କେନ୍ଦୁଝର/ନରଣପୁର: ତେଲ ପାଇଁ ଅର୍ଥ ଅଭାବ ଯୋଗୁ ସରକାରଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ଷ୍ଟେଟ୍ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍ (ଓଏସ୍ଆର୍ଟି) ବସ୍ ସେବା କେନ୍ଦୁଝରରେ ବନ୍ଦ ହୋଇଯାଇଛି । ତେଲ ପକାଇଥିବା ଟାଙ୍କି ବକେୟା ଟଙ୍କା ପାଇନଥିବାରୁ ତେଲ ଦେବାକୁ ଅରାଜି ହେବା ପରେ ସମଗ୍ର ଜିଲ୍ଲାରେ ସରକାରୀ ବସ୍ ସେବା ପ୍ରଭାବିତ ହୋଇଛି । ଫଳରେ ଯାତ୍ରୀ ହଇରାଣ ହେଉଥିବା ବେଳେ ବେସରକାରୀ ବସ୍ ମାଲିକଙ୍କୁ ଅନୁକମ୍ପା ଦେଖାଇବାକୁ ଏହା ଚକ୍ରାନ୍ତ କରାଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

କେନ୍ଦୁଝର ଜିଲ୍ଲାରୁ ସରକାରୀ ବସ୍ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବାହାର ଜିଲ୍ଲା, ପର୍ଯ୍ୟଟନସ୍ଥଳୀ ଏବଂ ବାହାର ରାଜ୍ୟକୁ ଯାତ୍ରା କରିଥାଏ । ଫଳରେ ଯାତ୍ରୀମାନେ ସରକାରୀ ବସ୍ରେ ଶୋଷଣମୁକ୍ତ ଯାତ୍ରା କରିଥାନ୍ତି । କେନ୍ଦୁଝର ପରିବହନ ବିଭାଗ ପକ୍ଷରୁ ୧୩ଟି ବସ୍ ବିଭିନ୍ନ ସ୍ଥାନକୁ ନିୟମିତ ଚଳାଚଳ କରିଥାଏ । ସେଥିମଧ୍ୟରୁ କଲିକତା, ଭଞ୍ଜନଗର, ବଲାଙ୍ଗୀର, ଜଲେଶ୍ୱର, ଆନନ୍ଦପୁର, ପୁରୀ, ରାଞ୍ଚି, ଭୁବନେଶ୍ୱର ଏବଂ ଉପାନ୍ତ ଅଞ୍ଚଳ କୁହାଯାଉଥିବା ତେଲକୋଇ ବ୍ଲକର କାଳିଆହତାକୁ ନିୟମିତ ଯାତାୟାତ କରିଥାଏ । ଏହି ବସ୍ ଗୁଡ଼ିକର ପରିଚାଳନା ଦାୟିତ୍ୱ କେନ୍ଦୁଝର ସଡ଼କ ପରିବହନ ବିଭାଗ ପକ୍ଷରୁ ପରିଚାଳନା କରାଯାଉଥିଲା । ମାତ୍ର କିଛିଦିନ ହେବ ଏହା ରାଜ୍ୟସ୍ତରରୁ ପରିଚାଳନା କରାଯିବା ଫଳରେ ସମସ୍ୟା ଉପୁଜିଛି ।

ବସଗୁଡ଼ିକ ଚଳାଚଳ ପାଇଁ ପ୍ରତ୍ୟେକ ଦିନରେ ପ୍ରାୟ ୭୦ରୁ ୮୦ ହଜାର ଟଙ୍କାର ତେଲ ଆବଶ୍ୟକ ପଡ଼ିଥାଏ । ତେଲ ଟାଙ୍କିରେ ବସଗୁଡ଼ିକ ତେଲ ପକାଇବା ପରେ ମାସରେ ବିଲ୍ ଭରଣା କରାଯାଇଥାଏ । ସବୁକିଛି ଠିକଠାକ୍ ଚାଲିଥିବା ସମୟରେ କିଛିଦିନ ହେବ ବସ୍ ପରିଚାଳନା ଦାୟିତ୍ୱ ଜିଲ୍ଲା ସ୍ତରରୁ ପ୍ରତ୍ୟାହାର କରାଯାଇ ରାଜ୍ୟସ୍ତରରେ ନିୟନ୍ତ୍ରଣ କରାଯାଇଥିଲା। ଫଳରେ ବସ୍ର ତେଲ ବିଲ୍ ଠିକ୍ ଭାବରେ ଦିଆ ନଯିବାରୁ ବାକିରେ ସରକାରୀ ବସ୍କୁ ତେଲ ଦେବାକୁ ଟାଙ୍କି ମାଲିକମାନେ ଅରାଜି ହେଉଛନ୍ତି । ଏବେ ପ୍ରାୟ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ତେଲ ବିଲ୍ ବାକି ପଡ଼ିଛି । ଫଳରେ ମଙ୍ଗଳବାର ଠାରୁ ତେଲ ଯୋଗାଇବା ସମ୍ଭବ ନୁହେଁ ବୋଲି ତେଲ ଟାଙ୍କି କର୍ତ୍ତୃପକ୍ଷ ଜଣାଇ ଦେବା ପରେ ସଡ଼କ ପରିବହନ ବିଭାଗରେ ହାଲେଣି ପଡ଼ିଯାଇଛି । ମଙ୍ଗଳବାର ଠାରୁ ଅନେକ ସ୍ଥାନକୁ ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ ବୁଧବାର ମଧ୍ୟ ଖାଁ ଖାଁ ସରକାରୀ ବସ୍ ଚଳାଚଳ କରୁଥିବା ଜଣାପଡ଼ିଛି । କେବଳ ଭୋଲଭୋ ବସଗୁଡ଼ିକ କୌଣସି ପ୍ରକାର ଚଳାଚଳ ପାଇଁ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ବୁଧବାର ଭୁବନେଶ୍ୱର, ଜଲେଶ୍ୱର, ଆନନ୍ଦପୁର, ଭଞ୍ଜନଗର ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ ସ୍ଥାନୀୟ ସଡ଼କ ପରିବହନ ବିଭାଗ ପ୍ରଶାସନ ଘଟଣା ସମ୍ପର୍କରେ ମୁହଁ ଖୋଲୁନାହାନ୍ତି ।

