କର୍ଣ୍ଣାଟକ ୨୨/୪: ଏବେ ଆମେ ଆଧୁନିକ ମଣିଷ, ଏକବିଂଶ ଶତାବ୍ଦୀରେ ପାଦ ରଖିଛୁ । ତଥାପି ଆମେ ଦେଶରେ ଏମିତି ଅନେକ ଜାଗା ରହିଛି ଯେଉଁଠି ଜାତିବାଦ ପରି କୁପ୍ରଥା ବଞ୍ଚିଛି । ଆଜି ବି ଲୋକଙ୍କୁ ଜାତିବାଦର ସାମ୍ନା କରିବାକୁ ପଡୁଛି । ଏହି ଘୁଣ୍ୟ ପ୍ରଥା ପାଇଁ ଅନେକ ସ୍ଥାନରେ ଲଜ୍ଜିତ ହେବାକୁ ବି ପଡୁଛ । 'ପଞ୍ଚାୟତ' ୱେବ ସିରିଜରେ ଜମିଦାର ଭୂମିକାରେ ଅଭିନୟ କରିଥିବା ବିନୋଦ ସୂର୍ଯ୍ୟବଂଶୀ ଜାତିବାଦକୁ ନେଇ କନ୍ଦାଇଲା ପରି କଥା କହିଛନ୍ତି । କେମିତି ତାଙ୍କୁ ଗାଁରେ ଆଜି ବି ଜାତିଗତ ଭେଦଭାବର ସାମ୍ନା କରିବାକୁ ପଡେ । ଏଥି ସହ ନିଜ ଜୀବନରେ ସଂଘର୍ଷର କାହାଣୀ ବି ବଖାଣିଛନ୍ତି । ସେ କହିଛନ୍ତି ଡାର୍କ ସ୍କିନ ପାଇଁ ଆମକୁ ମନ୍ଦିରରେ ପ୍ରବେଶ ଅନୁମତି ନାହିଁ । ହୋଟେଲରେ ଖାଇଲେ ପ୍ଲେଟ ଧୋଇବାକୁ ପଡେ ।

କର୍ଣ୍ଣାଟକରେ ଜାତିଗତ ପକ୍ଷପାତ ଉପରେ ମୁହଁ ଖୋଲିଛନ୍ତି ଅଭିନେତା ସୂର୍ଯ୍ୟବଂଶୀ । କହିଛନ୍ତି ଏବେବି ଆମ ପରିବାରକୁ ମନ୍ଦିର କିମ୍ବା ଅନ୍ୟ ଲୋକଙ୍କ ଘରକୁ ପ୍ରବେଶ ଅନୁମତି ନାହିଁ । ସିଦ୍ଧାର୍ଥ କନ୍ନନଙ୍କ ସହ କଥାବାର୍ତ୍ତା ବେଳେ ବିନୋଦ ଏପରି କିଛି କଥାର ଖୁଲାସା କରିଛନ୍ତି ଯାହା ସମସ୍ତଙ୍କ ଆଖିରେ ଲୁହ ଆଣିଦେବ । ସେ କହିଛନ୍ତି କର୍ଣ୍ଣାଟକରେ ଥିବା ମୋ ଗାଁ ଏବେବି ଜାତିପ୍ରଥା କବଳରେ କବଳିତ । ଗାଁରେ ୨ଟି ଅଞ୍ଚଳ ରହିଛି । ଗୋଟିଏ ଉଚ୍ଚ ଜାତି ପାଇଁ ଏବଂ ଅନ୍ୟଟି ନିମ୍ନ ଜାତି ପାଇଁ । ପିଲାଦିନର ଏକ ଘଟଣା ମନେ ପକାଇ ସେ କହିଛନ୍ତି ସେତେବେଳେ ମୋ ବୟସ ୧୨ ବର୍ଷ । ଥରେ ମୁଁ ବାପାଙ୍କ ସହ ଗାଁକୁ ଯାଇଥିଲି । ସେଠାରେ ଏକ ହୋଟେଲରେ ଖାଇଥିଲି । ସେଠି ଆମକୁ ପ୍ଲେଟ ଧୋଇବାକୁ କୁହାଯାଇଥିଲା । ଗାଁରେ ଏବେବି ଏକ ମନ୍ଦିର ଅଛି ଯେଉଁଠି ଆମର ଯିବା ନିଷେଧ ।

