ଇସ୍ଲାମାବାଦ : ଜମ୍ମୁ-କାଶ୍ମୀର ପହଲଗାଁବ ଆତଙ୍କବାଦୀ କାଣ୍ଡ ପରେ ଭାରତ ସିନ୍ଧୁ ଜଳ ସନ୍ଧି ବାତିଲ କରିଦେଇଛି। ଭାରତର ଏହି ନିଷ୍ପତ୍ତି ଏବେ ପାକିସ୍ତାନକୁ ଗୁରୁତର ପ୍ରଭାବିତ କରିଛି। ଗୁରୁତରଜଳ ସଂକଟ ଓ କୂଟନୈତିକ ଭାବେ ବିଛିନ୍ନ ପାକିସ୍ତାନ ଏବେ ପୁଣି ଭାରତ ବିରୋଧରେ ବିଷଉଦଗାରିଛି। ତେବେ ଏଥିରେ ଭାରତର ପ୍ରତିକ୍ରିୟା ପୂର୍ବ ଭଳି ଥିବା ବେଳେ ନିରବ ରହିଛି। ସିନ୍ଧୁ ଜଳ ସନ୍ଧିକୁ ନେଇ ଇସ୍ଲାମାବାଦରେ ଅନୁଷ୍ଠିତ ସେମିନାରରେ ପାକିସ୍ତାନ ଉପ ପ୍ରଧାନମନ୍ତ୍ରୀ ଇସାକ୍ ଡାର, ପାକିସ୍ତାନ ପ୍ୟୁପିଲ୍ସ ପାର୍ଟି ନେତା ବିଲାବଲ ଭୁଟ୍ଟୋ ଓ ମନ୍ତ୍ରୀ ମୁସାଦିକ୍ ମଲ୍ଲିକ ଭାରତର ନାମ ନେଇ ଧମକ ଦେଇଛନ୍ତି।

ଏହି ଆଲୋଚନାଚକ୍ରରେ ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ଇସାକ୍ ଡାର ସିନ୍ଧୁ ଜଳ ସନ୍ଧି (ଆଇଡବ୍ଲୁଟି)କୁ ରଦ୍ଦ କରିବା ଲାଗି ଭାରତର ନିଷ୍ପତ୍ତିକୁ ବେଆଇନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ପାଣିକୁ କେବେବି ରାଜନୈତିକ ଅସ୍ତ୍ର କରାଯିବା ଉଚିତ ନୁହେଁ। ରେଡିଓ ପାକିସ୍ତାନ ରିପୋର୍ଟ ଅନୁସାରେ ଡାର କହିଛନ୍ତି ଯେ କୌଣସି ପକ୍ଷ ଏକତରଫା ଭାବେ ଏପରି ସନ୍ଧିକୁ ସମାପ୍ତ କରିପାରିବନି। ଏଥିରେ ଏପରି କୌଣସି ପ୍ରାବଧାନ ନାହିଁ। ଏହି ଜଳ ସନ୍ଧି କେବଳ ଜଳ ଆବଣ୍ଟନ ବୁଝାମଣା ନୁହେଁ। ଡାର କହିଛନ୍ତିଯେ ପାକିସ୍ତାନକୁ ଦିଆଯାଇଥିବା ପାଣିକୁ ମୋଡିବା, ରୋକିବା ଅଥବା କମ କରିବା ପାଇଁ କୌଣସି ଉଦ୍ୟମକୁ ଯୁଦ୍ଧ ମନେକରାଯିବ।

ଏଣୁ ଡାର ଧମକ ଦେଇଛନ୍ତି ଯେ ପାକିସ୍ତାନକୁ ହକ୍ ରେ ମିଳୁଥିବା ପାଣିରୁ ବଞ୍ଚିତ କରିବାର ଉଦ୍ୟମ ଅର୍ଥ କ୍ଷେତ୍ରିୟ ଶାନ୍ତି ଓ ସୁରକ୍ଷା ଉପରେ ଗୁରୁତର ପ୍ରଶ୍ନଚିହ୍ନ ଲଗାଇଛି। ସେହିପରି ଇସ୍ଲାମବାଦର କୂଟନୈତିକ ବିଛିନ୍ନତାକୁ ଲୁଚାଇବା ପାଇଁ ବିଲାୱଲ ଭୁଟ୍ଟୋ କହିଛନ୍ତି ଯେ ପାଣିକୁ ଅସ୍ତ୍ର ରୂପେ ବ୍ୟବହାର କରିବା ଅନ୍ତର୍ଜାତୀୟ ଆଇନ ବିରୁଦ୍ଧ। ପାକିସ୍ତାନ ନିଜ ନାଗରିକଙ୍କ ମୌଳିକ ଅଧିକାର ସହିତ ଆଦୌ ବୁଝାମଣା କରିପାରିବ ନାହିଁ। ଏଥିରେ ମୁସାଦିକ ମଲ୍ଲିକ କହିଛନ୍ତି ଯେ ସିନ୍ଧୁ ନଦୀର ଭବିଷ୍ୟତ ସାରା ବିଶ୍ୱରେ ଅନ୍ତର୍ଜାତୀୟ ବୁଝାମଣାର ବିଶ୍ୱସନୀୟତା ନିର୍ଦ୍ଧାରଣ କରିବ।

