ନୂଆଦିଲ୍ଲୀ:  SCO ସିଭିଲାଇଜେସନାଲ୍ ଡାଏଲଗ୍ ଫୋରମ୍‌ରେ ଯୋଗଦେବା ପାଇଁ ଶୁକ୍ରବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମୁସାଦିକ ମସୁଦ ମଲିକ । ସେ ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାର ଆସିବା ନେଇ ଆଶା ପ୍ରକାଶ କରିଛନ୍ତି। ନଭେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀରେ ସେ ଇସଲାମାବାଦର ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ଗତ ତିନି ବର୍ଷରୁ ଅଧିକ ସମୟ ପରେ ପ୍ରଥମ ପାକିସ୍ତାନୀ ମନ୍ତ୍ରୀ ଭାବରେ ସେ ଭାରତ ଗସ୍ତରେ ଆସିଛନ୍ତି।   ଭାରତରେ ପହଞ୍ଚିବା ପରେ ଏଏନଆଇକୁ ପ୍ରତିକ୍ରିୟା ଦେଇ ମୁସାଦିକ ମଲିକ କହିଛନ୍ତି ଯେ, ଏହି ପ୍ରଥମ ଏସ୍‌ସିଓ ସିଭିଲାଇଜେସନାଲ୍ ଡାଏଲଗ୍ ଫୋରମ୍ ମାଧ୍ୟମରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କରେ ନିଶ୍ଚିତ ଉନ୍ନତି ଆସିବ। 

ସେ କହିଛନ୍ତି, ବର୍ତ୍ତମାନ ସମଗ୍ର ଅଞ୍ଚଳ ଏକ ପରିବର୍ତ୍ତନଶୀଳ ପରିସ୍ଥିତି ଦେଇ ଗତି କରୁଛି । ଭୂ-ରାଜନୈତିକ ସମୀକରଣ ଦ୍ରୁତ ଗତିରେ ବଦଳୁଛି। ଏଭଳି ସ୍ଥିତିରେ ଏହି ଫୋରମ୍‌କୁ ନିମନ୍ତ୍ରିତ ହୋଇଥିବା ୧୦ ସଦସ୍ୟ ରାଷ୍ଟ୍ର ଏକ ବ୍ୟାପକ ଦୃଷ୍ଟିକୋଣ ରଖି ସମସ୍ତ ରାଜନୈତିକ, ସାମାଜିକ ଏବଂ ଆଲୋଚନାଯୋଗ୍ୟ ପ୍ରସଙ୍ଗ ଉପରେ ବିଚାର କରିବେ । ଏହି ବହୁପାକ୍ଷିକ ଆଲୋଚନାକୁ ଏକ ବଡ଼ ସୁଯୋଗ ବୋଲି କହିଛନ୍ତି ପାକିସ୍ତାନୀ ମନ୍ତ୍ରୀ । ସଂସ୍କୃତି ଏବଂ ସଭ୍ୟତା କୌଣସି ସୀମା ସରହଦ ମାନେ ନାହିଁ। ନିଜର ଇତିହାସ, ଭୂଗୋଳ ଏବଂ ସଂସ୍କୃତି ଉପରେ ଆଲୋଚନା କରିବା ପାଇଁ ଏହା ଏକ ଚମତ୍କାର ମଞ୍ଚ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସଭ୍ୟତାଗତ ସମ୍ପର୍କକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଆଲୋଚନା ସର୍ବଦା ଭିନ୍ନତା ମଧ୍ୟରେ ହିଁ ହୋଇଥାଏ ।। ଏକତା ବା ସମାନତା ଭିତରେ କେବଳ ଏକପାଖିଆ କଥା ହୁଏ । 

ଭାରତ, ପାକିସ୍ତାନ, ଋଷ, ଚୀନ ଏବଂ ମଧ୍ୟ ଏସୀୟ ରାଷ୍ଟ୍ରଗୁଡ଼ିକର ପୁରାତନ ଇତିହାସକୁ ଦେଖିଲେ ଏହି ସାଂସ୍କୃତିକ ଆଦାନପ୍ରଦାନ ସ୍ପଷ୍ଟ ଜଣାପଡ଼େ।ସୀମାପାର ଆତଙ୍କବାଦକୁ ନେଇ ଭାରତର ଚିନ୍ତା ସମ୍ପର୍କରେ ମୁସାଦିକ ମଲିକ କହିଛନ୍ତି ଯେ, ଶନିବାର ଦିନ ସମ୍ମିଳନୀରେ ତାଙ୍କର ବିବୃତ୍ତି ରଖିବା ପରେ ଏ ନେଇ ଅନେକ ଆଲୋଚନା ହେବ। ଉଲ୍ଲେଖଯୋଗ୍ୟ ଯେ, ୨୦୨୫ ମେ ମାସରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ଭାରତ ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ ଶିବିର ଉପରେ ଆକ୍ରମଣ କରିଥିଲା ।  ଯାହାଫଳରେ ଦୁଇ ଦେଶ ମଧ୍ୟରେ ଚାରି ଦିନ ଧରି ସାମରିକ ସଂଘର୍ଷ ଚାଲିଥିଲା। ସେହି ଘଟଣା ପରେ ପ୍ରଥମ ଥର ପାଇଁ କୌଣସି ପାକିସ୍ତାନୀ ମନ୍ତ୍ରୀ ଭାରତ ଗସ୍ତରେ ଆସିଛନ୍ତି। ସେପଟେ ସିନ୍ଧୁ ଜଳ ଚୁକ୍ତି ନିଲମ୍ବନ ନିଷ୍ପତ୍ତିକୁ ନେଇ ଭାରତକୁ ଟାର୍ଗେଟ କରିଥିଲେ ମୁସାଦିକ ମଲିକ୍‌ । ପାକିସ୍ତାନକୁ ସିନ୍ଧୁ ଜଳ ବନ୍ଦ କଲେ ହାତ କାଟିଦିଆଯିବ ବୋଲି ସେ କହିଥିଲେ । କିନ୍ତୁ ଆଜି ସେ ଭାରତରେ ପହଞ୍ଚିବା ପରେ ସୁସଂପର୍କର କଥା କହିଛନ୍ତି ।