ଭୁବନେଶ୍ୱର ୨୧।୦୧ : ଭୁବନେଶ୍ୱରରେ ପୁଣି ଥାର୍ ଆତଙ୍କ। କ୍ୟାପିଟାଲ ହସ୍ପିଟାଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା। ବୁଲେଟକୁ ପିଟିଲା ଥାର୍। ଏହି ଥାର୍ ଏବଂ ବୁଲେଟ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର। ଥାର୍ ଚକା ତଳେ ଚାପି ହୋଇ ଯୁବକଙ୍କ ଜୀବନ ଯାଇଛି। ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଏମ୍ସ ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ଜଣେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୃତ ଯୁବକ ହେଲେ ଓଲ୍ଡ ଟାଉନର ରାଜା ପେଦିନି। ପୋଲିସ ନରହନ୍ତା ଥାର୍ ଏବଂ ଦୁର୍ଘଟଣାଗ୍ରସ୍ତ ବୁଲେଟକୁ ଜବତ୍ କରି ତଦନ୍ତ ଆରମ୍ଭ କରିଛି। ସେହିପରି ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ୍ କରି ଦୁର୍ବୃତ୍ତ ମାନଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି କ୍ୟାପିଟାଲ ଥାନା ପୋଲିସ।

​​​​​​​

ସୂଚନାଯୋଗ୍ୟ, ଗତ ରାକ୍ଷୀ ପୂର୍ଣ୍ଣମୀ ଦିନ ଥାର୍ ଧକ୍କାରେ ଜଣେ ୮ ବର୍ଷର ଝିଅର ମୃତ୍ୟୁ ହୋଇଥିଲା । ୨ ଜଣ ଗୁରୁତର ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ । ମାତ୍ର ପରେ ଚିକିତ୍ସିତ ଅବସ୍ଥାରେ ମା’ର ଜୀବନ ଚାଲିଯାଇଥିଲା । ଏହି ଘଟଣାକୁ ନେଇ ଉତ୍ତେଜନା ବଢ଼ିଥିବା ବେଳେ ମୃତକଙ୍କ ପରିବାର ଲୋକ ଟାୟାର ଜାଳି ରାସ୍ତା ରୋକ କରିବା ସହ ପ୍ରତିବାଦ କରିଥିଲେ । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ତାତିଥିଲେ ଲୋକେ । ହେଲେ ଗାଡ଼ି ଡ୍ରାଇଭରଙ୍କ କୌଣସି ପତ୍ତା ମିଳିନଥିଲା । ଶେଷରେ ଦୀର୍ଘ ଦିନ ପରେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କୁ ଗିରଫ କରିଥିଲା ପୋଲିସ ।