ଇସ୍ଲାମାବାଦ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତିକୁ ନେଇ ବଢ଼ୁଥିବା ବିବାଦ ମଧ୍ୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଭାରତକୁ ଯୁଦ୍ଧର ଧମକ ଦେଇଛନ୍ତି। ଖ୍ୱାଜା ଆସିଫ ପାକିସ୍ତାନ ଚ୍ୟାନେଲା ଆର୍ଯ୍ୟା ନ୍ୟୁଜକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ଯଦି ପାକିସ୍ତାନର ଜଳ ସୁରକ୍ଷା ବିପଦରେ ପଡ଼େ, ତେବେ ଇସଲାମାବାଦ ଭାରତ ବିରୋଧରେ ସାମରିକ ପଦକ୍ଷେପ ନେଇପାରେ।

ସେ ସ୍ପଷ୍ଟ ଭାବେ କହିଛନ୍ତି, "ଯେଉଁ ମୁହୂର୍ତ୍ତରେ ଆମେ ଅନୁଭବ କରିବୁ ଯେ ଆମର ଜାତୀୟ ସୁରକ୍ଷା (ଯାହାର ଏକ ଅଂଶ ଜଳ) ବିପଦରେ ଅଛି, ସେତେବେଳେ ଆମେ ନିଶ୍ଚିତ ଭାବେ ଭାରତ ସହ ଯୁଦ୍ଧ କରିବୁ।" ଯଦି ଭାରତ ଜଳ ଯୋଗାଣରେ ବାଧା ସୃଷ୍ଟି କରୁଥିବାର ଠୋସ ପ୍ରମାଣ ମିଳେ, ତେବେ ପାକିସ୍ତାନ ଏପରି ପଦକ୍ଷେପ ନେବ ବୋଲି ସେ ପ୍ରକାଶ କରିଛନ୍ତି।

ଏହା ପୂର୍ବରୁ ଭାରତର ଜଳ ଶକ୍ତି ମନ୍ତ୍ରୀ ସି.ଆର. ପାଟିଲ ଜୁନ୍ ୨୦୨୮ ସୁଦ୍ଧା ପାକିସ୍ତାନକୁ ସିନ୍ଧୁ ଜଳ ପ୍ରବାହ ସମ୍ପୂର୍ଣ୍ଣ ବନ୍ଦ କରିବା ବିଷୟରେ ଦାବି କରିଥିଲେ। ପାଟିଲଙ୍କ ଏଭଳି ଦାବି ପରେ ପାକିସ୍ତାନ ମନ୍ତ୍ରୀଙ୍କର ଏଭଳି ବୟାନ ସାମ୍ନାକୁ ଆସିଛି।

ସିନ୍ଧୁ ଜଳ ଚୁକ୍ତିକୁ ନେଇ ଉତ୍ତେଜନା

ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଦୁଇ ପରମାଣୁ ଶକ୍ତିସମ୍ପନ୍ନ ପଡ଼ୋଶୀ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିଛି। ପାକିସ୍ତାନ ସୀମା ପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ପ୍ରତିଶୋଧ ସ୍ୱରୂପ ଭାରତ ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିକୁ ନିଲମ୍ବିତ କରିଛି। ଏହି ଚୁକ୍ତି ସେତେବେଳେ ପର୍ଯ୍ୟନ୍ତ ବଳବତ୍ତର ରହିବ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ସୀମାପାର ଆତଙ୍କବାଦକୁ ପାଣ୍ଠି ଯୋଗାଣ ବନ୍ଦ ନକରିବ ବୋଲି ଭାରତ କହିଛି।

ବିଶ୍ୱ ବ୍ୟାଙ୍କ ମଧ୍ୟସ୍ତିରେ ହୋଇଥିବା ସିନ୍ଧୁ ଜଳ ଚୁକ୍ତି ଅନୁଯାୟୀ, ପାକିସ୍ତାନକୁ ସିନ୍ଧୁ ଜଳ ଅବବାହିକାର ପ୍ରାୟ ୮୦ ପ୍ରତିଶତ ଜଳ ମିଳିଥାଏ, ଯାହା ଦେଶର ୮୦ ପ୍ରତିଶତ କୃଷି ଜମିକୁ ଜଳସେଚନ କରେ। ବର୍ତ୍ତମାନ ଭାରତ ପାଣି ବନ୍ଦ କରିଥିବାରୁ ପାକିସ୍ତାନରେ ଜଳ ସଂକଟ ଦେଖା ଦେଇଛି।

