ଭୁବନେଶ୍ୱର: ବିଶ୍ୱର ସବୁଠୁ ପ୍ରାଚୀନ ଦେଶର ନାମ କହିବା ସହଜ ହୋଇନଥାଏ । କାରଣ କୌଣସି ଦେଶର ସଭ୍ୟତାର ସମୟରେଖା ଓ ଆଧୁନିକ ରାଷ୍ଟ୍ର ଭାବେ ଗଠନର ସମୟ ସମାନ ନୁହେଁ। ଅନେକ ପଚାରନ୍ତି ବିଶ୍ୱର ସବୁଠୁ ପୁରାତନ ଦେଶ କେଉଁଟି? ଭାରତର ଇତିହାସ କେତେ ପୁରୁଣା? ଏଭଳି ପ୍ରଶ୍ନକୁ ନେଇ ସବୁବେଳେ ଲୋକଙ୍କ ମଧ୍ୟରେ ଆଗ୍ରହ ରହିଥାଏ। ନିକଟରେ ବିଭିନ୍ନ ଦେଶର ଇତିହାସ ଓ ଗବେଷଣା ସମ୍ବନ୍ଧୀୟ ତଥ୍ୟକୁ ନେଇ ପ୍ରସ୍ତୁତ ଏକ ତାଲିକା ଚର୍ଚ୍ଚାକୁ ଆସିଛି । 'ୱାର୍ଲ୍ଡ ଅଫ୍ ଷ୍ଟାଟିଷ୍ଟିକ୍ସ' ତଥ୍ୟ ଅନୁସାରେ, ଅନେକ ଦେଶ ସେମାନଙ୍କର ପ୍ରାଚୀନ ଉତ୍ପତ୍ତି ଦୃଷ୍ଟିରୁ ଭିନ୍ନ। ଏହି ତାଲିକା ଦର୍ଶାଏ ଯେ ଦେଶଗୁଡ଼ିକ ସେମାନଙ୍କର ଇତିହାସ ଆଧାରରେ କେତେ ପୁରୁଣା । ଦେଶଗୁଡ଼ିକର ପ୍ରାରମ୍ଭିକ ଇତିହାସ ଓ ଉତ୍ପତ୍ତିକୁ ଆଧାର କରି ସେମାନଙ୍କର ବୟସ ଦର୍ଶାଯାଇଛି। ଏଥିରେ ବିଶ୍ୱର ସବୁଠୁ ପ୍ରାଚୀନ ସଭ୍ୟତା ଓ ପରମ୍ପରା ଥିବା ଦେଶମାନଙ୍କ ନାଁ ଉଲ୍ଲେଖ ରହିଛି।ଦେଶଗୁଡ଼ିକ ହଜାର ହଜାର ବର୍ଷ ଧରି ନିଜ ଅସ୍ତିତ୍ୱ, ସଂସ୍କୃତି, ବିଜ୍ଞାନ ଓ ସମାଜର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖି ଆସିଛନ୍ତି। ସେମାନଙ୍କର ପରମ୍ପରା, ଚିନ୍ତାଧାରା ଓ ବ୍ୟବସ୍ଥା ଆଜି ମଧ୍ୟ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଜୀବନଶୈଳୀ ଓ ସମାଜ ଉପରେ ପ୍ରଭାବ ପକାଉଛି। ସେଥିମଧ୍ୟରୁ ଭାରତ , ଇଜିପ୍ଟ , ଇରାନ , ଭିଏତନାମ , ଆର୍ମେନିଆ , ନର୍ଥ କୋରିଆ, ଚାଇନା , ଜର୍ଜିଆ, ଇଥିୟୋପିଆ ଓ ଗ୍ରୀସ ଆଦିକୁ ପ୍ରାଚୀନ ଦେଶ ତାଲିକାରେ ଗଣାଯାଏ।

ଇରାନ: ଇରାନ ୫,୨୨୬ ବର୍ଷ ସହ ଏହି ତାଲିକାର ଶୀର୍ଷରେ ରହିଛି । ପୂର୍ବରୁ ପାର୍ସିଆ ନାମରେ ପରିଚିତ ଥିବା ଇରାନ ବିଶ୍ୱର ସବୁଠୁ ପୁରୁଣା ନିରନ୍ତର ଚାଲିଆସୁଥିବା ସଭ୍ୟତାଗୁଡ଼ିକ ମଧ୍ୟରୁ ଗୋଟିଏ। ଏହା ନିଜର ସମୃଦ୍ଧ ସଂସ୍କୃତି, ଗଣିତ ଓ ମହାକାଶ ବିଜ୍ଞାନରେ ପ୍ରାରମ୍ଭିକ ଅବଦାନ ଏବଂ ପ୍ରଥମ ସଂଗଠିତ ଶାସନ ବ୍ୟବସ୍ଥା ପାଇଁ ପରିଚିତ। ଇରାନର ସାମ୍ରାଜ୍ୟଗୁଡ଼ିକ ମଧ୍ୟପ୍ରାଚ୍ୟର ବିଶାଳ ଅଞ୍ଚଳରେ ନିଜର ପ୍ରଭାବ ବିସ୍ତାର କରିଥିଲେ ଏବଂ କଳା, ସଂସ୍କୃତି ଓ ଶାସନ ବ୍ୟବସ୍ଥା ଉପରେ ଗଭୀର ଛାପ ଛାଡ଼ିଛନ୍ତି।