ତେଲ ଅଭାବ ନାହିଁ, ମରାମତି ପାଇଁ ସେବା ପ୍ରଭାବିତ: କର୍ତ୍ତୃପକ୍ଷ

ଏ ସମ୍ପର୍କରେ କେନ୍ଦୁଝର ସଡ଼କ ପରିବହନ ବିଭାଗ ଦାୟିତ୍ୱରେ ଥିବା ଡିଟିଏମ୍ ଗୌରବ କୁମାର ଜେନାଙ୍କୁ ପଚାରିବାରୁ ତେଲ ସମସ୍ୟା ନୁହେଁ ବସ୍ ଗୁଡ଼ିକ ମରାମତି ପାଇଁ ଚଳାଚଳ ବନ୍ଦ ରହିଛି । ଖୁବଶୀଘ୍ର ମରାମତି କରାଯିବା ପରେ ବସ୍ ଚଳାଚଳ ସ୍ୱାଭାବିକ ହେବ ବୋଲି କହିଛନ୍ତି । ବସ୍ ଚଳାଚଳ ବନ୍ଦ ହେବା ଯୋଗୁ ଶହ ଶହ ଲୋକ ହଇରାଣ ହୋଇଛନ୍ତି । ଲୋକେ ଅଗ୍ରୀମ ଟିକେଟ୍ ଅନଲାଇନ୍ ବୁକିଂ କରିବା ପରେ ମଧ୍ୟ ବସ୍ ଚଳାଚଳ ବନ୍ଦ କରିଦେଇଛନ୍ତି କର୍ତ୍ତୃପକ୍ଷ । ଫଳରେ ପିଲାଛୁଆଙ୍କୁ ଧରି ଯାତ୍ରୀ ହୀନସ୍ଥା ହୋଇଛନ୍ତି ।

ଏ ସମ୍ପର୍କରେ ଯାତ୍ରୀ ରାଜେନ୍ଦ୍ର ଦେହୁରୀ କହିଛନ୍ତି, ସେ ପିଲାଙ୍କୁ ଧରି ବଲାଙ୍ଗୀର ଯିବା ପାଇଁ ବୁକିଂ କରିଥିଲେ । ମାତ୍ର ପରିବହନ ବିଭାଗ ପକ୍ଷରୁ ବସ୍ ବାତିଲ କରାଯିବା ପରେ ତାଙ୍କୁ କୌଣସି ସୂଚନା ଦିଆଯାଇନାହିଁ । ସେ କୁଆଁର ଅଞ୍ଚଳରୁ ଆସି ରାତି ଅଧରେ ବଲାଙ୍ଗୀର ଯାଇ ନପାରି ଅସୁବିଧାରେ ପଡ଼ିଛନ୍ତି । ସେହିପରି ଅନ୍ୟ ଯାତ୍ରୀ ସାହିଦା ରାୟ ସିଦ୍ଧି ଯିବା ପାଇଁ ଆସିଥିଲେ। ଅନଲାଇନ୍ ଟିକେଟ୍ ବୁକିଂ କରିଥିଲେ । ମାତ୍ର କୌଣସି ସୂଚନା ଦିଆଯାଇନଥିବାରୁ ଅସନ୍ତୋଷ ପ୍ରକାଶ କରି ଫେରିଯାଇଛନ୍ତି । ତେବେ ପରିବହନ ବିଭାଗ ପକ୍ଷରୁ ଟିକେଟ୍ ଅର୍ଥ ଫେରସ୍ତ କରାଯିବ ବୋଲି ସୂଚନା ଦିଆଯାଇଛି ।