ଖ୍ୱାଜା ଆସିଫ ଭାରତ ଉପରେ ଜଳକୁ ଅସ୍ତ୍ର ଭାବେ ବ୍ୟବହାର କରିବା, ଚେନାବ ନଦୀର ପ୍ରବାହକୁ ନିୟନ୍ତ୍ରଣ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ଜଳ ବିଜ୍ଞାନ ସମ୍ବନ୍ଧୀୟ ତଥ୍ୟ ଲୁଚାଇଥିବାର ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ ପାକିସ୍ତାନ ପୂର୍ବରୁ ପ୍ରାୟ ୧୧୫ ଥର ପ୍ରକଳ୍ପ ନିରୀକ୍ଷଣ କରିଛି, ତଥାପି ସେ ଗତ ବର୍ଷର ନୂଆ ତଥ୍ୟ ତାଙ୍କ ପାଖରେ ନାହିଁ ବୋଲି ଖ୍ୱାଜା ଆସିଫ ସ୍ୱୀକାର କରିଛନ୍ତି।

ପାକିସ୍ତାନର ଆଭ୍ୟନ୍ତରୀଣ ଜଳ ସଙ୍କଟ

ଏହି ଚେତାବନୀ ଏପରି ଏକ ସମୟରେ ଆସିଛି ଯେତେବେଳେ ପାକିସ୍ତାନର ପ୍ରାୟ ଏକ-ତୃତୀୟାଂଶ ଜନସଂଖ୍ୟା ଗୁରୁତର ଜଳ ଅଭାବର ସମ୍ମୁଖୀନ ହେଉଛନ୍ତି, ବିଶେଷକରି ସିନ୍ଧ ଏବଂ ବାଲୁଚିସ୍ତାନରେ। ସିନ୍ଧର ଜଳସେଚନ ବିଭାଗର ତଥ୍ୟ ଅନୁଯାୟୀ, ନର୍ଥ ୱେଷ୍ଟ କେନାଲରେ ୬୪.୧%, ରାଇସ୍ କେନାଲରେ ୩୮% ଏବଂ ଦାଦୁ କେନାଲରେ ୮୨% ଜଳ ଅଭାବ ଦେଖାଦେଇଛି।

ସିନ୍ଧ ଅଧିକାରୀମାନେ ଉପର ମୁଣ୍ଡରେ ଥିବା ପଞ୍ଜାବ ଉପରେ ସ୍ୱୀକୃତିପ୍ରାପ୍ତ ୪୪,୦୦୦ କ୍ୟୁସେକ ବଦଳରେ ୫୩,୩୯୪ କ୍ୟୁସେକ ଜଳ ବେଆଇନ ଭାବେ ନେଉଥିବାର (୨୧% ଅଧିକ) ଅଭିଯୋଗ ଆଣିଛନ୍ତି। ଜଳ ପ୍ରବାହ ହ୍ରାସ ପାଇବା କାରଣରୁ ସ୍ଥାନୀୟ ନେତାମାନେ ପ୍ରାଦେଶିକ ସୀମାରେ ବିବାଦ ତୀବ୍ର ହେବା ସହ ଏକ "ଅର୍ଥନୈତିକ ନରସଂହାର" ହେବାର ଆଶଙ୍କା ପ୍ରକାଶ କରିଛନ୍ତି। ଏହି ସ୍ଥିତିକୁ ଦେଖିଲେ ଆଗାମୀ ଦିନରେ ଏହି ଜଳ ବିବାଦ କେଉଁ ମୋଡ଼ ନେବ, ତାହା ଦେଖିବାକୁ ବାକି ରହିଲା।