଏସପି) ସରକାରଙ୍କ ଦ୍ବାରା ଉପସ୍ଥାପିତ ହେବାକୁ ଥିବା ବିଲକୁ ସମର୍ଥନ କରିବ ବୋଲି ଶୁକ୍ରବାର ଘୋଷଣା କରିସାରିଛି । ସେପଟେ DMK ର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପାରେ। DMK ର ୨୨ ଜଣ ସାଂସଦ NDA କୁ ସମର୍ଥନ କଲେ ସଂଖ୍ୟା ୩୫୧ ରେ ପହଞ୍ଚିବ। ଫଳରେ ଏନଡିଏ ପାଇଁ ବିଲ୍‌ ପାସ କରିବା ଦିଗରେ ବଡ଼ ସଫଳତା ମିଳିପାରେ । ଚଳିତ ବର୍ଷ ଆରମ୍ଭରେ ତାମିଲନାଡୁରେ କଂଗ୍ରେସ ଓ ବିଜୟଙ୍କ TVK ମଧ୍ୟରେ ମେଣ୍ଟ ହେବା ପରେ DMK ଇଣ୍ଡି ମେଣ୍ଟ ଛାଡ଼ିଥିଲା। ସବୁ ରାଜ୍ୟରେ ସମାନ ୫୦ ପ୍ରତିଶତ ଆସନ ବୃଦ୍ଧି ହେଲେ ଉତ୍ତର-ଦକ୍ଷିଣ ଅସନ୍ତୁଳନର ମୁଖ୍ୟ ଆଶଙ୍କା ଦୂର ହୋଇପାରିବ ବୋଲି ଚର୍ଚ୍ଚା ହେଉଥିବାରୁ, DMK ନିଜ ସାଂସଦମାନଙ୍କ ବୈଠକ ଡାକିବାକୁ ଯୋଜନା କରୁଛି।