ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀରରେ ଚାଲିଥିବା ଗଣ-ବିଦ୍ରୋହକୁ ଦମନ କରିବା ପାଇଁ ପାକିସ୍ତାନୀ ସେନା ଶେଷରେ ସବୁ ସୀମା ପାର୍ କରିଛି। ରାୱାଲାକୋଟ୍‌ର ଇଦ୍‌ଗା ମୈଦାନରେ ଜମ୍ମୁ ଯୁଗ୍ମ ଆୱାମୀ ଆକ୍ସନ କମିଟି ନେତୃତ୍ୱରେ ଚାଲିଥିବା ଏକ ବିଶାଳ ଶାନ୍ତିପୂର୍ଣ୍ଣ ସମାବେଶକୁ ଟାର୍ଗେଟ୍ କରି ମଧ୍ୟରାତ୍ରିରେ ଏକ ଭୟଙ୍କର ଡ୍ରୋନ୍ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରାୟ ୬୦,୦୦୦ରୁ ଅଧିକ ଆନ୍ଦୋଳନକାରୀ ଶୋଇଥିବା ଅବସ୍ଥାରେ ଏହି ଆକ୍ରମଣ କରାଯାଇଥିଲା । କିନ୍ତୁ ଏହା ବିଫଳ ହୋଇଛି। JAACର ପ୍ରମୁଖ ନେତା ସର୍ଦ୍ଦାର ଉମର ନଜିରଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟାରୁ ୧ଟା ମଧ୍ୟରେ ଏହି ସରକାରୀ ପ୍ରାୟୋଜିତ ହତ୍ୟାକାଣ୍ଡର ଯୋଜନା କରାଯାଇଥିଲା।

ପ୍ରଦର୍ଶନକାରୀମାନେ ଖୋଲା ପଡ଼ିଆରେ ବିଶ୍ରାମ ନେଉଥିବା ବେଳେ ସେନା ପକ୍ଷରୁ ଡ୍ରୋନ୍ ସାହାଯ୍ୟରେ ୪ଟି ସାଂଘାତିକ ବିସ୍ଫୋରକ ପ୍ୟାକେଟ୍ ନିକ୍ଷେପ କରାଯାଇଥିଲା । ସେଥିରେ ସାମରିକ ଗ୍ରେଡ୍‌ର 'RDX' ଏବଂ ପ୍ରିସିସନ ଟାଇମର୍ ଖଞ୍ଜା ଯାଇଥିଲା। ସେଠାରେ ମୁତୟନ ଥିବା JAACର ସ୍ବେଚ୍ଛାସେବୀ ସୁରକ୍ଷାକର୍ମୀମାନଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଏଡ଼ାଇ ଦିଆଯାଇଛି। ସେମାନେ ତୁରନ୍ତ ଉକ୍ତ ବିସ୍ଫୋରକଗୁଡ଼ିକୁ ଜବତ କରିବା ସହ ନିଷ୍କ୍ରିୟ କରିବାରେ ସଫଳ ହୋଇଥିଲେ। ପରବର୍ତ୍ତୀ ସମୟରେ ସର୍ଦ୍ଦାର ଉମର ନଜିର ଏକ ଭିଡିଓ ଜାରି କରି ଜବତ ହୋଇଥିବା ଆରଡିଏକ୍ସ ବ୍ଲକ୍, ଟାଇମର୍ ଏବଂ ଖୋଲା ତାରଗୁଡ଼ିକୁ ସର୍ବସାଧାରଣରେ ପ୍ରଦର୍ଶନ କରିଛନ୍ତି।

ସ୍ଥାନୀୟ ନେତାଙ୍କ କହିବା ଅନୁଯାୟୀ, ପାକିସ୍ତାନର ପ୍ରଶାସନ ପକ୍ଷରୁ ଏହି ଜନଆନ୍ଦୋଳନକୁ ରୋକିବା ପାଇଁ ଏହା ହେଉଛି ତୃତୀୟ ସାଂଘାତିକ ପ୍ରୟାସ ।  ଏହା ପୂର୍ବରୁ ଗତ ଜୁନ୍ ୫ ତାରିଖରୁ ସମଗ୍ର ପିଓକେ ଅଞ୍ଚଳରେ ହାଇ-ସ୍ପିଡ୍ ଇଣ୍ଟରନେଟ୍ ଏବଂ ମୋବାଇଲ୍ ସେବା ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି, ଯେପରି ମାନବାଧିକାର ଉଲ୍ଲଂଘନର ଖବର ବାହାର ଦୁନିଆକୁ ଜଣା ନପଡ଼େ। ସୂଚନା ବନ୍ଦ ପରେ ମଧ୍ୟ ଆନ୍ଦୋଳନ ନଥମିବାରୁ ସେନା ପାରାମିଲିଟାରୀ ଫୋର୍ସ ମାଧ୍ୟମରେ ସାଧାରଣ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲା। ଶବଦାହ ଏବଂ ନମାଜ ପାଠ ସମୟରେ ହୋଇଥିବା ଗୁଳିମାଡ଼ରେ ପ୍ରାୟ ୫୮ ଜଣ ନିରୀହ ନାଗରିକ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି।

ଗତ ଦୁଇ ସପ୍ତାହ ଧରି ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଆର୍ଥିକ ଓ ପ୍ରଶାସନିକ ବାସନ୍ଦ କରାଯାଇଛି। PoK ଭିତରକୁ ଖାଦ୍ୟ ଶସ୍ୟ, ଅଟା ଏବଂ ଜରୁରୀକାଳୀନ ଔଷଧ ଯୋଗାଣ ବନ୍ଦ କରି ଲୋକଙ୍କୁ ଭୋକିଲା ରଖିବାକୁ ଚେଷ୍ଟା କରାଯାଉଛି। ଏହି ସମସ୍ତ ବର୍ବରତା ଏବଂ ପ୍ରାଣଘାତୀ ଡ୍ରୋନ୍ ଆକ୍ରମଣ ପରେ ମଧ୍ୟ ସ୍ଥାନୀୟ ଜନସାଧାରଣ ନିଜର ଅଧିକାର ପାଇଁ ସଂଗ୍ରାମ ଜାରି ରଖିବାକୁ ଦୃଢ଼ ସଙ୍କଳ୍ପବଦ୍ଧ ବୋଲି ସ୍ଥାନୀୟ ନେତା ଦୃଢ଼ୋକ୍ତି ବାଢ଼ିଛନ୍ତି ।