ଭୁବନେଶ୍ଵର: ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। କିନ୍ତୁ ପ୍ରଥମରୁ ଜଣା ପଡ଼ିଲାଣି ଏହି ଅଧିବେଶନ ଖୁବ ସରଗରମ ରହିବ। କାରଣ ଆଜି ସର୍ବଦଳୀୟ ବୈଠକରୁ ହିଁ ବିରୋଧୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେପଟେ କିନ୍ତୁ ଗତ କିଛି ଦିନରେ ସରକାରୀ ଦଳର ଗୋଟି ଚାଳନା ବିରୋଧୀଙ୍କ ସଂଖ୍ୟାକୁ ଦୁର୍ବଳ କରିଛି। ଆଉ ସଂଖ୍ୟା ଖେଳରେ ଆଗକୁ ଆସିଛନ୍ତି ସରକାରୀ ପକ୍ଷ। ତେଣୁ ଏଭଳି ସ୍ଥିତିରେ କିଛି ଗୁରୁତ୍ବ ପୂର୍ଣ୍ଣ ବିଲ୍ ସରକାର ଆଣିବା ସମ୍ଭାବନା ରହିଛି। ସେହିପରି ରାଜ୍ୟସଭାରେ ବିଜେଡି କିଛି ଓଡ଼ିଶା ସରକାରଙ୍କ ପ୍ରସଙ୍ଗ ଉଠାଇବାକୁ ଇଙ୍ଗିତ ଦେଇଛି।

ମୌସୁମୀ ଅଧିବେଶନରେ ଆସିବ ଝଡ଼। ବିରୋଧୀ ଏବଂ ସରକାରୀ ପକ୍ଷଙ୍କ ମଧ୍ୟରେ ହେବ ବଡ଼ ଶକ୍ତି ପରୀକ୍ଷା। ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକରେ ଏହାର ଝଲକ ଦେଖିବାକୁ ମିଳିସାରିଲାଣି | ସୁରୁଖୁରୁରେ ସଂସଦ କାର୍ଯ୍ୟ ଚଳାଇବା ଲାଗି ସମସ୍ତ ଦଳର ସହଯୋଗ ଲୋଡ଼ିଛନ୍ତି ସରକାର। ବିରୋଧି କିନ୍ତୁ ପନ୍ଦର ମିନିଟରେ ବୈଠକ ବର୍ଜନ କରି କଡ଼ା ଆଭିମୁଖ୍ୟର ଆଭାସ ଦେଇଛନ୍ତି। ହେଲେ ବିରୋଧୀ ଯେତେ ଗର୍ଜନ କଲେ ବି ସଂଖ୍ୟାର ତରାଜୁ ଏବେ ସରକାରୀ ପକ୍ଷକୁ ଭାରି ରହିଛି। ଟିଏମସି, ଶିବସେନା ଉଦ୍ଧବ ଡିଏମକେରେ ଫାଟ ଯୋଗୁଁ ଶାସକ ଏନଡିଏର ସମର୍ଥନ ବୃଦ୍ଧି ପାଇଛି। ତେଣୁ ଏହି ଅଧିବେଶନରେ ଅନେକଗୁଡିକ ଗୁରୁତ୍ୱପୁର୍ଣ ବିଲ ଆଣି ପାସ କରିବା ପାଇଁ ଯୋଜନା କରିଛି ସରକାରୀ ଦଳ।

୧- ମହିଳା ସଂରକ୍ଷଣ ଏବଂ ସୀମା ନିର୍ଦ୍ଧାରଣ ସମ୍ବନ୍ଧୀୟ ୧୩୧ତମ ସମ୍ବିଧାନ ସଂଶୋଧନ ବିଲକୁ ପ୍ରାଥମିକତା ଦିଆଯିବାର ସମ୍ଭାବନା ଅଛି...

୨- ଏକ ରାଷ୍ଟ୍ର, ଏକ ର୍ନିବାଚନ ବିଲ୍ ମଧ୍ୟ କେନ୍ଦ୍ର ସରକାରଙ୍କ ଏଜେଣ୍ଡାର ରହିବା ସମ୍ଭାବନା ଅଛି...

୩- ସରକାର ବନ୍ଦେ ମାତରମ ବିଲ୍ ମଧ୍ୟ ଆଣିପାରନ୍ତି

୪- ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଅଧ୍ୟାଦେଶକୁ ବଦଳାଇବା ପାଇଁ ପ୍ରସ୍ତାବ ମଧ୍ୟ ସଂସଦରେ ଉପସ୍ଥାପିତ ହୋଇପାରେ...

ସଂସଦୀୟ ଅଧିବେଶନରେ ଓଡ଼ିଶା ପ୍ରସଙ୍ଗ ଉଠିବ ହିଁ ଉଠିବ। କାରଣ ବିଜେଡି ଏହାର ଆଭାସ ଦେଇସାରିଲାଣି। ବିଶେଷ କରି ପାଠ୍ୟ ପୁସ୍ତକ ତ୍ରୁଟି, ରାଜ୍ୟରେ ଆଇନଶୃଙ୍ଖଳା, କୋଲ ରୟାଲଟିରୁ ଓଡ଼ିଶା ବଞ୍ଚିତ ହେବା ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇବ ବିଜେଡି |ଯାହାର ସୂଚନା ଦେଇଛନ୍ତି ରାଜ୍ୟସଭା ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ। ସେହିପରି MP ଲ୍ୟାଡ ଖର୍ଚ୍ଚ କରାଇ ନ ଦେବାକୁ ଉଦ୍ୟମ ହେଉଛି | ଅର୍ଥ ପଡ଼ି ରହିଛି ଖର୍ଚ୍ଚ ହୋଇ ପାରୁନି, ଯେଉଁଠି ଖର୍ଚ୍ଚ ହେଉଛି ମନ୍ତ୍ରୀଙ୍କ ଫଳକ ଲାଗୁଛି | ସେପଟେ କଂଗ୍ରେସ ମଧ୍ୟ ରାଜ୍ୟର ଅନେକ ଗୁରୁତ୍ୱପୁର୍ଣ ପ୍ରସଙ୍ଗ ଉଠାଇ ବିଜେପିକୁ ଅକଳରେ ପକାଇବାକୁ ଯୋଜନା କରିଛି | ବିଜେପି କହିଛି, ସଂସଦ ଚାଲିଲେ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ l ଦାୟିତ୍ୱବlନ ସଂସାଦମାନେ ସେକଥା ବୁଝିବା ଦରକାର।

ମୌସୁମୀ ଅଧିବେଶନ କାଲିଠୁ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିପାରେ। ପ୍ରାୟ ଗୋଟିଏ ମାସ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟ ଦିବସ ରହିଛି । ତେବେ ଏହି ଅଧିବେଶନରେ କେଉଁ କେଉଁ ବିଲ ଆସୁଛି ଏବଂ କେଉଁସବୁ ବିଲ ପାସ ହେଉଛି ତାହା ଉପରେ ଦେଶବାସୀଙ୍କ ନଜର ରହିବ।