ଇସଲାମାବାଦ: ଇରାନ୍ ଉପରେ ଇସ୍ରାଏଲ ଏବଂ ଆମେରିକା ଆକ୍ରମଣ ଜାରି ରଖିଛନ୍ତି । ଏହାର ପ୍ରତିଜବାବ ବି ଦେଉଛି ଇରାନ୍ । ଏହା ସହ ତେହେରାନ ଉପସାଗରୀ ଦେଶଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ କରୁଛି । ଏସବୁ ପରିସ୍ଥିତିରେ, ବିଶ୍ବର ବିଭିନ୍ନ ଦେଶରେ ଶକ୍ତି ସଙ୍କଟ ଦେଖା ଦେଇଛି । ପଶ୍ଚିମ ଏସିଆରେ ଜାରି ସଂଘର୍ଷ ମଧ୍ୟରେ ପାକିସ୍ତାନରେ ପେଟ୍ରୋଲ-ଡିଜେଲ୍ ଘୋର୍‌ ଅଭାବ ଦେଖାଦେଇଛି ।  ଏଭଳି ସ୍ଥିତିର ମୁକାବିଲା କରିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି ଶାହବାଜ ସରକାର । 

ପାକିସ୍ତାନରେ ଲକଡାଉନ୍ !

ଇରାନ ଯୁଦ୍ଧ ପରେ, ବିଶ୍ୱବ୍ୟାପୀ ତୈଳ ସଙ୍କଟ ଦେଖାଦେଇଛି। ଏହି ସଙ୍କଟ ଯୋଗୁଁ ପାକିସ୍ତାନର ପରିସ୍ଥିତି ଖରାପ ହୋଇଛି। ଏହି ସଙ୍କଟର ସମାଧାନ ପାଇଁ, ଶାହବାଜ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ପାକିସ୍ତାନରେ ଏକ ସ୍ମାର୍ଟ ଲକଡାଉନ୍ ଲାଗୁ ହେବାକୁ ଯାଉଛି । ଏହି ଲକଡାଉନ୍ ଏପ୍ରିଲ ୪-୫ ରୁ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି । ଏହି ନିଷ୍ପତ୍ତି ଆଧାରରେ ପ୍ରତି ସପ୍ତାହରେ ଦୁଇ ଦିନ ଲାଗିବ ସ୍ମାର୍ଟ ଲକଡାଉନ୍ ।

କଣ ସବୁ ବନ୍ଦ ହେବ ?

ସ୍ମାର୍ଟ ଲକଡାଉନ ନିଷ୍ପତ୍ତି ଆଧାରରେ ପ୍ରଥମେ ଏପ୍ରିଲ ୪ (ଶନିବାର) ରାତି ୧୨ଟାରୁ ରବିବାର ଦିନ ୧୨ଟା ପର୍ଯ୍ୟନ୍ତ ପାକିସ୍ତାନର ସମସ୍ତ ଦୋକାନ ବନ୍ଦ ରହିବ। ଏହା ବ୍ୟତୀତ, ମୋଟରୱେ ଏବଂ ରାଜପଥଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ରହିବ । ଅର୍ଥାତ୍ ରାଜପଥରେ ଗଡ଼ିବନି ଗାଡ଼ି ମୋଟର । ଏହି ସ୍ମାର୍ଟ ଲକଡାଉନରେ ସ୍ଥିର ହୋଇଥିବା ବିବାହ ମଧ୍ୟ ହୋଇପାରିବ ନାହିଁ ।

Also Read: କେରଳରେ କଂଗ୍ରେସ-କମ୍ୟୁନିଷ୍ଟ ଉପରେ ବର୍ଷିଲେ ମୋଦି, କହିଲେ-ଏଥରେ ରାଜ୍ୟରେ NDA ସରକାର

ଉଚ୍ଚ ମୁଦ୍ରାସ୍ଫୀତି ଏବଂ ଦାରିଦ୍ର୍ୟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ଇରାନ୍ ଯୁଦ୍ଧର ପ୍ରଭାବ । ତେଲ ଓ ଗ୍ୟାସର ଅଭାବ ଯୋଗୁଁ ପାକିସ୍ତାନର ସମସ୍ୟା ବହୁଗୁଣିତ ହୋଇଛି । ଏଲପିଜି ଠାରୁ ପେଟ୍ରୋଲ ଏବଂ ଡିଜେଲ ପର୍ଯ୍ୟନ୍ତ ସବୁକିଛିର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି, ଯାହା ଲୋକଙ୍କ ପକେଟକୁ ପ୍ରଭାବିତ କରୁଛି। ପଡ଼ୋଶୀ ଦେଶ ଶକ୍ତି ସଙ୍କଟର ସମାଧାନ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି ।

ସିଲିଣ୍ଡର ମୂଲ୍ୟ କେତେ ?

ପାକିସ୍ତାନରେ, ୧୧.୬୭ କିଲୋଗ୍ରାମର ସିଲିଣ୍ଡରର ମୂଲ୍ୟ ₹୩,୯୦୦ ରୁ ବୃଦ୍ଧି ପାଇ ₹୫,୧୩୫ ହୋଇଛି । ଏହା ପୂର୍ବରୁ ସିଲିଣ୍ଡର ମୂଲ୍ୟ ₹୩,୧୫୦ ରୁ ₹୩,୯୫୦ ମଧ୍ୟରେ ରହିଥିଲା । ଏହି ଦର ବୃଦ୍ଧି ସାଧାରଣ ଲୋକଙ୍କଠାରୁ ପରିବହନ କ୍ଷେତ୍ର ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଭାବିତ କରୁଛି। ରିକ୍ସା, ବସ୍ ଏବଂ ମିନିବସ୍ ଭଳି ଏଲପିଜି ଚାଳିତ ଯାନର ଭଡ଼ା ମଧ୍ୟ ବୃଦ୍ଧି ପାଇଛି । ଫଳରେ ନିମ୍ନ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକ ସମସ୍ୟା ଭୋଗୁଛନ୍ତି । ସେପଟେ ଭାରତରେ ମଧ୍ୟ ଲକଡାଉନ୍‌ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏନେଇ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦେଇଛନ୍ତି ।