ଲାହୋର,୨୨|୧:ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ନିକଟରେ ସିଆଲକୋଟରେ ଏକପିଜ୍ଜା ହଟ୍’ ଆଉଟଲେଟ୍ ର ଉଦଘାଟନ ସମାରୋହରେ ପହଞ୍ଚି ଫିତା କାଟିଥିଲେ । ତାଙ୍କର ସ୍ୱାଗତ ଲାଗି ରେଡ୍ କାର୍ପେଟ୍ ବିଛାଯାଇଥିଲା । ପିଜ୍ଜା ହଟକୁ ଫୁଲରେ ସଜାଯାଇଥିଲା । ଏହି ହାଇ-ପ୍ରୋଫାଇଲ ଉଦ୍ଘାଟନ ସମାରୋହକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିବା ବେଳେ ଆମେରିକୀୟ ମଲ୍ଟିନ୍ୟାସନାଲ ରେସ୍ତୋରାଁ ଶୃଙ୍ଖଳାପିଜ୍ଜା ହଟ୍ର ଘୋଷଣା ଉତ୍ସାହକୁ ଫିକା କରିଦେଲା । ସିଆଲକୋଟ୍ରେ ଖୋଲିଥିବା ଏହି ଆଉଟ୍ଲେଟ୍ ଅନଧିକୃତ ଓ ନକଲି ବୋଲି ଏହା କହିଛି ।

ଦେଶର ସବୁଠୁ ବିବାଦୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କର ଏକ ଅନଧିକୃତ ଫୁଡ୍ ଚେନ୍ ଉଦଘାଟନ କରିବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଆମେରିକୀୟ ଫୁଡ୍ ଚେନ୍ ଏ ବିଷୟରେ ସ୍ପଷ୍ଟ କରିଛି । ଆଉଟ୍ଲେଟ୍ରେ ପିଜ୍ଜା ହଟ୍ର ଅତି ପରିଚିତ ଲୋଗୋ ଓ ବ୍ରାଣ୍ଡିଂର ଉପଯୋଗ ହୋଇଥିଲେ ମଧ୍ୟ ଇଣ୍ଟରନେଟ ୟୁଜର୍ କହିଛନ୍ତି,ପିଜ୍ଜା ହଟ୍ ପାକିସ୍ତାନର ଔପଚାରିକ ଷ୍ଟୋର୍ ତାଲିକାରେ ସିଆଲକୋଟ୍ର ନାଁ ନାହିଁ । ଏହା ପରେ ପିଜ୍ଜା ହଟ୍ ବ୍ରାଣ୍ଡ୍ ସହିତ ସିଆଲକୋଟ୍ ସ୍ଥିତ ଆଉଟ୍ଲେଟ୍ ଔପଚାରିକ ରୂପେ ସହବନ୍ଧିତ ନୁହେଁ ବୋଲି ପିଜ୍ଜା ହଟ୍ ପାକିସ୍ତାନ ପକ୍ଷରୁ ଏକ ଔପଚାରିକ ବିବୃତ୍ତି ଜାରି କରାଯାଇଛି । ଆଉ କେହି କେହି ମନ୍ତ୍ରୀଙ୍କୁ ଜୋକର ବୋଲି ମଧ୍ୟ କହିଛନ୍ତି ।

ଏଥିସହିତ ସ୍ପଷ୍ଟ କରାଯାଇଛି,ଏହା ଅନଧିକୃତ ଭାବେ ପିଜ୍ଜା ହଟ୍ର ନାଁ ଓ ବ୍ରାଣ୍ଡର ଉପଯୋଗ କରୁଛି । ଅନ୍ତର୍ଜାତୀୟ ବ୍ୟଞ୍ଜନ,ଗୁଣବତ୍ତା ନିୟମ,ଖାଦ୍ୟ ନିରାପତ୍ତା ଓ ପରିଚାଳନା ମାନକଗୁଡ଼ିକର ଅନୁପାଳନ ମଧ୍ୟ କରୁନାହିଁ । ଆଉଟ୍ଲେଟ୍ର କର୍ତ୍ତୃପକ୍ଷଙ୍କ ବିରୋଧରେ ପିଜ୍ଜା ହଟ୍ କମ୍ପାନି ପକ୍ଷରୁ ଅଭିଯୋଗ ଦାଖଲ କରାଯାଇଛି । ଏହାର ଟ୍ରେଡ୍ମାର୍କର ଅପବ୍ୟବହାର ବନ୍ଦ କରିବାକୁ ଏବଂ କର୍ତ୍ତୃପକ୍ଷଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି କମ୍ପାନି ଦାବି କରିଛି ।