ଦେବଗଡ଼: ଶୁକ୍ରବାର ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପାନୀୟଜଳ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଦେବଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ମନ୍ତ୍ରୀ ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ କଂସର ଗ୍ରାମଠାରେ ଅବସ୍ଥିତ ଏକଲବ୍ୟ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଅତିରିକ୍ତ ଶ୍ରେଣୀ କୋଠରୀର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ସେହିଭଳି ସେଠାରେ ନୂତନ ମୁଖ୍ଯ ଫାଟକ ନିର୍ମାଣ କାର୍ଯ୍ଯର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରେ କଲେଜ ପରିସରରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ।

ଏହି ଅବସରରେ ସେ ଜନସାଧାରଣଙ୍କର ବିଭିନ୍ନ ସମସ୍ୟା ସମ୍ପର୍କିତ ଅଭିଯୋଗପତ୍ର ଗ୍ରହଣ କରିବା ସହ ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ମନ୍ତ୍ରୀ କାଳବୈଶାଖୀରେ ନଷ୍ଟ ହୋଇଥିବା ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ।

ଏକଲବ୍ଯ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ବିନୀତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ବିଜେପି ଜିଲ୍ଲା ସଭାପତି ଅରୁଣ କୁମାର ସାହୁ, ତିଲେଇବଣୀ ବ୍ଲକ ଉପାଧ୍ୟକ୍ଷା ଆରତୀ ପ୍ରଧାନ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରଞ୍ଜିତ ପଟେଲ, ତିଲେଇବଣୀ ବ୍ଲକ ବିଡିଓ ପ୍ରିୟଦର୍ଶିନୀ ମିର୍ଦ୍ଧା, କଂସର ସରପଞ୍ଚ ଅମୁଲ୍ଯ ଧରୁଆ, ଦେବଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁବାସ ଚନ୍ଦ୍ର ଭୁକା ପ୍ରମୁଖ ଉପସ୍ଥିତ ଥିଲେ।