ନୂଆଦିଲ୍ଲୀ: ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପାଖ୍ତୁନଖ୍ବା  ପ୍ରଦେଶରେ ଆତଙ୍କବାଦୀ ଆକ୍ରମଣ ଘଟିଛି। ଗୁରୁବାର ଏବଂ ଶୁକ୍ରବାର ମଧ୍ୟରାତ୍ରିରେ ଇସଲାମିକ୍ ଆତଙ୍କବାଦୀ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ସୁରକ୍ଷା ବାହିନୀର ଚେକପୋଷ୍ଟ୍‌ରେ ପିଟି ଦେବାରୁ ୧୨ ଜଣ ପାକିସ୍ତାନୀ ସୈନ୍ୟଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଏହା ପରେ ପାକିସ୍ତାନୀ ସେନାର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ ୧୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଆଫଗାନିସ୍ତାନ ସୀମା ନିକଟସ୍ଥ ଟାଙ୍କ ଜିଲ୍ଲାରେ ପାକିସ୍ତାନୀ ସେନା ଏବଂ ପୋଲିସ ଦ୍ୱାରା ମିଳିତ ଭାବରେ ପରିଚାଳିତ ଏକ ସୁରକ୍ଷା ଚେକପୋଷ୍ଟ୍‌ରେ ଏହି ଆକ୍ରମଣ ହୋଇଛି। ସେନାର ସୂଚନା ଅନୁଯାୟୀ, ପ୍ରଥମେ ସୁରକ୍ଷାକର୍ମୀମାନେ ଆକ୍ରମଣକାରୀଙ୍କୁ ପ୍ରତିହତ କରି ଚେକପୋଷ୍ଟ୍ ଭିତରକୁ ପଶିବାକୁ ଦେଇନଥିଲେ। ଏଥିରେ ବିଫଳ ହୋଇ ଆତଙ୍କବାଦୀମାନେ ବିସ୍ଫୋରକ ଭର୍ତ୍ତି ଗାଡ଼ିଟିକୁ ଚେକପୋଷ୍ଟର ପ୍ରାଚୀର ସହ ଧକ୍କା ଦେଇଥିଲେ।

 ଏହି ଶକ୍ତିଶାଳୀ ବିସ୍ଫୋରଣ ଫଳରେ ୧୫ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୧୨ ଜଣ ସେନାର ଯବାନ ଅଛନ୍ତି।
ବିସ୍ଫୋରଣ ପରେ ସେନା ପକ୍ଷରୁ କରାଯାଇଥିବା ଜବାବୀ ଆକ୍ରମଣରେ ୧୨ ଜଣ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଭୟଙ୍କର ଆକ୍ରମଣ ପାଇଁ 'ତେହରିକ୍-ଇ-ତାଲିବାନ୍ ପାକିସ୍ତାନ' (TTP) ନିଜକୁ ଦାୟୀ କରିଛି। ଗୋଷ୍ଠୀ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଏହି ଆକ୍ରମଣରେ ୪ ଜଣ ଆତ୍ମଘାତୀ ଆକ୍ରମଣକାରୀ ସାମିଲ ଥିଲେ।

TTP ୨୦୦୭ ମସିହାରୁ ପାକିସ୍ତାନ ସରକାର ବିରୋଧରେ ହିଂସାତ୍ମକ ସଂଗ୍ରାମ ଚଳାଇ ଆସୁଛି। ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି, ପାକିସ୍ତାନ ସରକାରଙ୍କୁ ହଟାଇ ନିଜର ଇସଲାମିକ୍ ଆଇନ ଲାଗୁ କରିବା। ଗତ କିଛି ମାସ ହେବ ଉତ୍ତର-ପଶ୍ଚିମ ପାକିସ୍ତାନରେ ଆତଙ୍କବାଦୀ ହିଂସା ତୀବ୍ର ଗତିରେ ବୃଦ୍ଧି ପାଇଛି। ପାକିସ୍ତାନ ସରକାର ବାରମ୍ବାର ଅଭିଯୋଗ କରିଆସୁଛନ୍ତି ଯେ, ଆତଙ୍କବାଦୀମାନେ ପଡ଼ୋଶୀ ଆଫଗାନିସ୍ତାନର ମାଟିକୁ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବରେ ବ୍ୟବହାର କରି ପାକିସ୍ତାନ ଭିତରେ ଆକ୍ରମଣର ଯୋଜନା କରୁଛନ୍ତି।