ଭୁବନେଶ୍ୱର ୦୨।୦୪ : ଖରିଫରେ ଏଥର ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି । ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏବେ ଯାଏଁ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ ଅବଧି ବୃଦ୍ଧି କରିଛନ୍ତି ସରକାର ବୋଲି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀଳ ବଳସାମନ୍ତ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ଚାଷୀ ଧାନ ବିକି ପାରିନାହାନ୍ତି ସେମାନେ ଏହି ୭ ଦିନ ଭିତରେ ଧାନ ବିକ୍ରି କରିପାରିବେ। ମିଲରେ ଜାଗାର ଅଭାବ ପାଇଁ ଧାନ କିଣା ପ୍ରକ୍ରିୟା କିଛି ସମୟ ପାଇଁ ବିଳମ୍ବ ହୋଇଥିଲା। ଜଣେ ବି ଚାଷୀର ଧାନ ରହିବ ନାହିଁ। ସରକାର ସମସ୍ତ ଧାନ ଉଠାଇବେ। ଆସନ୍ତାବର୍ଷକୁ ଏପରି ସମସ୍ୟା ଯେପରି ନହେବ ସେନେଇ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି।

Also Read:-ଚାଷୀଙ୍କ ପାଇଁ ଖୁସିର ଖବର, ୭ଦିନ ବଢ଼ିଲା ଧାନ କିଣା ଅବଧି

ସୂଚନା ଅନୁଯାୟୀ, ମାର୍ଚ୍ଚ ୩୧ ଥିଲା ଧାନ କିଣା ଅବଧିର ଶେଷ ଦିନ ଥିଲା। ବୁଧବାର ଖରିଫ ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି କରଛନ୍ତି ରାଜ୍ୟ ସରକାର। ଏହି ଅବଧି ବୃଦ୍ଧି ଦ୍ୱାରା କୌଣସି ବି ଚାଷୀ ନିରାଶ ହେବେନି। ବର୍ତ୍ତମାନ ସୁଦ୍ଧା ଖରିଫ ଋତୁରେ ୧୮ ଲକ୍ଷ ୬୪ ହଜାର ୪୧୮ଜଣ ଚାଷୀଙ୍କଠାରୁ ୭୭ ଲକ୍ଷ ମେଟ୍ରିକ ଟନ ଧାନ କିଣାସରିଛି। ଧାନ ସଂଗ୍ରହରେ ଏହା ସର୍ବକାଳୀନ ରେକର୍ଡ। ଏ ବାବଦକୁ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୨ ହଜାର ୮୮୪ କୋଟି ଟଙ୍କା ପଠାଯାଇଛି। ଚଳିତବର୍ଷ ଧାନ ସଂଗ୍ରହ ପ୍ରକ୍ରିୟାରେ ଆରମ୍ଭରୁ ବିଭିନ୍ନ ସମସ୍ୟା ଉପୁଜିଥିଲା। ପଞ୍ଜିକରଣରୁ ନେଇ ଟୋକନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଅଭିଯୋଗ ଆସିଥିଲା । ଧାନ କିଣା ନହେବାରୁ ଅନେକ ସ୍ଥାନରେ ଆନ୍ଦୋଳନ ବି ଦେଖା ଦେଇଥିଲା।