କୌଣସି ଉତ୍ସବ ଆମକୁ ଅଧିକ କନ୍ଦାଏ

ନିଜର କାମ ବ୍ୟତୀତ ସେ ଦାରିଦ୍ର୍ୟ ଓ ସଂଘର୍ଷପୂର୍ଣ୍ଣ ଶୈଶବ ବିଷୟରେ ମଧ୍ୟ ବଖାଣିଥିଲେ । କହିଥିଲେ ମୁଁ ପ୍ରାୟ ସବୁବେଳେ ବାପା ଓ ମାଆଙ୍କୁ କାନ୍ଦୁଥିବାର ଦେଖିଛି । ଯେତେବେଳେ କୌଣସି ପର୍ବ ଆସେ ମୁଁ ଭାବେ କାହିଁକି ଏ ପର୍ବ ସବୁ ଆସୁଛି । କାହିଁକି ଦୀପାବଳି ଆସିଲା । ପର୍ବଗୁଡିକ ସବୁବେଳେ ଆମକୁ କନ୍ଦାଇ ଥାଏ କାରଣ ଆମେ ଅନ୍ୟମାନଙ୍କ ପରି କେବେ ପାଳନ କରିପାରୁନାହିଁ । ଆମର ଅବସ୍ଥା ବହୁତ ଖରାପ ଥିଲା । ଯଦି କେହି ଆମକୁ କିଛି ଦେଇଥାଏ ଆମେ ପର୍ବ ପାଳନ କରିଥାଉ । ଏହାହିଁ ଆମର ବାସ୍ତବତା ।

ଅଶାନ୍ତ ଘର ପରିବେଶ  

ଅଭିନେତା ବିନୋଦ ପରିବାର ଭିତରେ ଥିବା ଚ୍ୟାଲେଞ୍ଜ ଗୁଡିକ ମଧ୍ୟ ସେୟାର କରିଥିଲେ । ମୋ ମାଆ ଜଣେ ଘରେଇ ସହାୟକ ଭାବରେ କାମ କରୁଥିଲେ । ବାପା ଥିଲେ ରାଜମିସ୍ତ୍ରୀ । ତାଙ୍କୁ ପ୍ରତିଦିନ କାମ ମିଳୁନଥିଲା । ଯେତେବେଳେ କାମ ମିଳୁନଥିଲା ଅତ୍ୟଧିକ ଚିନ୍ତାରେ ସେ ମଦ୍ୟପାନ କରି ଘରକୁ ଆସୁଥିଲେ । ଏପରି ସେ ଲଗାତର କରୁଥିଲେ । ମାଆଙ୍କୁ ଗାଳି ଦେଉଥିଲେ । ମାଡ ବି ମାରୁଥିଲେ ।  ଏସବୁ ଦେଖି ଦେଖି ମୁଁ ବଡ ହୋଇଛି । ଏମିତି ପରିବେଶରେ ରହିବାକୁ ମୋତେ ବହୁତ ଭୟ ଲାଗୁଥିଲା । ମୁଁ ତାଙ୍କୁ ଘୃଣା କରୁନଥିଲି ,କିନ୍ତୁ ମୁଁ ତାଙ୍କ ବ୍ୟବହାରକୁ ପସନ୍ଦ କରୁନଥିଲି ।

ଚାକିରିରୁ ଅଭିନୟ ଯାତ୍ରା​​​​​​​

ଗ୍ଲାମର ଲାଇନରେ ଏଣ୍ଟ୍ରି ପୂର୍ବରୁ ବିନୋଦ ଜୀବିକା ନିର୍ବାହ ପାଇଁ ଚାକିରି କରିଥିଲେ । ସେ ଇଣ୍ଟରଭ୍ୟୁରେ କହିଥିଲେ ମୁଁ ପ୍ରଥମେ ଲିଫ୍ଟମ୍ୟାନ ଭାବରେ କାମ ଆରମ୍ଭ କରିଥିଲି । ମାସକୁ ଦରମା ଥିଲା ୧୬ଶହ ଟଙ୍କା । ତାପରେ ଏକ କନଷ୍ଟ୍ରକସନ ଅଫିସରେ ‘ଅଫିସ ବୟ’ ଭାବରେ ଏବଂ ପରେ ସୁରକ୍ଷାକର୍ମୀ ଭାବରେ କାମ କରିଥିଲି । ସେ ସମୟର ସଂଘର୍ଷର କଥା କହିବା ସମୟରେ ବିନୋଦଙ୍କ ଆଖିରେ ଲୁହ ଆସିଯାଇଥିଲା । ସେଦିନର କଥା ମନେ ପକାଇ ସେ କହୁଥାନ୍ତି ସେହି ସମୟରେ ଠିଆ ହୋଇ ୧୨ ଘଣ୍ଟା ଡ୍ୟୁଟି କରୁଥିଲି । ବର୍ଷା ହେଲେ ଆହୁରି ଖରାପ ପରିସ୍ଥିତି ଆସିଯାଏ । ବର୍ଷା ପାଣି ମୋ ଜୋତାରେ ପଶିଯାଏ । ଚମଡା ବତୁରି ବତୁରି ପାଦରେ ଘା ହୋଇଯାଏ । ଅନେକ ସମୟରେ ଲୋକଙ୍କ ଗାଳି ବି ସହିବାକୁ ପଡିଛି । ସେ ଆହୁରି କହୁଥିଲେ ସମସ୍ତେ କହନ୍ତି କୌଣସି କାମ ଛୋଟ ନୁହେଁ,କିନ୍ତୁ ମୁଁ ଶିଖିଛି ଜଣେ ବ୍ୟକ୍ତିଙ୍କୁ ସେ କରୁଥିବା କାମ ଦ୍ବାରା ବିଚାର କରାଯାଏ । କାମ ଯେତେ ବଡ ସେ ସେତେ ଅଧିକ ସମ୍ମାନ ପାଆନ୍ତି । ଥରେ ମୁଁ ଜଣଙ୍କ ଘରକୁ ଖାଇବାକୁ ଯାଇଥିଲି । ଜଣେ ବରିଷ୍ଠ ବ୍ୟକ୍ତି ମୋର ପ୍ଲେଟ ଛଡାଇ ନେଇ ପଚାରିଲେ ମୁଁ କିଏ…ଏହା ମୋତେ ଗଭୀର ଆଘାତ ଦେଇଥିଲା । ସେତେବେଳେ ମୁଁ ନିଷ୍ପତ୍ତି ନେଇଥିଲି ମୋତେ ଅଭିନୟରେ କିଛି କରିବାକୁ ପଡିବ । ହୁଏତ ସେତେବେଳେ ମୁଁ ଅତ କମ୍‌ରେ ଏକ କୋଠରୀରେ ବସି ଶାନ୍ତିରେ ଖାଇପାରିବି ।

ବିନୋଦଙ୍କ ଫିଲ୍ମ

ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସଂଘର୍ଷ ସତ୍ତ୍ବେ ବିନୋଦ ଅନେକ ଫିଲ୍ମରେ ନିଜର ଅଭିନୟର ଛାପ ଛାଡି ଯାଇଛନ୍ତି । ସେ  ଅଭିନୟ କରିଥିବା ଫିଲ୍ମଗୁଡିକ ହେଉଛି ଜାନୱାର, ଥମ୍ମା, ସତ୍ୟମେବ ଜୟତେ ଏବଂ ଜଲି LLB-3 । ଧିରେ ଧିରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି ବିନୋଦ । ତେବେ ସେଦିନର କଥା ମନେ ପକାଇ ବିନୋଦ କହିଛନ୍ତି ମୋର ଡାର୍କ ସ୍କିନ ଓ ଲୁକ୍‌ ପାଇଁ ଅନେକ ଥର ମୋତେ ରିଜେକ୍ଟ କରାଯାଇଛି । ଯେତେବେଳେ ମୁଁ ଟିଭି ପାଇଁ ଅଡିସନ ଦେଇଥିଲି । ସେମାନେ  ହ୍ୟାଣ୍ଡସମ ଲୁକ୍‌ ଚାହୁଁଥିଲେ । ଆଉ ମୋତେ କୁହାଗଲା ମୁଁ ସେମାନଙ୍କର ଆବଶ୍ୟକତା ପୂରଣ କରିପାରିବିନି । ଆଉ ଏକ ଯନ୍ତ୍ରଣାଦାୟକ ଅଭିଜ୍ଞତା ସେୟାର କରି ବିନୋଦ କହିଛନ୍ତି ମୋତେ ଘରର ସହାୟକ ଭାବରେ ଏକ ଭୂମିକା ପାଇଁ ଚୟନ କରାଯାଇଥିଲା । କାଷ୍ଟିଂ ଦଳ ମୋତେ ଚୂଡାନ୍ତ କରିଥିଲେ । ମୁଁ ସୁଟିଂ ସେଟ୍‌ରେ ଠିକ ସମୟରେ ପହଞ୍ଚିଯାଇଥିଲି । କିନ୍ତୁ ନିର୍ଦ୍ଦେଶକ ଯେତେବେଳେ ଆସିଲେ ପଚାରିଲେ ମୁଁ କିଏ …ଯେତେବେଳେ ଜାଣିଲେ ମୁଁ ସହାୟକ ଭୂମିକା କରିବି ସେତେବେଳେ ସିଧା ମନା କରିଦେଲେ କହିଲେ ସେ କରିପାରିବନି । ଆମକୁ ଜଣେ ଗୋରା ବ୍ୟକ୍ତି ଦରକାର । ତାଙ୍କର ରଂଗ କଳା ସେ କରିପାରିବେନି ।  

Also Read:​​​​​​​ Viral Tomato Ketchup Video: ସଢ଼ା ଟମାଟୋରୁ ପ୍ରସ୍ତୁତ ହେଉଛି ସସ୍, ଭାଇରାଲ୍ ଭିଡିଓ ଦେଖିଲେ ଖାଇବା ଛାଡ଼ିଦେବେ