ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସରେ ପରିଚାଳନାଗତ ସମସ୍ୟା ଜାରି ରହିଛି। ଗୁରୁବାର ଏୟାରଲାଇନ୍ସ ଦେଶବ୍ୟାପୀ ୨୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ କରିଛି। ମୋଟ ଉଡ଼ାଣ ମଧ୍ୟରୁ ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ ଏବଂ ହାଇଦ୍ରାବାଦରେ ଅତି କମରେ୧୯୧ ଟି ଉଡ଼ାଣ ବାତିଲ କରାଯାଇଛି। ଫଳରେ ବିମାନବନ୍ଦରଗୁଡ଼ିକରେ ଯ।ତ୍ରୀଙ୍କ ଦ୍ୱାରା ଭିଡ଼ ସୃଷ୍ଟି ହୋଇଥିବା ବେଳେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ଗ୍ରାହକ ଏୟାରଲାଇନ୍ସ ଉପରେ ଅଶନ୍ତୋଷ ପ୍ରକାଶ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରୁଛନ୍ତି।

ତେବେ ମାମଲାକୁ ଗୁରୁତର ସହ ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଇଣ୍ଡିଗୋକୁ ସମନ କରିଛି। ଅସୁବିଧା ସମ୍ପର୍କରେ ଆଲୋଚନା ପାଇଁ ଦିନ ୨ଟା ବେଳେ ବୈଠକରେ ସାମିଲ ହେବାକୁ ଇଣ୍ଡିଗୋ ଅଧିକାରୀଙ୍କୁ କୁହାଯାଇଛି। ବର୍ତ୍ତମାନ ଡିଜିସିଏ ଇଣ୍ଡିଗୋରେ ଚାଲିଥିବା ସମସ୍ୟା ନେଇ ତଦନ୍ତ କରୁଛି ବୋଲି ସଂସ୍ଥା କହିଛି। ହେଲେ ଏୟାରଲାଇନ୍ସ କିନ୍ତୁ ଏହାକୁ ଅସ୍ୱୀକାର କରିଛି। ଡିଜିସିଏ ପକ୍ଷରୁ ଏଭଳି କୌଣସି ତଦନ୍ତ ଚାଲୁଥିବାର ଖବର ବିଷୟରେ ସେମାନେ ଜାଣି ନାହାନ୍ତି ବୋଲି ଇଣ୍ଡିଗୋ କହିଛି।

ତେବେ ଗୁରୁବାର ବାତିଲ ହୋଇଥିବା ବିମାନଗୁଡ଼ିକ ମଧ୍ୟରେ ଦିଲ୍ଲୀରେ ୯୫ ଟି, ମୁମ୍ବାଇରେ ୮୫, ବେଙ୍ଗାଲୁରୁରେ ୭୩, ହାଇଦ୍ରାବାଦ ୬୮, ପୁଣେ୧୬, ଅହମ୍ମଦାବାଦ ୫ ଏବଂ କୋଲକାତାରେ ୪ଟି ବିମାନ ବାତିଲ କରାଯାଇଛି।

ଦିଲ୍ଲୀର ଆଇଜିଆଇ ବିମାନବନ୍ଦରର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସକାଳ ଠାରୁ ଘରୋଇ ଏବଂ ଆନ୍ତର୍ଜାତୀୟ ମୋଟ ୯୫ଟି ଇଣ୍ଡିଗୋ ବିମାନ - ୪୮ଟି ପ୍ରସ୍ଥାନ(ଡିପାର୍ଚର) ଏବଂ ୪୭ଟି ଆଗମନ(ଆରାଇଭଲ) ବିମାନକୁ ବାତିଲ କରାଯାଇଛି। ସେହିପରି କୋଲକାତାରେ ମଧ୍ୟ, ୨୪ଟି ଇଣ୍ଡିଗୋ ବିମାନ, ୧୦ଟି ଆଗମନ ଏବଂ ୧୪ଟି ପ୍ରସ୍ଥାନ, ବିମାନ ପରିଚାଳନାଗତ ସମସ୍ୟା ଯୋଗୁ ବିଳମ୍ବ ହୋଇଥିଲା। ଏଥିମଧ୍ୟରୁ ଦୁଇଟି ଆନ୍ତର୍ଜାତୀୟ ଥିଲା, ଯାହା ସିଙ୍ଗାପୁର ଏବଂ କାମ୍ବୋଡିଆର ସିଏମ୍ ରିପ୍ ଅଭିମୁଖେ ଯାତ୍ରା କରିବାର ରହଥିଲା।

