ନୂଆଦିଲ୍ଲୀ-ମାଇକେଲ୍ ଜ୍ୟାକସନଙ୍କ ଗୀତ ଓ ଡ୍ୟାନ୍ସ ଆଜି ବି ସାରା ବିଶ୍ୱରେ ଲୋକପ୍ରିୟ। କିନ୍ତୁ ତାଙ୍କର ଗୋଟିଏ ଡ୍ୟାନ୍ସ ଷ୍ଟେପ୍ ଏମିତି ଥିଲା, ଯାହାକୁ ଦେଖି ଲୋକେ ଭାବୁଥିଲେ ଏହା ମଣିଷ ପକ୍ଷେ ସମ୍ଭବ ନୁହେଁ l ଏହି ଷ୍ଟେପ୍ଟି ହେଉଛି ‘Smooth Criminal’ ଗୀତରେ ମାଇକେଲ୍ ଜ୍ୟାକସନଙ୍କ ପ୍ରସିଦ୍ଧ ଆଗକୁ ଝୁଙ୍କିବା ଷ୍ଟେପ୍। ଏଥିରେ ମାଇକେଲ୍ ଜ୍ୟାକସନ ନିଜ ପାଦକୁ ମାଟିରେ ରଖି ଶରୀରକୁ ବହୁତ ଅଧିକ ଆଗକୁ ଝୁଙ୍କାଉଥିଲେ। ଦେଖିଲେ ଲାଗୁଥିଲା, ଯେମିତି ତାଙ୍କ ଶରୀର ମାଧ୍ୟାକର୍ଷଣ ଶକ୍ତିକୁ ମାନୁନାହିଁ। କିନ୍ତୁ ଏହା କୌଣସି ଯାଦୁ ନଥିଲା। ଏହା ପଛରେ ଥିଲା ଏକ ବିଶେଷ ଜୋତା ଏବଂ ଷ୍ଟେଜ୍ରେ ଲୁଚାଇ ରଖାଯାଇଥିବା ଏକ ମେକାନିକାଲ୍ ବ୍ୟବସ୍ଥା।

ସେହି ଜୋତା ଭିତରେ ଥିଲା ଅସଲି ରହସ୍ୟ ! ୧୯୯୨ରେ Michael Jackson, Michael L. Bush ଏବଂ Dennis Tompkinsଙ୍କ ନାମରେ ଏହି ଡିଜାଇନ୍ର ପେଟେଣ୍ଟ ଆବେଦନ କରାଯାଇଥିଲା। ୧୯୯୩ରେ ଏହାକୁ ଆମେରିକାର ପେଟେଣ୍ଟ ଭାବେ ମଞ୍ଜୁର କରାଯାଇଥିଲା। ପେଟେଣ୍ଟର ନାମ ଥିଲା ‘Method and Means for Creating Anti-Gravity Illusion’। ନାମରେ ‘Anti-Gravity’ ଥିଲେ ମଧ୍ୟ ଏହା ପ୍ରକୃତରେ ମାଧ୍ୟାକର୍ଷଣକୁ ବନ୍ଦ କରୁନଥିଲା। ବରଂ ଜୋତାର ହିଲ୍ରେ ଏକ ବିଶେଷ ଢାଞ୍ଚା ରହିଥିଲା। ଷ୍ଟେଜ୍ରୁ ଏକ ଛୋଟ ମେକାନିକାଲ୍ ହୁକ୍ ବା ହିଚ୍ ବାହାରି ଏହି ଖାଞ୍ଚାରେ ଲକ୍ ହୋଇଯାଉଥିଲା। ଫଳରେ ମାଇକେଲ୍ ନିଜ ଶରୀରକୁ ସାଧାରଣ ମଣିଷଠାରୁ ବହୁତ ଅଧିକ ଆଗକୁ ଝୁଙ୍କାଇ ପାରୁଥିଲେ। ଦେଖିବାକୁ ସାଧାରଣ, କାମରେ କିନ୍ତୁ ଅସାଧାରଣ l ଏହି ବିଶେଷ ଜୋତାକୁ ଏମିତି ଭାବରେ ଡିଜାଇନ୍ କରାଯାଇଥିଲା ଯେ ଦର୍ଶକଙ୍କୁ ଏହା ସାଧାରଣ ଜୋତା ଭଳି ଦେଖାଯାଉଥିଲା। ଷ୍ଟେଜ୍ର ମେକାନିକାଲ୍ ବ୍ୟବସ୍ଥା ମଧ୍ୟ ଆବଶ୍ୟକ ସମୟରେ ମାତ୍ର ଉପରକୁ ଆସୁଥିଲା। ଷ୍ଟେପ୍ ସରିଗଲେ ଏହା ପୁଣି ଷ୍ଟେଜ୍ ଭିତରକୁ ଚାଲିଯାଉଥିଲା। ତେଣୁ ଦର୍ଶକଙ୍କୁ ଲାଗୁଥିଲା ଯେ ମାଇକେଲ୍ ଜ୍ୟାକସନ ନିଜ ଶରୀରକୁ ମାଧ୍ୟାକର୍ଷଣର ନିୟମ ବିରୋଧରେ ନେଇଯାଉଛନ୍ତି।

read also -ହେମା ମାଳିନୀ ବନାମ ଜୟା ବଚ୍ଚନ: କାହା ପାଖରେ ଅଛି ଅଧିକ ସମ୍ପତ୍ତି ? ଜାଣନ୍ତୁ କିଏ କାହାଠାରୁ ଆଗରେ

ତେବେ ଏହା ମାଇକେଲଙ୍କ ନିଜସ୍ୱ ଆବିଷ୍କାର ଥିଲା କି?ପେଟେଣ୍ଟରେ ମାଇକେଲ୍ ଜ୍ୟାକସନଙ୍କ ସହ Michael L. Bush ଏବଂ Dennis Tompkinsଙ୍କ ନାମ ମଧ୍ୟ ଆବିଷ୍କାରକ ଭାବେ ରହିଛି। ପେଟେଣ୍ଟରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଏଭଳି ଆଗକୁ ଝୁଙ୍କିବାର ଭିଜୁଆଲ୍ ଇଫେକ୍ଟ ପୂର୍ବରୁ କେବଲ୍ ଓ ହାର୍ନେସ୍ ବ୍ୟବହାର କରି କରାଯାଉଥିଲା। କିନ୍ତୁ ସେଥିରେ ଡ୍ୟାନ୍ସ କରିବାରେ ସମସ୍ୟା ଥିଲା। ମାଇକେଲଙ୍କ ଜୋତା ଓ ଷ୍ଟେଜ୍ର ଏହି ବ୍ୟବସ୍ଥା ସେହି ସମସ୍ୟାର ଏକ ଭିନ୍ନ ସମାଧାନ ଦେଇଥିଲା। ତେଣୁ ‘Smooth Criminal’ର ସେହି ଷ୍ଟେପ୍ ଯେତେ ଚମତ୍କାର ଦେଖାଯାଉଥିଲା, ତା’ ପଛରେ ଥିଲା ମାଇକେଲ୍ ଜ୍ୟାକସନଙ୍କ ଡ୍ୟାନ୍ସ ସହ ଇଞ୍ଜିନିୟରିଂର ଚମତ୍କାର ମିଶ୍ରଣ। ୩୦ ବର୍ଷରୁ ଅଧିକ ସମୟ ପରେ ମଧ୍ୟ ମାଇକେଲ୍ ଜ୍ୟାକସନଙ୍କ ସେହି ‘anti-gravity’ ଷ୍ଟେପ୍ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି ?