ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ୍ (PTI) ର ପ୍ରତିଷ୍ଠାତା ଇମ୍ରାନ ଖାନଙ୍କ ମୁକ୍ତି ଦାବିରେ ଦଳ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଅଗଷ୍ଟ ୫ ତାରିଖରୁ ପିଟିଆଇ ସାରା ଦେଶରେ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛି। ଇସଲାମାବାଦର ଖୈବର ପାଖ୍ତୁନଖ୍ୱା ହାଉସ୍ଠାରେ ପିଟିଆଇର ଅନ୍ତରୀଣ ଅଧ୍ୟକ୍ଷ ବ୍ୟାରିଷ୍ଟର ଗୋହର ଅଲି ଖାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଅଗଷ୍ଟ ୫, ୨୦୨୩ରେ ଇସଲାମାବାଦର ଏକ କୋର୍ଟ ଇମ୍ରାନ ଖାନଙ୍କୁ ତୋଷାଖାନା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆସନ୍ତା ଅଗଷ୍ଟ ୫ ତାରିଖରେ ଇମ୍ରାନଙ୍କ ଜେଲ୍ ଜୀବନର ୩ ବର୍ଷ ପୂର୍ଣ୍ଣ ହେବ। ଏହି ଦିନରେ ଦଳ ସାରା ଦେଶରେ ଆନ୍ଦୋଳନ କରିବ। ପିଟିଆଇର ସାଧାରଣ ସମ୍ପାଦକ ସଲମାନ ଅକ୍ରମ ରାଜାଙ୍କ କହିବା ଅନୁଯାୟୀ, ଏହି ଦେଶବ୍ୟାପୀ ଆନ୍ଦୋଳନରେ ବଡ଼ ବଡ଼ ଜନସଭା, ବିକ୍ଷୋଭ ପ୍ରଦର୍ଶନ ଏବଂ ଏକ ବିରାଟ 'ଲଙ୍ଗ୍ ମାର୍ଚ୍ଚ' ସାମିଲ । ଏଥିପାଇଁ ମେହମୁଦ ଖାନ ଅଚକଜଇ ଏବଂ ଅଲ୍ଲାମା ରାଜା ନାସିର ଅବ୍ବାସଙ୍କ ଭଳି ବରିଷ୍ଠ ନେତାଙ୍କ ପରାମର୍ଶ ନିଆଯିବ।

ପିଟିଆଇ ନେତୃତ୍ୱ ଅଭିଯୋଗ କରିଛନ୍ତି ଯେ, ରାୱଲପିଣ୍ଡିର ଆଦିଆଲା ଜେଲରେ ଇମ୍ରାନ ଖାନଙ୍କୁ ଅତ୍ୟନ୍ତ ଖରାପ ପରିସ୍ଥିତିରେ ରଖାଯାଇଛି।ଗତ ବର୍ଷ ଡିସେମ୍ବର ମାସରୁ ଇମ୍ରାନ ଖାନଙ୍କୁ ତାଙ୍କ ପରିବାର ଲୋକ କିମ୍ବା ଓକିଲମାନଙ୍କୁ ଭେଟିବାକୁ ଦିଆଯାଉ ନାହିଁ। ତାଙ୍କ ଭଉଣୀମାନଙ୍କୁ ମଧ୍ୟ ଦେଖା କରିବାକୁ ବାରଣ କରାଯାଇଛି।

ସଲମାନ ଅକ୍ରମ ରାଜା କହିଛନ୍ତି ଯେ, ଇମ୍ରାନଙ୍କୁ ସଠିକ୍ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉ ନାହିଁ। ଜୁନ୍ ୧୪ ତାରିଖରେ ତାଙ୍କ ଆଖିର ଚିକିତ୍ସା ପାଇଁ ଇସଲାମାବାଦର ଏକ ମେଡିକାଲକୁ ନିଆଯାଇ ପୁଣି ଜେଲକୁ ଫେରାଇ ଅଣାଯାଇଥିଲା। ଇମ୍ରାନଙ୍କ ସହ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ମଧ୍ୟ ଦଳ ଚିନ୍ତା ପ୍ରକଟ କରିଛି।

ସରକାର ଦଳୀୟ କର୍ମୀଙ୍କ ଉପରେ ଯଦି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ତେବେ ପରିସ୍ଥିତି ଜଟିଳ ହେବ ବୋଲି ପିଟିଆଇ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟପଟେ, ଇମ୍ରାନ ଖାନଙ୍କ ଓକିଲ ୟୁନସ ଚୌଧୁରୀ ଆଦିଆଲା ଜେଲ ପ୍ରଶାସନ ନିକଟରେ ୬ ଜଣ ନେତାଙ୍କ ଏକ ତାଲିକା ଦାଖଲ କରିଛନ୍ତି, ଯେଉଁମାନେ ଶୀଘ୍ର ଜେଲରେ ଇମ୍ରାନଙ୍କୁ ଭେଟିବାକୁ ଯୋଜନା ରଖିଛନ୍ତି।