ଲାହୋର,୦୩/୦୮:ପାକିସ୍ତାନରେ ରବିବାର ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ଏବେସୁଦ୍ଧା ୧୪ ଜଣ ପ୍ରାଣ ହରାଇଛନ୍ତି ।ଏମାନଙ୍କ ମଧ୍ୟରେଜଣ ସୁରକ୍ଷାକର୍ମୀ ରହିଥିବା ସୂଚନା ମିଳିଛି । ଗତକାଲିଦେଶର ଖାଇବର ପଖତୁନଖ୍ୱା ପ୍ରଦେଶସ୍ଥିତ ସ୍ୱାଟ ଜିଲ୍ଲାରେ ଥିବା କବାଲ ପୋଲିସ ଷ୍ଟେସନ ନିକଟରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ପ୍ରଥମେ ୫ ଜଣ ପୋଲିସ କର୍ମଚାରୀ ଏବଂ ୪ ଜଣ ସାଧାରଣ ନାଗରିକଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଥିଲା । ଯାହା ଏବେ ୧୪ ଛୁଇଁଛି । ଏହାସହ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ମଲାକାଣ୍ଡର ଆଞ୍ଚଳିକ ପୋଲିସ ଅଫିସର (RPO) ଏବଂ ଜିଲ୍ଲା ପୋଲିସ ମୁଖ୍ୟ ଓମାର ଖାନ ଏହି ସୂଚନା ଦେଇଛନ୍ତି।

Also Read :- ଜେଲ୍‌ରେ କୁଖ୍ୟାତ ଅପରାଧୀ ବବଲୁ; ସୁନା ଗହଣା ବିବାଦକୁ ନେଇ ଭାଇବୋହୂକୁ ଜୀବନରୁ ମାରିଦେବାର ଧମକ, ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ସ୍ତ୍ରୀ

ଫିଦାଏଁ ଆକ୍ରମଣ

ରିପୋର୍ଟ ଅନୁସାରେ, କବାଲ ସହରରେ ଆତଙ୍କବାଦ ବିରୋଧରେ ଏବଂ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଦାବିରେ 'ସ୍ୱାଟ ଅମନ ଜିରଗା' ପକ୍ଷରୁ ଏକ ଶାନ୍ତି ରାଲି ବାହାରିଥିଲା। ଆତଙ୍କବାଦୀ ବିରୋଧୀ ନାରାବାଜି କରି ଶହ ଶହ ଲୋକ ରାଲିରେ କବାଲ ପୋଲିସ ଷ୍ଟେସନ ପାଖ ଦେଇ ଯାଉଥିବା ସମୟରେ ଆତ୍ମଘାତୀ ବିସ୍ଫୋରଣକାରୀ ବା ଫିଦାଏଁ ନିଜକୁ ଉଡ଼ାଇ ଦେଇଥିଲା।

ଚାରିଆଡେ ଭୟର ମାହୋଲ

ବିସ୍ଫୋରଣ ପରେ ପୂରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ କଳା ଧୂଆଁର ଆସ୍ତରଣ, ଭଙ୍ଗାରୁଜା ଗାଡ଼ି ଏବଂ ଲୋକଙ୍କ ଆତଙ୍କିତ ହୋଇ ଦୌଡ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଘଟଣା ପରେ ପୋଲିସ, ସୁରକ୍ଷା ବାହିନୀ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚି ଗୁରୁତର ଆହାତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ପୋଲିସ ପୂରା ଅଞ୍ଚଳକୁ ଘେରାଉ କରି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ତଦନ୍ତ ଆରମ୍ଭ କରିଛି।

ଆକ୍ରମଣ କଲେ ଗୃହମନ୍ତ୍ରୀ

ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ୍ ନକଭି ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ଏବଂ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହାତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ସିଧାସଳଖ ନିଜକୁ ଦାୟୀ କରିନାହାନ୍ତି। ତଥାପି, ଏହି ଆକ୍ରମଣ ପଛରେ 'ତେହରିକ୍-ଇ-ତାଲିବାନ୍ ପାକିସ୍ତାନ' (TTP)ର ହାତ ଥିବା ସନ୍ଦେହ କରାଯାଉଛି। ଟିଟିପି ହେଉଛି ଆଫଗାନିସ୍ତାନର ତାଲିବାନ୍ ଶାସକଙ୍କ ଏକ ସହଯୋଗୀ ସଂଗଠନ।