ମୁମ୍ଵାଇ୧୭୦୯:ବଲିଉଡ ବରିଷ୍ଠ ଅଭିନେତ୍ରୀ ମନ୍ଦାକିନୀ । ତାଙ୍କ କ୍ୟାରିୟରର ସବୁଠାରୁ ଚର୍ଚ୍ଚିତ ବିବାଦ ମଧ୍ୟରୁ ଗୋଟିଏ-ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ଙ୍କ ସହ ଥିବା ଏକ ଫଟୋକୁ ନେଇ ନିଜର ପକ୍ଷ ରଖିଛନ୍ତି। ବର୍ଷ ବର୍ଷ ପୂର୍ବେ ସାମ୍ନାକୁ ଆସିଥିବା ଏହି ଫଟୋକୁ ନେଇ ବିଭିନ୍ନ ସମୟରେ ଅନେକ ଚର୍ଚ୍ଚା ଓ ଗୁଜବ ପ୍ରକାଶ ପାଇଥିଲା। ଏକ ସାକ୍ଷାତକାରରେ ମନ୍ଦାକିନୀ ସେହି ଫଟୋର ବ୍ୟାକଗ୍ରାଉଣ୍ଡ ଓ ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ କହିଥିଲେ। ତାଙ୍କ କହିବା ଅନୁସାରେ, ସେ ଦାଉଦ୍ଙ୍କ ନିମନ୍ତ୍ରଣରେ ଦୁବାଇ ଯାଇନଥିଲେ। ସେ ଏକ ଶୋ’ ପାଇଁ ଦୁବାଇ ଯାଇଥିବାବେଳେ ମ୍ୟାଚ୍ ସ୍ଥଳରେ ଅନେକ ଲୋକଙ୍କ ମଧ୍ୟରେ ଦାଉଦ୍ ମଧ୍ୟ ଉପସ୍ଥିତ ଥିଲେ।

ମନ୍ଦାକିନୀ କହିଛନ୍ତି, “ଲୋକମାନେ କ’ଣ ଲେଖିବେ କିମ୍ବା କ’ଣ କହିବେ, ସେଥିପ୍ରତି ଆମର କୌଣସି ନିୟନ୍ତ୍ରଣ ନଥାଏ। ଜଣେ କଳାକାର ହଜାର ହଜାର ଲୋକଙ୍କ ସଂସ୍ପର୍ଶରେ ଆସିଥାନ୍ତି ଏବଂ ଆମ ପାଇଁ ସମସ୍ତେ ସମାନ।” ଦାଉଦ୍ ତାଙ୍କୁ ମ୍ୟାଚ୍ ଦେଖିବାକୁ ନିମନ୍ତ୍ରଣ କରିଥିଲେ କି ବୋଲି ପଚରାଯିବାରୁ ସେ ସ୍ପଷ୍ଟ ଭାବେ ଏହାକୁ ଖଣ୍ଡନ କରିଥିଲେ। “ନା, ଦାଉଦ୍ ମୋତେ ନିମନ୍ତ୍ରଣ କରିନଥିଲେ। ବିବାଦ କିପରି ସୃଷ୍ଟି ହୁଏ କିମ୍ବା ଘଟଣାଗୁଡ଼ିକୁ କିପରି ଚର୍ଚ୍ଚାର ବିଷୟ ବା ସନସନିପୂର୍ଣ୍ଣ କରାଯାଏ, ସେ ବିଷୟରେ ମୋର କୌଣସି ଧାରଣା ନଥିଲା,” ବୋଲି ସେ କହିଥିଲେ।

ଏହି ବିବାଦ ତାଙ୍କ କ୍ୟାରିୟରକୁ ଯଥେଷ୍ଟ ପ୍ରଭାବିତ କରିଥିବା ମଧ୍ୟ ମନ୍ଦାକିନୀ ସ୍ୱୀକାର କରିଛନ୍ତି। ଏଭଳି ପରିସ୍ଥିତିକୁ ସମ୍ଭାଳିବା ପାଇଁ ଜଣେ କଳାକାରଙ୍କ ପାଖରେ ଏକ ଦକ୍ଷ ଟିମ୍ ରହିବାର ଆବଶ୍ୟକତା ସେ ପରେ ବୁଝିଥିବା କହିଛନ୍ତି।“ଏହି ବିବାଦ ବହୁତ କ୍ଷତି ଘଟାଇଥିଲା। ପରେ ମୁଁ ଅନୁଭବ କଲି ଯେ ଏଭଳି ବିଷୟଗୁଡ଼ିକୁ ପରିଚାଳନା କରିବା ପାଇଁ ଏକ ଟିମ୍ ରହିବା ଆବଶ୍ୟକ। ଚାରିଆଡ଼େ ପ୍ରଚାରିତ ହେଉଥିବା ଗୁଜବଗୁଡ଼ିକୁ ମୁଁ ଖଣ୍ଡନ କରିଥିଲି,” ବୋଲି ସେ କହିଥିଲେ। ତାଙ୍କ ଏହି ଖଣ୍ଡନ ସେ ସମୟରେ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଥିବା ମନ୍ଦାକିନୀ କହିଛନ୍ତି।

ଅଣ୍ଡରୱାର୍ଲ୍ଡ ଫଣ୍ଡିଂ ବିଷୟରେ ଜାଣିନଥିଲେ

୧୯୮୦ ଦଶକରେ ବଲିଉଡ୍ରେ କଥିତ ଅଣ୍ଡରୱାର୍ଲ୍ଡ ଫଣ୍ଡିଂକୁ ନେଇ ଚର୍ଚ୍ଚା ଥିଲେ ମଧ୍ୟ ସେ ସମୟରେ ଏ ସମ୍ପର୍କରେ ନିଜର କୌଣସି ଧାରଣା ନଥିବା ମନ୍ଦାକିନୀ କହିଛନ୍ତି। “ସେ ସମୟରେ ଖବର ପ୍ରକାଶ ପାଇଥିଲା ଯେ ମୁଁ ସେହି ଗୁଜବକୁ ଖଣ୍ଡନ କରିଥିଲି। ୮୦ ଦଶକରେ ବଲିଉଡରେ ଅଣ୍ଡରୱାର୍ଲ୍ଡ ଫଣ୍ଡିଂ ବିଷୟରେ ମୁଁ ଆଦୌ ଅବଗତ ନଥିଲି। ପରବର୍ତ୍ତୀ ସମୟରେ ନିର୍ମିତ ଚଳଚ୍ଚିତ୍ର ମାଧ୍ୟମରେ ମୁଁ ଏସବୁ ବିଷୟରେ ଜାଣିବାକୁ ପାଇଲି,” ବୋଲି ସେ କହିଥିଲେ।