ନୂଆଦିଲ୍ଲୀ: ଦିବଂଗତ ବଲିଉଡ଼ ଅଭିନେତ୍ରୀ ଶ୍ରୀଦେବୀଙ୍କ ପରିବାର ପୁଣି ଥରେ ଏକ ପୁରୁଣା ଜମି ବିବାଦକୁ ନେଇ ଆଇନଗତ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି। ଚେନ୍ନାଇ ସ୍ଥିତ ୨.୭୦ ଏକର ପରିମିତ ଏକ ଜମି ହଡ଼ପ ମାମଲାରେ ସୁପ୍ରିମକୋର୍ଟ ଶ୍ରୀଦେବୀଙ୍କ ସ୍ୱାମୀ ତଥା ଚଳଚ୍ଚିତ୍ର ପ୍ରଯୋଜକ ବୋନି କପୁର, ଝିଅ ଜାହ୍ନବୀ କପୁର ଏବଂ ଖୁସି କପୁରଙ୍କୁ ନୋଟିସ୍ ଜାରି କରିଛନ୍ତି।

ମାମଲା କଣ ?

ବିବାଦର କେନ୍ଦ୍ରବିନ୍ଦୁ ପାଲଟିଥିବା ଏହି ୨.୭୦ ଏକର ଜମିଟି ଚେନ୍ନାଇର ଶୋଲିଙ୍ଗାନାଲୁର ସ୍ଥିତ ସର୍ଭେ ନମ୍ବର ୧/୧ବିରେ ଅବସ୍ଥିତ, ଯାହାକୁ ବହୁ ବର୍ଷ ପୂର୍ବେ ଶ୍ରୀଦେବୀ ଓ ତାଙ୍କ ପରିବାର କିଣିଥିଲେ। ଏହି ମାମଲା ଏମ୍.ସି. ସିବକାମୀ ଏବଂ ତାଙ୍କ ଭାଇ ଏମ୍.ସି. ନଟରାଜନଙ୍କ ଦ୍ୱାରା ଦାୟର କରାଯାଇଛି। ଏହିମାନେ ନିଜକୁ ଦିବଂଗତ ଏମ୍.ସି. ଚନ୍ଦ୍ରଶେଖରନ୍ଙ୍କ ଆଇନଗତ ଉତ୍ତରାଧିକାରୀ ବୋଲି ଦାବି କରି ଜମିରୁ ୫ ଭାଗରୁ ଭାଗେ ଅଂଶ ପାଇବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ୧୯୮୮ ଏପ୍ରିଲ ୧୯ରେ ରାଜେଶ୍ୱରୀ, ଶ୍ରୀଲତା ଏବଂ ଶ୍ରୀଦେବୀଙ୍କ ନାମରେ ହୋଇଥିବା ବିକ୍ରି ଏବଂ ପରବର୍ତ୍ତୀ ସମସ୍ତ କାରବାର ବେଆଇନ ଅଟେ।

Also Read: କେରଳ ମୁଖ୍ୟମନ୍ତ୍ରୀଙ୍କ ନକଲି ବିବାହ ସାର୍ଟିଫିକେଟ କରିଥିଲେ, ୩ ଜଣଙ୍କ ବିରୋଧରେ ମାମଲା

ପୂର୍ବରୁ ଚେଙ୍ଗାଲପଟ୍ଟୁ ଅତିରିକ୍ତ ଜିଲ୍ଲା ଅଦାଲତ ଏହି ଆବେଦନକୁ ଗ୍ରହଣ କରିଥିଲେ ମଧ୍ୟ, ୨୦୨୬ ଏପ୍ରିଲ ୨୦ରେ ମାନ୍ଦ୍ରାଜ ହାଇକୋର୍ଟ ଏହି ଆବେଦନକୁ ଖାରଜ କରି କପୁର ପରିବାର ପକ୍ଷରେ ରାୟ ଦେଇଥିଲେ। ୧୯୮୮ର କାରବାରକୁ ନେଇ ଏତେ ବର୍ଷ ପରେ ୨୦୨୫ରେ ମାମଲା ଦାୟର କରିବା ଆଇନଗତ ସମୟସୀମା ବାହାରେ ବୋଲି ହାଇକୋର୍ଟ କହିଥିଲେ।

ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସିବକାମୀ ଓ ତାଙ୍କ ଭାଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବା ପରେ, ବିଚାରପତି କେ.ଭି. ବିଶ୍ୱନାଥନ୍ ଏବଂ ଅରୁଣ ପିଲ୍ଲାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଏହି ସମ୍ପତ୍ତି ଉପରେ 'ଯଥାସ୍ଥିତି' ବଜାୟ ରଖିବାକୁ ଉଭୟ ପକ୍ଷକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଆପୋଷ ବୁଝାମଣା ପାଇଁ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଜରିଆରେ ମଧ୍ୟସ୍ଥତା ପ୍ରକ୍ରିୟାକୁ ପଠାଇବାକୁ ପ୍ରସ୍ତାବ ଦେଇଛନ୍ତି।

Also Read: ଦିଶା ସାଲିଆନ ମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ଆଦିତ୍ୟ ଠାକରେ, କହିଲେ-ଦେଖା ହେବା ଦୂରର କଥା.. ମୁଁ ଚିହ୍ନିନି

ଅନ୍ୟପକ୍ଷରେ କପୁର ପରିବାର ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି କୋର୍ଟରେ ଦର୍ଶାଇଥିଲେ ଯେ ୧୯୮୮ର ଜମି କାରବାରକୁ ନେଇ ୨୦୨୫ରେ ଆବେଦନ କରିବା ଆଇନଗତ ଭାବେ ଗ୍ରହଣଯୋଗ୍ୟ ନୁହେଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୧୮ ତାରିଖରେ ହେବ।