ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୭ରୁ ୨୯ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ‘ଅଙ୍ଗନ ଉତ୍ସବ’ର ପ୍ରସ୍ତୁତି ନେଇ ସୋମବାର ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ପ୍ରାରମ୍ଭିକ ଶିଶୁ ଯତ୍ନ, ପୋଷଣ, ସ୍ୱାସ୍ଥ୍ୟ ଏବଂ ସମୁଦାୟର ସହଭାଗିତାକୁ ସୁଦୃଢ଼ କରିବାରେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ଏହି ତିନିଦିନିଆ ଉତ୍ସବର କାର୍ଯ୍ୟକାରିତା, ପ୍ରଭାବୀ ସମନ୍ୱୟ ଏବଂ ବ୍ୟାପକ ପ୍ରସ୍ତୁତି ଉପରେ ଏହି ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା। ପ୍ରସ୍ତୁତିର ସମୀକ୍ଷା କରି ଶ୍ରୀମତୀ ପ୍ରଭାତୀ ପରିଡ଼ା ସମସ୍ତ ଅଂଶୀଦାରମାନଙ୍କର ସକ୍ରିୟ ସହଭାଗିତାରେ ଏହି ଉତ୍ସବକୁ ଅର୍ଥପୂର୍ଣ୍ଣ, ସମାବେଶୀ ଏବଂ ଜନକୈନ୍ଦ୍ରିକ ଭାବେ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Also Read: ଦୁଇ ମୁଖ୍ୟମନ୍ତ୍ରୀଙ୍କ ଦମ୍ଭୋକ୍ତି: କୌଣସି ବିବାଦ ନାହିଁ କି ସମସ୍ୟା ନାହିଁ, ମହାନଦୀ ଜଳ ସମସ୍ୟାର ସମାଧାନ ଖୁବଶୀଘ୍ର, ବିରୋଧୀ ପଚାରିଲେ ଆଉ କେତେ ଦିନ ?

ଉପ-ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାରେ ଏହି ଉତ୍ସବର ସଫଳ ଆୟୋଜନ ପାଇଁ ପ୍ରସ୍ତାବିତ କାର୍ଯ୍ୟକ୍ରମ, ବ୍ୟବସ୍ଥା ଏବଂ ସମନ୍ୱୟ ପ୍ରକ୍ରିୟାର ମଧ୍ୟ ସମୀକ୍ଷା କରିଥିଲେ। ତୃଣମୂଳ ସ୍ତରରେ ଯୋଜନାବଦ୍ଧ କାର୍ଯ୍ୟକ୍ରମଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ଏବଂ ଅଧିକରୁ ଅଧିକ ଜନସାଧାରଣଙ୍କ ସମ୍ପୃକ୍ତି ସୁନିଶ୍ଚିତ କରିବାକୁ ସେ ଅଫିସରମାନଙ୍କୁ ଆହ୍ୱାନ ଦେଇଥିଲେ।

ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ଶାସନ ସଚିବ ଡ. ମୃଣାଳିନୀ ଦର୍ସ୍ୱାଲ, ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶିକା ଶ୍ରୀମତୀ ମୋନୀଷା ବାନାର୍ଜୀଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।