ନୂଆଦିଲ୍ଲୀ: ଚଳିତ ବର୍ଷର ଫିଫା ବିଶ୍ୱକପ ଅନେକ ବିବାଦ ପାଇଁ ମନେ ରହିବ । ରେଫ୍ରିଙ୍କ ବିଦାଦୀୟ ନିଷ୍ପତ୍ତିଠାରୁ ଆରମ୍ଭ କରି ଡୋନାଲ୍ଡ ଟ୍ରମ୍ପଙ୍କ ଫିଫା ମୁଖ୍ୟଙ୍କୁ ଫୋନ୍ କଲେ ଯାଏଁ । କିନ୍ତୁ ଏଥର ସବୁଠାରୁ ଅଧିକ ରାଗର ସାମନା କରିଛି ଡିଫେଣ୍ଡି ଚାମ୍ପିଅନ ମେସିଙ୍କ ଟିମ୍ ଆର୍ଜେଣ୍ଟିନା । ୨୦୨୬ ଫିଫା ବିଶ୍ୱକପରୁ ଆର୍ଜେଣ୍ଟିନାକୁ ବାହାର କରିବାକୁ ଦାବି କରି ‘argentinaout.org’ ୱେବସାଇଟ୍ରେ ଆରମ୍ଭ ହୋଇଥିବା ଏକ ଅନଲାଇନ୍ ପିଟିସନରେ ଏପର୍ଯ୍ୟନ୍ତ ୧୦ ମିଲିୟନରୁ ଅଧିକ ଲୋକ ସ୍ୱାକ୍ଷର କରିଛନ୍ତି । ଏହି ପିଟିସନରେ ଫିଫା ଏବଂ ମ୍ୟାଚ୍ ଅଫିସିଆଲ୍ସଙ୍କ ବିରୋଧରେ ଲିଓନେଲ୍ ମେସି ଏବଂ ଆର୍ଜେଣ୍ଟିନାଙ୍କୁ ସମର୍ଥନ କରୁଥିବା ଗୁରୁତର ଅଭିଯୋଗ ଅଣାଯାଇଛି ।

ରାଉଣ୍ଡ ଅଫ୍ ୧୬ ମ୍ୟାଚରେ ଇଜିପ୍ଟ ବିରୋଧରେ ଆର୍ଜେଣ୍ଟିନା ଏକ ନାଟକୀୟ ବିଜୟ ହାସଲ କରିଥିଲା । ଏହା ପରେ ଆରମ୍ଭ ହୋଇଥିବା ଅଭିଯାନ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି । ଏହି ପିଟିସନରେ ଦାବି କରାଯାଇଛି ଯେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଆର୍ଜେଣ୍ଟିନା ସପକ୍ଷରେ ଅନେକ ନିଷ୍ପତ୍ତି ଦିଆଯାଇଛି ।

ଆର୍ଜେଣ୍ଟିନା ୨-୦ ରେ ପଛୁଆ ରହି ମଧ୍ୟ ଶେଷ ୧୩ ମିନିଟରେ ୩ଟି ଗୋଲ୍ ଦେଇ ଇଜିପ୍ଟକୁ ପରାସ୍ତ କରିବା ପରେ ଏହି ବିବାଦ ଆହୁରି ତୀବ୍ର ହୋଇଛି । ଏହି ମ୍ୟାଚରେ ମେସି ଏକ ପେନାଲ୍ଟି ମଧ୍ୟ ମିସ୍ କରିଥିଲେ । ଭିଏଆର୍ ସମୀକ୍ଷା ପରେ ଇଜିପ୍ଟର ଏକ ସୁନ୍ଦର ଗୋଲକୁ ରଦ୍ଦ କରାଯିବାରୁ ଇଜିପ୍ଟ ପ୍ରଶଂସକଙ୍କ ରାଗ ଚରମରେ ପହଞ୍ଚିଛି । ଅନ୍ୟପଟେ, ଖେଳ ଶେଷ ଭାଗରେ ମହମ୍ମଦ ସାଲାହଙ୍କ ଉପରେ ଫାଉଲ୍ ଅଭିଯୋଗ ସତ୍ତ୍ୱେ ଆର୍ଜେଣ୍ଟିନାର ବିଜୟୀ ଗୋଲକୁ କାଏମ ରଖାଯାଇଥିଲା ।

ମ୍ୟାଚ୍ ପରେ ଇଜିପ୍ଟର ମ୍ୟାନେଜର ହୋସାମ୍ ହାସନ କହିଥିଲେ,"ଏହାର ପରିଣାମ ଯାହା ହେଉନା କାହିଁକି, ମୁଁ ମୋର କଥା କହିବି । ଏହି ମ୍ୟାଚ୍ ସ୍ପଷ୍ଟ ଭାବରେ ପୂର୍ବ ନିର୍ଦ୍ଧାରିତ ଥିଲା ଏବଂ ସମସ୍ତେ ଏହା ଦେଖିଛନ୍ତି । ଯଦି ସେମାନେ ଆର୍ଜେଣ୍ଟିନାକୁ ଜିତାଇବାକୁ ଏତେ ଚାହୁଁଛନ୍ତି, ତେବେ ସମସ୍ତଙ୍କୁ ବିଶ୍ୱକପରେ ଖେଳିବା ପାଇଁ କାହିଁକି ଆମନ୍ତ୍ରଣ କରୁଛନ୍ତି ?" ସେ ଆହୁରି କହିଥିଲେ, "ଫିଫା 'ଫେୟାର ପ୍ଲେ'କୁ ପ୍ରୋତ୍ସାହିତ କରେ, କିନ୍ତୁ ଆମେ ପଡ଼ିଆରେ ତାହା ଦେଖିଲୁ ନାହିଁ... ସେହି ଭୁଲ୍ ନିଷ୍ପତ୍ତିଗୁଡ଼ିକ ନଥିଲେ ମ୍ୟାଚର ଫଳାଫଳ ସମ୍ପୂର୍ଣ୍ଣ ଅଲଗା ହୋଇଥାନ୍ତା ।"

ଆର୍ଜେଣ୍ଟିନାର କ୍ୱାର୍ଟର ଫାଇନାଲ ମ୍ୟାଚ୍ ପୂର୍ବରୁ ମୁଖ୍ୟ କୋଚ୍ ଲିଓନେଲ୍ ସ୍କାଲୋନି ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । ମଡର୍ଣ୍ଣ ଟେକ୍ନୋଲଜି ଯୋଗୁଁ ରେଫରିଙ୍କ ପକ୍ଷପାତିତା ପ୍ରାୟ ଅସମ୍ଭବ ବୋଲି ସେ ଯୁକ୍ତ ରଖିଥିଲେ ।