ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । । ଦୀର୍ଘ ୧୪ ଦିନ ହେଲା ପିଓକେ ସରକାର ବିରୋଧୀ ଆନ୍ଦୋଳନ ଜାରି ରହିଛି । କିନ୍ତୁ ସୋମବାର ଏହି ଆନ୍ଦୋଳନ ଭିନ୍ନ ମୋଡ଼ ନେଇଛି । ଆଜି ଆନ୍ଦୋଳନରେ ଛୋଟ ପିଲା ଏବଂ ମହିଳାମାନେ ରାସ୍ତାକୁ ଓହ୍ଲାଇ ପାକିସ୍ତାନ ସେନା ବିରୋଧରେ ନାରା ଦେବା ସହ ସ୍ବାଧୀନତା ପାଇଁ ଦାବି କରିଛନ୍ତି । ରିପୋର୍ଟ ଅନୁଯାୟୀ, ଆନ୍ଦୋଳନରେ ଘଟୁଥିବା ସଂଘର୍ଷ ଓ ହିଂସାରେ ଏପର୍ଯ୍ୟନ୍ତ ପ୍ରାୟ ୫୮ ଜଣଙ୍କର ମୃତ୍ୟୁ ଘଟିଛି।

ରାସ୍ତାରେ ସ୍କୁଲ ପିଲା ଓ ମହିଳାଙ୍କ ବିକ୍ଷୋଭ

ରାୱଲକୋଟ୍ର ଇଦଗା ମୈଦାନ ଏହି ଆନ୍ଦୋଳନର ମୁଖ୍ୟ କେନ୍ଦ୍ର, ଯେଉଁଠାରେ ୧୧ ଦିନରୁ ଅଧିକ ସମୟ ହେବ ୭୦,୦୦୦ ରୁ ଅଧିକ ପ୍ରଦର୍ଶନକାରୀ ଧାରଣାରେ ବସିଛନ୍ତି। ଏହି ପ୍ରଦର୍ଶନରେ ୧୦ ରୁ ୧୨ ବର୍ଷର ଛୋଟ ଛୋଟ ସ୍କୁଲ ପିଲାମାନେ ହାତରେ ପୋଷ୍ଟର ଧରି ପାକିସ୍ତାନୀ ସେନା ବିରୋଧରେ ସ୍ଵର ଉତ୍ତୋଳନ କରୁଥିବାର ଦେଖିବାକୁ ମିଳିଛି।

ପାକିସ୍ତାନୀ ସେନା ବାହାରକୁ ଯାଅ, ସେମାନେ କାଶ୍ମୀରୀମାନଙ୍କୁ ହତ୍ୟା କରୁଛନ୍ତି। ଆମକୁ ମୌଳିକ ଅଧିକାର ଏବଂ ମାଗଣା ଶିକ୍ଷା ଦିଆଯାଉ। ଖାଦ୍ୟ ପେୟ ସାମଗ୍ରୀ ଉପରେ କଟକଣା ଲଗାଯାଇଛି ଏବଂ ଇଣ୍ଟରନେଟ୍ ବନ୍ଦ ରହିଛି। ଆମକୁ ଜାତିସଂଘର ସାଯ୍ୟ ଦରକାର, ଏହି ଭଳି ସବୁ ନାରା ଲେଖାଥିବା ପୋଷ୍ଟର ଧରିଛନ୍ତି ଆନ୍ଦୋଳକାରୀ । ଏହି ପ୍ରଦର୍ଶନ କେବଳ ରାୱଲକୋଟରେ ସୀମିତ ନାହିଁ। ସୁଧନୋତି ଜିଲ୍ଲାର ତରାର ଖେଲ୍ ଏବଂ ମଣ୍ଡହୋଲ୍ ଭଳି ଅଞ୍ଚଳରେ ଶତାଧିକ ମହିଳା ଶୋଭାଯାତ୍ରା କରି ପାକିସ୍ତାନ ସରକାର ଓ ସେନାକୁ "ଦଖଲକାରୀ" ବୋଲି ଆଖ୍ୟା ଦେଇଛନ୍ତି।

ପାକିସ୍ତାନୀ ସେନାକୁ ଖୋଲା ଚେତାବନୀ

ଆନ୍ଦୋଳନର ବରିଷ୍ଠ ଆୟୋଜକ ସରଦାର ଅମନ ଖାନ ଇଦଗା ମୈଦାନରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ସରକାରଙ୍କ ପାଖରେ ଏବେ ସମୟ ବହୁତ କମ୍ ଅଛି। ସେ ଅତୀତର ଉଦାହରଣ ଦେଇ କହିଛନ୍ତି ଯେ, ପାକିସ୍ତାନ ସେନା ପୂର୍ବରୁ ଅତ୍ୟାଚାର କରିଛି ଏବଂ ଜନସାଧାରଣଙ୍କୁ ଦମନ କରୁଛି। ଯଦି ପାକିସ୍ତାନୀ ସେନା କାଶ୍ମୀରୀମାନଙ୍କ ଉପରେ ଏଭଳି ଅତ୍ୟାଚାର ଜାରି ରଖେ, ତେବେ ସମଗ୍ର ସାମରିକ ବ୍ୟବସ୍ଥାକୁ PoK ରୁ ଘଉଡ଼ାଇ ଦିଆଯିବ। ଯଦି କାଶ୍ମୀରୀମାନେ ନିଜ ସ୍ଥାନରେ ଶାନ୍ତିରେ ରହିପାରିବେ ନାହିଁ, ତେବେ ପାକିସ୍ତାନ ସେନାକୁ ମଧ୍ୟ ସେଠାରେ ରହିବାକୁ ଦିଆଯିବ ନାହିଁ।

ଅଓ୍ବାମୀ ଆକ୍ସନ କମିଟି (AAC) ର ଡେଡଲାଇନ୍

ଏହି ଆନ୍ଦୋଳନକୁ ଅଓ୍ବାମୀ ଆକ୍ସନ କମିଟି (AAC) ପରିଚାଳନା କରୁଛି। କମିଟି ପକ୍ଷରୁ ପାକିସ୍ତାନ ସରକାରଙ୍କ ସାମ୍ନାରେ ୩୮ଟି ଦାବି ବିଶିଷ୍ଟ ଏକ ଚାର୍ଟର ରଖାଯାଇଛି ଏବଂ ଏହାକୁ ପୂରଣ କରିବା ପାଇଁ ୨୩ ଜୁନ୍ ପର୍ଯ୍ୟନ୍ତ ସମୟ (Deadline) ଦିଆଯାଇଛି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ସରକାର ଏହି ଦାବିଗୁଡ଼ିକୁ ଗ୍ରହଣ ନକରନ୍ତି, ତେବେ AAC ନେତାମାନେ ରାୱଲକୋଟରୁ PoK ର ପ୍ରଶାସନିକ ରାଜଧାନୀ ମୁଜାଫରାବାଦ ପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ପ୍ରଦର୍ଶନକାରୀଙ୍କୁ ନେଇ ଏକ ବିଶାଳ ମାର୍ଚ୍ଚ ବା ଶୋଭାଯାତ୍ରା କରିବେ ବୋଲି ଚେତାବନୀ ଦେଇଛନ୍ତି।