ନୂଆଦିଲ୍ଲୀ: ଅଭିଜ୍ଞ ଖେଳ ପ୍ରଶାସକ ତଥା ଏସିୟାଡରେ ପ୍ରଥମ ସୁଟିଂ ସ୍ୱର୍ଣ୍ଣ ପଦକ ବିଜେତା ଦିଗ୍ଗଜ ଅଲିମ୍ପିୟାନ ରାଜା ରଣଧୀର ସିଂହଙ୍କ ବୁଧବାର ପରଲୋକ ହୋଇଛି। ପରଲୋକ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା ଓ ସେ ବୟସ ସମ୍ପର୍କିତ ରୋଗ ଭୋଗ କରୁଥିଲେ। ଦୀର୍ଘ ଦିନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସେ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକ ସହ ଭାରତୀୟ କ୍ରିଡାର ସେହି ସ୍ୱର୍ଣ୍ଣିମ ଅଧ୍ୟାୟର ଅନ୍ତ ହୋଇଛି ଯେଉଁଥିରେ ସେ ଖେଳାଳି ଓ ପ୍ରଶାସକ ଉଭୟ ରୂପେ ଯୋଗଦାନ ଦେଇଥିଲେ।

ରାଜା ରଣଧୀର ସିଂହଙ୍କ ପରିବାରରେ ତାଙ୍କ ପତ୍ନୀ ବିନିତା ଓ ୩ ଝିଅ ମହିମା, ସୁନୈନା ଓ ରାଜେଶ୍ୱରୀ ଅଛନ୍ତି। ଏଥିରେ ସିଂହଙ୍କ ଝିଅ ରାଜେଶ୍ୱରୀ ମଧ୍ୟ ଜଣେ ସୁଟର। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସିଂହ ନିକଟରେ ଏସିୟା ଅଲିମ୍ପିକ ପରିଷଦ (ଓସିଏ) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହି ପଦବୀରେ ତାଙ୍କୁ ୨୦୨୪ରେ ୪ ବର୍ଷ ନିମନ୍ତେ ମନୋନୟନ କରାଯାଇଥିଲା। ଏହି ସଂସ୍ଥାରେ ୧୯୯୧ରୁ ୨୦୧୫ ପର୍ଯ୍ୟନ୍ତ ମହାସଚିବ ପଦରେ ଅବସ୍ଥାପିତ ଥିଲେ।

ଭାରତୀୟ ରାଷ୍ଟ୍ରୀୟ ରାଇଫଲ ସଂଘ ସଚିବ ରାଜୀବ ଭାଟିଆ ତାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବିଶିଷ୍ଟ ଅଲିମ୍ପିୟନ, ଅର୍ଜୁନ ପୁରସ୍କାର ବିଜେତା ତଥା ଭାରତ, ଏସିଆ ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟିରେ ସବୁଠୁ ସମ୍ମାନୀତ ଖେଳ ପ୍ରଶାସକଙ୍କ ମଧ୍ୟରୁ ଜଣେ ରାଜା ରଣଧୀର ସିଂହ ସୁଟିଂ ସ୍ପୋର୍ଟସରେ ଅତୁଳନୀୟ ଯୋଗଦାନ ଦେଇଛନ୍ତି। ସିଂହ ତାଙ୍କ ଖେଳାଳି କ୍ୟାରିୟରରେ ୫ଟି ଅଲିମ୍ପିକ୍ ରେ ଅଂଶଗ୍ରହଣ କରିଥିବାବେଳେ ୧୯୭୮ ବ୍ୟାଂକକ ଏସିୟାଡରେ ଐତିହାସିକ ଟ୍ରାପ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ଏଥି ପାଇଁ ୧୯୭୯ ମସିହାରେ ତାଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା।