ଉଦଳା: ଜଣେ ଅଜଣା ଯୁବକଙ୍କ ଉପରେ ସନ୍ଦେହ ହେବାରୁ ଫାଣ୍ଡିର ଜିମା ଦେଇଥିଲେ ଗ୍ରାମବାସୀ । କିନ୍ତୁ ପରେ ଉକ୍ତ ଯୁବକ ଉତ୍ତରପ୍ରଦେଶର ଏବଂ ସେ ନିଖୋଜ ଥିବା ଜାଣିବାକୁ ପାଇଥିଲା ଫାଣ୍ଡି ଅଧିକାରୀ। ଏମିତିରେ ସେହି ଯୁବକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରିବର୍ତ୍ତେ ଫାଣ୍ଡି ବାବୁ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ କପ୍ତିପଦା ଥାନା ନୁଦଡିହା ଫାଣ୍ଡିରେ ଉତ୍ତେଜନା ଦେଖାଦେଇଛି।

ସୂଚନା ଅନୁସାରେ, ଉତ୍ତରପ୍ରଦେଶର ସନ୍ଦୀପ ଶ୍ରୀନିବାସ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ଦେଖି ନୁଦଡିହା ଫାଣ୍ଡିରେ ରଖିଥିଲେ ଗ୍ରାମବାସୀ। ଯାଞ୍ଚରେ ଯୁବକଙ୍କ ଘର ଉତ୍ତର ପ୍ରଦେଶ ଅଞ୍ଚଳର ଜଣାପଡ଼ିଥିଲା ଏବଂ ସେହି ଯୁବକ ଦେଇଥିବା ଫୋନ ନମ୍ବରରେ ଯୋଗାଯୋଗ କରିବା ସହିତ ତାଙ୍କ ଭାଇ ଜିତେନ୍ଦ୍ର ତାଙ୍କୁ ନେବାକୁ ଆସିବେ ବୋଲି କହିଥିଲେ। ହେଲେ ବୁଧବାର ଜିତେନ୍ଦ୍ର ଫାଣ୍ଡିରେ ପହଞ୍ଚିବା ବେଳେକୁ ତାଙ୍କ ଭାଇ ନ ଥିବା ଜାଣିବାକୁ ପାଇଥିଲେ। ଯାହାକୁ ସ୍ଥାନୀୟ ଯୁବକମାନେ ବିରୋଧ କରିଥିଲେ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଫାଣ୍ଡି ଅଧିକାରୀ ସୁଶୀଲ ସାମଲ, ସନ୍ଦୀପ ଶ୍ରୀନିବାସକୁ କେଉଁଠାରେ ଛାଡ଼ି ଦେଇଛନ୍ତି । ଯାହା ଫଳରେ ତାଙ୍କର କୌଣସି ପତ୍ତା ମିଳୁ ନାହିଁ। ଏପଟେ ଫାଣ୍ଡିରେ ସମ୍ପୃକ୍ତ ଯୁବକଙ୍କ ଭାଇ ୩ ଘଣ୍ଟାରୁ ଅଧିକ ହେବ ଜଗି ବସିଛନ୍ତି। ପୋଲିସର ଏହି ଅବହେଳାକୁ ନେଇ ଫାଣ୍ଡିରେ ଉତ୍ତେଜନା ପ୍ରକାଶ ପାଇଛି। ନିଖୋଜ ଯୁବକଙ୍କୁ ଖୋଜି ଆଣିବା ଜିଦରେ ହୋହାଲ୍ଲା କରିବା ସହିତ ଫାଣ୍ଡି ଘେରିଛନ୍ତି ଉତ୍ୟକ୍ତ ଲୋକେ।