ନୂଆଦିଲ୍ଲୀ: OnlyFansର ପ୍ରତିଷ୍ଠାତା ଲିଓନିଡ୍ ରାଡଭିନସ୍କି ୪୩ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ସେ ଦୀର୍ଘ ସମୟ ଧରି କର୍କଟ ରୋଗରେ ପୀଡିତ ଥିଲେ। ଓନଲିଫ୍ୟାନ୍ସର ଜଣେ ମୁଖପାତ୍ର କହିଛନ୍ତି, ‘ଆମେ ଲିଓନିଡ୍ ରାଡଭିନସ୍କିଙ୍କ ପରଲୋକ ଘୋଷଣା କରି ଗଭୀର ଦୁଃଖ ଅନୁଭବ କରୁଛୁ। ସେ କର୍କଟ ରୋଗ ସହିତ ଦୀର୍ଘ ଦିନ ଧରି ଯୁଦ୍ଧ ପରେ ପରଲୋକ ଗମନ କରିଛନ୍ତି।’ ୟୁକ୍ରେନ-ଆମେରିକୀୟ ଉଦ୍ୟୋଗୀ ଲିଓନିଡ୍ ରାଡଭିନସ୍କି ୨୦୧୮ ମସିହାରେ ଓନଲିଫ୍ୟାନ୍ସର ମୂଳ କମ୍ପାନୀ ଫେନିକ୍ସ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ଅଧିଗ୍ରହଣ କରିଥିଲେ।

ରାଡଭିନସ୍କି ୨୦୦୯ ମସିହାରେ ପ୍ରତିଷ୍ଠା କରିଥିବା ଲିଓ ନାମକ ଏକ ଭେଞ୍ଚର କ୍ୟାପିଟାଲ ଫଣ୍ଡ ମଧ୍ୟ ଚଲାଇଥିଲେ। ଏହା ମୁଖ୍ୟତଃ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକରେ ନିବେଶ କରେ । ରାଡଭିନସ୍କି ଓନଲିଫ୍ୟାନ୍ସକୁ ସବୁଠାରୁ ଚର୍ଚ୍ଚିତ ଡିଜିଟାଲ୍ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

କୋଭିଡ-୧୯ ମହାମାରୀ ସମୟରେ ଲୋକପ୍ରିୟତା ବୃଦ୍ଧି ପାଇଥିଲା

୨୦୧୬ରେ ବ୍ରିଟିଶ ଉଦ୍ୟୋଗୀ ଟିମ୍ ଷ୍ଟୋକଲିଙ୍କ ଦ୍ୱାରା ପ୍ରତିଷ୍ଠିତ OnlyFansର ଲୋକପ୍ରିୟତା , COVID-19 ମହାମାରୀ ସମୟରେ ବୃଦ୍ଧି ପାଇଥିଲା। ରଏଟର୍ସ ଜାନୁଆରୀରେ ରିପୋର୍ଟ କରିଥିଲା ଯେ, OnlyFans ନିବେଶ ଫାର୍ମ ଆର୍କିଟେକ୍ଟ୍ କ୍ୟାପିଟାଲକୁ ଅଂଶଧନ ବିକ୍ରୟ କରିବାକୁ ବିଚାର କରୁଛି। ଏହି ଚୁକ୍ତି ଦ୍ୱାରା କମ୍ପାନୀର ମୂଲ୍ୟ ପ୍ରାୟ ୫.୫ ବିଲିୟନ ଡଲାର ଆକଳନ କରାଯାଇଛି ।

କମ୍ପାନୀ ୪.୬ ନିୟୁତରୁ ଅଧିକ କ୍ରିଏଟର ଏବଂ ପ୍ରାୟ ୩୭୦ ନିୟୁତ ଉପଭୋକ୍ତା ଥିବା ନେଇ ରିପୋର୍ଟ ଦେଇଛି । ୨୦୨୪ ରେ କମ୍ପାନୀ ୧୪ ବିଲିୟନ ଡଲାର ରାଜସ୍ୱ ସୃଷ୍ଟି କରିଛି। OnlyFans ସାଧାରଣତଃ ସବସ୍କ୍ରିପ୍ସନ ଏବଂ କଣ୍ଟେଣ୍ଟ ବିକ୍ରିରୁ ମିଳୁଥିବା ଆୟ ଉପରେ ୨୦ ପ୍ରତିଶତ କମିଶନ ନେଇଥାଏ।

ଲିଓନିଡ୍ ରାଡଭିନସ୍କିଙ୍କ ମୋଟ ସମ୍ପତ୍ତି

ଫୋର୍ବସ୍ ଅନୁଯାୟୀ, ମୃତ୍ୟୁ ସମୟରେ ଲିଓନିଡ୍ ରାଡଭିନସ୍କିଙ୍କର ଆନୁମାନିକ ସମ୍ପତ୍ତି ୪.୭ ବିଲିୟନ ଡଲାର ଥିଲା। ସେ ଫୋର୍ବସ୍ ୨୦୨୫ର ୪୦୦ ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ବିଶ୍ୱ ସ୍ତରରେ ୮୬୯ ତମ ଏବଂ ଆମେରିକାରେ ୧୮୧ ତମ ସ୍ଥାନରେ ଥିଲେ। ତାଙ୍କ ସମ୍ପତ୍ତିର ପ୍ରମୁଖ ଅଂଶ OnlyFans ରୁ ଆସିଛି । ଏଥିରୁ ସେ ୨୦୨୫ ସୁଦ୍ଧା ପ୍ରାୟ ୧.୮ ବିଲିୟନ ଡଲାର ରୋଜଗାର କରିଥିଲେ।