ଅନ୍ୟପଟେ ବେଙ୍ଗାଲୁରୁରେ, କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରର ଜଣେ ମୁଖପାତ୍ର କହିଛନ୍ତି ଯେ ପରିଚାଳନାଗତ ସମସ୍ୟା ଯୋଗୁ ଗୁରୁବାର ୪୧ଟି ଆଗମନ ଏବଂ ୩୨ଟି ପ୍ରସ୍ଥାନ ବିମାନ ବାତିଲ କରାଯାଇଛି।

ଏହା ପୂର୍ବରୁ ବୁଧବାର କର୍ମଚାରୀଙ୍କ ଅଭାବ ଯୋଗୁ ବିଭିନ୍ନ ବିମାନବନ୍ଦରରେ ବିମାନ କମ୍ପାନୀ ୧୦୦ ରୁ ଅଧିକ ଉଡ଼ାଣ ବାତିଲ କରିଥିଲା ଏବଂ ଅନେକ ଉଡ଼ାଣ ବିଳମ୍ବ ହୋଇଥିଲା। ଦିଲ୍ଲୀ (୩୮), ବେଙ୍ଗାଲୁରୁ (୪୨), ମୁମ୍ବାଇ (୩୩) ଏବଂ ହାଇଦ୍ରାବାଦ (୧୯) ରେ ଏହି ବାତିଲ ହୋଇଥିଲା। ସେହିପରି ନଭେମ୍ବର ମାସରେ ଏୟାରଲାଇନ୍ସର ୧୨୩୨ଟି ବିମାନ ବାତିଲ ହୋଇଥିବା ବେଳେ ଏକାଧିକ ବିଳମ୍ବ ହୋଇଥିଲା ବୋଲି ଜଣାପଡ଼ିଛି।

ସାରା ଦେଶରେ ୨୩୦୦ ଘରୋଇ ବିମାନ ପରିଚାଳନା କରୁଥିବା ଇଣ୍ଡିଗୋ ବିଭିନ୍ନ ସମସ୍ୟା ଯୋଗୁ ହୋଇଥିବା ବ୍ୟାପକ ବ୍ୟାହତ ଯୋଗୁ ଦୁଃଖ ପ୍ରକାଶ କରିଛି। ଏବଂ ଗ୍ରାହକଙ୍କୁ କ୍ଷମାପ୍ରାର୍ଥନା ବି କରିଛି।

ଏୟାରଲାଇନ୍ସ ସମ୍ମୁଖରେ ଦେଖାଥିବା ସମସ୍ୟା ମଧ୍ୟରେ ଛୋଟ ଛୋଟ ଯାନ୍ତ୍ରୀକ ତ୍ରୁଟି, ଶୀତକାଳୀନ ସମୟସୂଚୀ ସଂଶୋଧନ, ପ୍ରତିକୂଳ ପାଗ, ବିମାନ ଚଳାଚଳ ବ୍ୟବସ୍ଥାରେ ବର୍ଦ୍ଧିତ ଭିଡ଼ ଏବଂ ଅପଡେଟ୍ କ୍ରୁ ରୋଷ୍ଟରିଂ ନିୟମ ପ୍ରଚଳନ ଆଦି ରହିଛି। ଏସବୁ ସମସ୍ୟା ଏୟାରଲାଇନ୍ସକୁ ବିପଦରେ ପକାଇଛି।