ଏହାଛଡା ସେ କହିଛନ୍ତି ଯେ ସିନ୍ଧୁ ଜଳ ସନ୍ଧି ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ଦେଶଙ୍କ ମଧ୍ୟରେ ଏ ପର୍ଯ୍ୟନ୍ତ ୩ଟି ଯୁଦ୍ଧ ଦେଖିଛି। ଯଦି ଏହି ସନ୍ଧି ନ ରହେ ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବାଦେ ବିଶ୍ୱରେ କାଗଜପତ୍ରରେ ହୋଇଥିବା ବିଶ୍ୱବ୍ୟବସ୍ଥା ସୁରକ୍ଷିତ ରହିବ ନାହିଁ। ମୁସାଦିକ ମଲ୍ଲିକ କହିଛନ୍ତି ଯେ ଯେତେବେଳେ କୌଣସି ଆଇନର ପରୀକ୍ଷଣ ଆବଶ୍ୟକ ପଡେ ସେତେବେଳେ ଏହାକୁ ଦୁର୍ବଳ ବିନ୍ଦୁ ଉପରେ ପରୀକ୍ଷଣ କରାଯିବା ଦରକାର ସିନ୍ଧୁ ଜଳ ସନ୍ଧି ବିଶ୍ୱର ସବୁଠୁ ମଜଭୁତ ଜଳ ସନ୍ଧି।

ତେବେ ଭାରତ ଜଳ ସନ୍ଧି ବାତିଲ କରିବା ପରେ ପାକିସ୍ତାନ ବାରମ୍ବାର ଭାରତ ଉପରେ ସନ୍ଧି ଉଲ୍ଲଂଘନର ଅଭିଯୋଗ କରି ଆସୁଛି। ମଙ୍ଗଳବାର ଅନୁଷ୍ଠିତ ସେମିନାରରେ ମଧ୍ୟ ପାକିସ୍ତାନ ପୁଣି ଅଭିଯୋଗ ଦୋହରାଇଛି। ତେବେ ପାକିସ୍ତାନର ଏପରି ବୟାନବାଜୀ ଉପରେ ଏପର୍ଯ୍ୟନ୍ତ ଭାରତ କୌଣସି ପ୍ରକାରର ଅଧିକାରୀକ ଟିପ୍ପଣୀ କରି ନାହିଁ। ତେବେ ବିଶ୍ୱ ଜଳ ଦିବସ ୨୦୨୬ ଅବସରରେ ମିଳିତ ଜାତିସଂଘର ଏକ କାର୍ଯ୍ୟକ୍ରମରେ ଭାରତର ସ୍ଥାୟୀ ପ୍ରତିନିଧି ହରିଶ ପର୍ଭଥନେନୀ କହିଛନ୍ତି ଯେ ବାରମ୍ବାର ଉସକାଇବା, ଦ୍ୱିପାକ୍ଷୀୟ ଆଲୋଚନା ବିଫଳ ହେବା ପରେ ଭାରତ ସନ୍ଧି ବାତିଲ ପାଇଁ ବାଧ୍ୟ ହେଲା। ସେ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଆତଙ୍କବାଦକୁ ସମର୍ଥନ ଦେବା ବନ୍ଦ କରିବା ଲାଗି ନିର୍ଭର ଯୋଗ୍ୟ ଓ ପକ୍କା ପଦକ୍ଷେପ ନ ନେଇଛି ସେ ପର୍ଯ୍ୟନ୍ତ ସିନ୍ଧୁ ଜଳ ସନ୍ଧି ବାତିଲ ରହିବ।

ବିଶ୍ୱବ୍ୟାଙ୍କ ମଧ୍ୟସ୍ଥତାରେ ୧୯୬୦ ମସିହାରେ ହୋଇଥିବା ସିନ୍ଧୁ ଜଳ ସନ୍ଧି ନଦୀର ଜଳ ଆବଣ୍ଟନକୁ ନିୟନ୍ତ୍ରିତ କରେ। ଏହି ସନ୍ଧି ଅନୁସାରେ ଭାରତର ପୂର୍ବ ଦିଗରେ ଥିବା ନଦୀ ରାବି, ସତଲୁଜ ଓ ବ୍ୟାସ ଉପରେ ନିୟନ୍ତ୍ରଣ ରହିଛି। ପାକିସ୍ତାନକୁ ପଶ୍ଚିମ ନଦୀ ସିନ୍ଧୁ, ଝେଲମ ଓ ଚିନାବର ପାଣି ମିଳିଥାଏ। ୨୦୨୫ ପର୍ଯ୍ୟନ୍ତ ଏହି ସନ୍ଧି ଦୁଇ ଦେଶଙ୍କ ମଧ୍ୟରେ ୧୯୬୫ ଓ ୧୯୭୧ ଯୁଦ୍ଧ ସମେତ ୧୯୯୯ କାର୍ଗିଲ ଯୁଦ୍ଧରେ ମଧ୍ୟ କାୟମ ଥିଲା।