• ଦିଲ୍ଲୀର ଏକ ବୁଥରେ ୭୨୯ ଭୋଟରରୁ ୭୨୮ ଡିଲିଟ ହୋଇଯାଇଛନ୍ତି
  • ଏଠାରେ ଏସଆଇଆର ପୂର୍ବରୁ ୭୨୯ ଜଣ ଭୋଟର ପଞ୍ଜିକୃତ ଥିଲେ
  • ଏହି ମାମଲାରେ ପବନ ଖେଡା ସୁପ୍ରିମକୋର୍ଟ ସଂଜ୍ଞାନ ନିଅନ୍ତୁ ବୋଲି ଦାବି କରିଛନ୍ତି

ନୂଆଦିଲ୍ଲୀ: ଦିଲ୍ଲୀରେ ଭୋଟର ଲିଷ୍ଟନ ଗହନ ପୁନରୀକ୍ଷଣ (ଏସଆଇଆର) ପରେ ଡ୍ରାଫ୍ଟ ଲିଷ୍ଟ ଆସିଛି। ତେବେ ଏଥିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଦିଲ୍ଲୀର ଏକ ବୁଥରେ ୭୨୯ ଭୋଟରରୁ ୭୨୮ ଡିଲିଟ ହୋଇଯାଇଛନ୍ତି। ଏହି ପୁରା ଘଟଣା ଦିଲ୍ଲୀ ଚାନ୍ଦନୀ ଚୌକ ବିଧାନସଭା ନିର୍ବାଚନମଣ୍ଡଳି ବେଲାଷ୍ଟେଟ ଅଞ୍ଚଳର। ଏଠାରେ ଏସଆଇଆର ପୂର୍ବରୁ ୭୨୯ ଜଣ ଭୋଟର ପଞ୍ଜିକୃତ ଥିଲେ। ହେଲେ ଏବେ ଡ୍ରାଫ୍ଟ ଲିଷ୍ଟ ସାମ୍ନାକୁ ଆସିବା ବେଳେ ଏଥିରେ ଜଣେ ମାତ୍ର ଭୋଟରଙ୍କ ନାମ ରହିଛି।

ଏସଆଇଆରରେ ବୁଥର ୭୨୮ ଜଣଙ୍କ ନାମ ହଟାଇ ଦିଆଯାଇଛି। ମାମଲା ସାମ୍ନାକୁ ଆସିବା ପରଠାରୁ ରାଜନୀତି ଆରମ୍ଭ ହୋଇ ଯାଇଛି। ଏହାକୁ ନେଇ କଂଗ୍ରେସ ସାଂସଦ ପବନ ଖେଡା ପ୍ରଶ୍ନ ଉଠାଇଛନ୍ତି। ଖେଡା ଏ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିବା ବେଳେ ଲେଖିଛନ୍ତି ଯେ ଦିଲ୍ଲୀର ଏକ ପୋଲିଂ ବୁଥରେ ୭୨୯ରୁ ୭୨୮ ନାମ ହଟାଇ ଦିଆଯାଇଛି। ଏଥିରୁ ଏସଆଇଆରର ସିଷ୍ଟର ନେଚର ଉଜାଗର ହେଉନି ତ ଆଉ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ପବନ ଖେଡା ଅଭିଯୋଗ କରିଛନ୍ତି ଯେ ଅଧିକାରୀମାନେ ଏହି ଭୋଟରଙ୍କ ନାମ ହଟାଇବାର କାରଣ ସେମାନଙ୍କ ଘରକୁ ଅନଧିକୃତ (ଅନଅଥରାଇଜଡ) କୁହାଯାଇଥିଲା।

କଂଗ୍ରେସ ନେତା ଏସଆଇଆରକୁ ଗରିବ, ପ୍ରବାସୀ ଓ ବଞ୍ଚିତ ଲୋକଙ୍କ ବିରୋଧରେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯେଉଁ ଲୋକଙ୍କ ପାଖରେ ପୂର୍ବରୁ ବହୁତ କମ୍ ଅଧିକାର ରହିଛି ଏବେ ସେମାନଙ୍କଠୁ ଭୋଟ ଦେବାର ଅଧିକାର ମଧ୍ୟ ଛଡାଇ ନିଆଯାଇଛି। ଖେଡା କହିଛନ୍ତି ଯେ ଏହା କେବଳ ଏକ ବୁଥର ଘଟଣା ନୁହେଁ ଏବେ ଯଦି ଏସଆଇଆର ପ୍ରକ୍ରିୟାକୁ ରୋକା ନ ଗଲା ତେବେ ଆଗକୁ ଲୋକଙ୍କ ଭୋଟ ଦେବାର ଅଧିକାର ମଧ୍ୟ ପ୍ରଭାବିତ ହୋଇପାରେ। ଏହି ମାମଲାରେ ପବନ ଖେଡା ସୁପ୍ରିମକୋର୍ଟ ସଂଜ୍ଞାନ ନିଅନ୍ତୁ ବୋଲି ଦାବି କରିଛନ୍ତି।