ଡିଜିସିଏ ତଦନ୍ତ କଥାକୁ ଇଣ୍ଡିଗୋର ଖଣ୍ଡନ
ମାମଲାରେ ଡିଜିସିଏ କମ୍ପାନୀ ସହିତ ମିଶି କୌଣସି ତଦନ୍ତ କରୁଥିବା କଥାକୁ ଇଣ୍ଡିଗୋ ଖଣ୍ଡନ କରିଛି। ଏନେଇ ଏୟାରଲାଇନ୍ସ କହିଛି “ଆମେ ସ୍ପଷ୍ଟ କରୁଛୁ ଯେ କମ୍ପାନୀ ଡିଜିସିଏ ଦ୍ୱାରା କୌଣସି ତଦନ୍ତ ବିଷୟରେ ଅବଗତ ନାହିଁ। ତଥାପି, ଡିଜିସିଏ ଉକ୍ତ ବିଷୟ ସହିତ ଜଡିତ କିଛି ସୂଚନା ମାଗିଛି ଏବଂ କମ୍ପାନୀ ତାହା ପ୍ରଦାନ କରିବାକୁ ପ୍ରକ୍ରିୟାରେ ଅଛି।”

ଗତକାଲି ଡିଜିସିଏ ଘୋଷଣା କରିଥିଲା ଯେ ନଭେମ୍ବର ମାସରେ ବିମାନ କମ୍ପାନୀର ପ୍ରଦର୍ଶନରେ ହ୍ରାସ ନେଇ ପ୍ରଶ୍ନ ଉଠାଇଛି ଏବଂ ଏକ ଆନୁଷ୍ଠାନିକ ତଦନ୍ତ ଆରମ୍ଭ କରିଛି। ବିମାନ ବାତିଲ କରିବା ସମସ୍ୟାକୁ କିଭଳି ଦୂର କରାଯାଇପାରିବ ସେଥିପାଇଁ କମ୍ପାନୀ ସହ ମିଶି କାର୍ଯ୍ୟ କରାଯାଉଛି।

ବିମାନ କମ୍ପାନୀକୁ ପାଇଲଟ ସଂଘର ସମାଲୋଚନା

ଏହି ବିଶୃଙ୍ଖଳା ପରେ, ଭାରତୀୟ ପାଇଲଟ୍ ମହାସଂଘ (FIP) ଏୟାରଲାଇନ୍ସର ନିଯୁକ୍ତି ସ୍ଥଗିତ ରଖିବା ଏବଂ ଦୀର୍ଘଦିନ ଧରି ଅପାରମ୍ପରିକ ଦୁର୍ବଳ କର୍ମଚାରୀ ରଣନୀତିକୁ ନିନ୍ଦା କରିଛି। ଏହି ଦୁଇ କାରଣ ଯୋଗୁ ଏଭଳି ବିଶୃଙ୍ଖଳା ସୃଷ୍ଟି ହୋଇଛି ବୋଲି ସଂଘ କହିଛି।

ପୂର୍ଣ୍ଣ ଉଡ଼ାଣ ଡ୍ୟୁଟି ସମୟ ସୀମା (FDTL) କାର୍ଯ୍ୟକାରୀ ହେବା ପୂର୍ବରୁ ଦୁଇ ବର୍ଷର ପ୍ରସ୍ତୁତି ସମୟ ପାଇବା ସତ୍ତ୍ୱେ, ଇଣ୍ଡିଗୋ ବିନା କାରଣରେ ନିଯୁକ୍ତି ସ୍ଥଗିତ କରିଦେଲା। ଏବଂ ନନ ପୋଚିଂ ଆରେଞ୍ଜମେଣ୍ଟ(କେହି କାହାର କର୍ମଚାରୀଙ୍କୁ ଅଧିକ ଦରମା ଦେଇ ନ ନେବା ପାଇଁ କମ୍ପାନୀଗୁଡ଼ିକ ମଧ୍ୟରେ ହୋଇଥିବା ଏକ ଡିଲ୍) ବ୍ୟବସ୍ତା କଲା। ପାଇଲଟ୍ ଦରମା ସ୍ଥିର କରିବା ସହ ଅନ୍ୟାନ୍ୟ ଅଦୂରଦର୍ଶୀ ଯୋଜନା ପ୍ରଣାଳୀ ପ୍ରଦର୍ଶନ କଲା। ଯାହା ପାଇଁ ଆଜିର ଏହି ସମସ୍ୟା ଉପୁଜିଛି ବୋଲି ଏଫ୍ଡଟିଏଲ୍ କହିଛି।

