ଲାହୋର ୧୭।୧୨: ଭାରତୀୟ ବିମାନଙ୍କ ଲାଗି ନିଜ ଏୟାରସ୍ପେସ୍ କୁ ବନ୍ଦ ରଖିଥିବା ପାକିସ୍ତାନ ଏହି କଟକଣାକୁ ବୁଧବାର ଆଉ ମାସାକ ଲାଗି ବଢାଇ ଦେଇଛି। ଫଳରେ ଏହି କଟକଣା ଜାନୁୟାରୀ ୨୩ ପର୍ଯ୍ୟନ୍ତ ଜାରି ରହିବ। ପାକିସ୍ତାନର ଏହି କଟକଣା ଡିସେମ୍ବର ୨୪ରେ ଶେଷ ହେବାର ଥିଲା। ତେବେ ପାକିସ୍ତାନ ବିମାନ ବନ୍ଦର ପ୍ରାଧିକରଣ (ପିଏଏ) କଟକଣାକୁ ୨୩ ଜାନୁୟାରୀ ୨୦୨୬ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛି। ଏ ନେଇ ପିଏଏ ନୋଟିସ ଟୁ ଏୟାର ମେନ (ଏନଓଟିଏଏମ) ଜାରି କରିଥିବା ବେଳେ ଭାରତୀୟ ପଞ୍ଜିକୃତ ବିମାନଙ୍କ ଲାଗି ପାକିସ୍ତାନୀ ବାୟୁକ୍ଷେତ୍ର ବନ୍ଦ ରହିବ।

ପାକିସ୍ତାନର ନୋଟାମ ଯୋଗୁ ବାୟୁକ୍ଷେତ୍ର ନା କେବଳ ଭାରତ ପଞ୍ଜିକୃତ ବିମାନ ଲାଗି ବନ୍ଦ ରହିବ ବରଂ ଭାରତୀୟ ଏୟାରଲାଇନ୍ସ ମାଲିକାନାଧିକ ଓ ଲିଜରେ ନିଆଯାଇଥିବା ବିମାନ ମଧ୍ୟ ଏହି କଟକଣା ଯୋଗୁ ପାକ୍ ବାୟୁ କ୍ଷେତ୍ରକୁ ପ୍ରବେଶ କରିପାରିବେ ନାହିଁ। ଭାରତ-ପାକିସ୍ତାନ ଉତ୍ତେଜନା ଯୋଗୁ ପାକିସ୍ତାନ ନିଜ ବାୟୁକ୍ଷେତ୍ର କଟକଣା ଲଗାତାର ସମ୍ପ୍ରସାରଣ କରିଚାଲିଛି। ଏହି କଟକଣା ସମାପ୍ତ ହେବାର ୭ ଦିନ ପୂର୍ବରୁ ପିଏଏ ପୁଣି କଟକଣାକୁ ସମ୍ପ୍ରସାରଣ କରିଛି। ପାକିସ୍ତାନର ଏହି ନିଷ୍ପତ୍ତି ଯୋଗୁ ଦୁଇ ଦେଶଙ୍କ ମଧ୍ୟରେ ସମ୍ପର୍କର ତତ୍କାଳ ସୁଧାରର କୌଣସି ସଂକେତ ଦେଖାଯାଉନି।

ଗତ ଏପ୍ରିଲରେ ଜମ୍ମୁ-କାଶ୍ମୀର ପହଲଗାମରେ ହୋଇଥିବା ଆତଙ୍କବାଦୀ ଗୁଳିକାଣ୍ଡ ପରେ ପରେ ପାକିସ୍ତାନ ଏହି କଟକଣା ଜାରି କରିଥିଲା। ପରେ ଭାରତ ମଧ୍ୟ ପାକିସ୍ତାନୀ ବିମାନଙ୍କ ଲାଗି ନିଜର ଆକାଶ ସୀମା ସିଲ କରିଥିଲା। ଅର୍ଥାତ ଏବେ ଦୁଇ ଦେଶଙ୍କ ମଧ୍ୟରେ କୌଣସି ବିମାନ ସେବା ନାହିଁ। ପାକିସ୍ତାନର କଟକଣା ଯୋଗୁ ଭାରତୀୟ ବିମାନଙ୍କୁ ପଶ୍ଚିମ ଏସିୟା, ୟୁରୋପ, ଆମେରିକା ଓ ଆଫ୍ରିକା ଯିବା ପାଇଁ ଦୀର୍ଘ ବିକଳ୍ପ ମାର୍ଗ ବାଛିବାକୁ ପଡୁଛି।

ପାକିସ୍ତାନୀ ବାୟୁ କ୍ଷେତ୍ର ଭାରତୀୟ ବିମାନଙ୍କ ଲାଗି ବନ୍ଦ ରହିବା ଯୋଗୁ ଏହାର ପ୍ରଭାବ ଏୟାରଲାଇନ୍ସଙ୍କ ଉପରେ ପଡୁଛି। ପାକିସ୍ତାନୀ ବାୟୁସୀମା ଉପଯୋଗ ହୋଇ ନ ପାରିବା ଯୋଗୁ ବିମାନଙ୍କ ଉଡାଣର ଦୂରତା ବଢି ଯାଉଛି। ଇନ୍ଧନ ଖର୍ଚ୍ଚ ବଢୁଥିବା ବେଳେ ଏପରି ନିଷିଦ୍ଧାଦେଶ ଭାରତୀୟ ଏୟାରଲାଇନ୍ସ ଙ୍କ ଲାଗି ଚ୍ୟାଲେଞ୍ଜ ପାଲଟିଯାଇଛି।