ଅନ୍ୟ ଏକ ପାଇଲଟ୍ ସଂଗଠନ ALPA ଇଣ୍ଡିଆ ମଧ୍ୟ DGCAକୁ ଅନୁରୋଧ କରିଛି। ସ୍ଲଟ୍ ଦେବା ପୂର୍ବରୁ ଏବଂ ସମୟସୂଚୀ ଅନୁମୋଦନ କରିବା ସମୟରେ ଏୟାରଲାଇନ୍ସରେ ପର୍ଯ୍ୟାପ୍ତ ପାଇଳଟ ଉପଲବ୍ଧ ଅଛନ୍ତି କି ନା ତାହା ଉପରେ ବିଚାର କର୍ତୁ। ବିଶେଷକରି ସମ୍ପ୍ରତି ପ୍ରଚଳିତ FRMS ନିୟମକୁ ଲାଗୁ ହେବା ପରେ ଏଥିପ୍ରତି ଧ୍ୟାନ ଦେବା ଦରକାର ବୋଲି ଏଲପିଏ କହିଛି।

​​​​​​​

ALPA ଇଣ୍ଡିଆ ଉଲ୍ଲେଖ କରିଛି ଯେ ସମ୍ପ୍ରତି ଉଡ଼ାଣ ବାତିଲ ହେବା ବିମାନ ପରିଚାଳନା, DGCA ଦ୍ୱାରା ନିୟାମକ ତଦାରଖ ଏବଂ ବଜାରରେ ନିରପେକ୍ଷତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଯଦିଓ ୨୦୨୪ ଜାନୁଆରୀରୁ ଡିଜିସିଏ ଜାରି କରିଥିବା FDTL ନିୟମ ବିଷୟରେ ସମସ୍ତ ଏୟାରଲାଇନ୍ସ ଅବଗତ ଥିଲେ ତେବେ କମ୍ପାନୀଗୁଡ଼ିକ ଏଥିପାଇଁ ବିଳମ୍ବରେ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏବଂ ଆବଶ୍ୟକତା ଅନୁସାରେ ଅତି କମରେ ୧୫ ଦିନ ପୂର୍ବରୁ କ୍ରୁ ରୋଷ୍ଟରକୁ ସଜାଡ଼ିବାରେ ବିଫଳ ହୋଇଥିଲେ ବୋଲି ALPA ଇଣ୍ଡିଆ କହିଛି।

ପାଇଲଟ୍ ଥକ୍କାପଣକୁ ଦୂର କରିବା ପାଇଁ ନୂଆ ନିୟମାବଳୀରେ ବିଶ୍ରାମ ଅବଧି ବୃଦ୍ଧି ଏବଂ ଅନ୍ୟାନ୍ୟ କଟକଣାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ, ଉଡ଼ାଣ ସମୟସୂଚୀ ବଜାୟ ରଖିବା ପାଇଁ ପାଇଲଟ୍ ସଂଖ୍ୟା ଅଧିକ ହେବା ଆବଶ୍ୟକ ନୁହେଁ ବୋଲି ALPA ଇଣ୍ଡିଆ କହିଛି।