ଇଜିପ୍ଟ : ଇଜିପ୍ଟ ବା ମିଶର ୫,୧୨୬ ବର୍ଷ ସହିତ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହା ନିଜର ପିରାମିଡ୍, ଫାରୋ (ପ୍ରାଚୀନ ରାଜା) ଏବଂ ଲେଖନ ପ୍ରଣାଳୀ ପାଇଁ ବିଶ୍ୱବ୍ୟାପୀ ପରିଚିତ। ପ୍ରାଚୀନ ମିଶରବାସୀ କୃଷି, ଗଣିତ ଓ ଚିକିତ୍ସା ବିଜ୍ଞାନରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିଲେ। ସେମାନଙ୍କର ବ୍ୟବସ୍ଥାଗୁଡ଼ିକ ପଡ଼ୋଶୀ ଅଞ୍ଚଳଗୁଡ଼ିକୁ ପ୍ରଭାବିତ କରିଥିଲା ଏବଂ ଆଜି ମଧ୍ୟ ଐତିହାସିକଙ୍କ ପାଇଁ ଅଧ୍ୟୟନର ଏକ ଆକର୍ଷଣୀୟ ବିଷୟ ହୋଇ ରହିଛି।ଭିଏତନାମ:ଭିଏତନାମ ୪,୯୦୫ ବର୍ଷ ପୁରୁଣା ଦେଶ । ଏହାର ଦୀର୍ଘ ଇତିହାସ ପ୍ରାଚୀନ ରାଜବଂଶ ଓ ରେଡ୍ ରିଭର୍ ସଭ୍ୟତା ଦ୍ୱାରା ଗଢ଼ିଉଠିଛି। ଏହାର ସଂସ୍କୃତିରେ ସାହିତ୍ୟ, ପର୍ବପର୍ବାଣୀ, ସଙ୍ଗୀତ ଓ ଦୃଢ଼ ପରମ୍ପରା ରହିଛି, ଯାହା ଆଜି ମଧ୍ୟ ଦେଶର ଜୀବନଶୈଳୀକୁ ପ୍ରଭାବିତ କରୁଛି।

ଆର୍ମେନିଆ: ଆର୍ମେନିଆ ୪,୫୧୮ ବର୍ଷ ପୁରୁଣା ଅଟେ । କୁହାଯାଏ, ଏହା ବିଶ୍ୱର ପ୍ରଥମ ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ ଯିଏ ଖ୍ରୀଷ୍ଟଧର୍ମକୁ ଗ୍ରହଣ କରିଥିଲା। ଏହାର ସମୃଦ୍ଧ ଇତିହାସରେ ରାଜ୍ୟ, ମଠ ଓ ନିଜସ୍ୱ ବର୍ଣ୍ଣମାଳାର ଉଲ୍ଲେଖ ରହିଛି, ଯାହା ଆଜି ମଧ୍ୟ ବ୍ୟବହାର କରାଯାଉଛି।

ଉତ୍ତର କୋରିଆ : ଉତ୍ତର କୋରିଆ ୪,୩୫୯ ବର୍ଷ ପୁରୁଣା , ଯାହା ପ୍ରାଚୀନ ଗୋଜୋସିଅନ୍ ରାଜ୍ୟ ସହ ଜଡ଼ିତ। ପ୍ରାଚୀନ କୋରିଆ ସମାଜ ଶାସନ ବ୍ୟବସ୍ଥା, ଧାତୁ କାରିଗରୀ ଆଧାରିତ ଶିକ୍ଷା ପାଇଁ ପରିଚିତ ଥିଲା।

ଚୀନ୍ : ଚୀନ୍ ୪,୦୯୬ ବର୍ଷ ପୁରୁଣା ଏବଂ ଏହା ବିଶ୍ୱର ସବୁଠୁ ପୁରୁଣା ନିରନ୍ତର ଚାଲିଆସୁଥିବା ସଭ୍ୟତାମାନଙ୍କ ମଧ୍ୟରୁ ଗୋଟିଏ। କାଗଜ, ଛାପା ପ୍ରଣାଳୀ ଓ କମ୍ପାସ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ଚୀନ୍ର ଅବଦାନ। ଏହାର ଧାରଣା ଓ ବ୍ୟବସ୍ଥା ଏସିଆର ଅନେକ ଅଞ୍ଚଳ ଓ ତାହାର ବାହାରେ ମଧ୍ୟ ପ୍ରଭାବ ପକାଇଛି।

ଭାରତ : ଭାରତ ୪,୦୨୬ ବର୍ଷ ପୁରୁଣା ଦେଶ ଭାବେ ତାଲିକାଭୁକ୍ତ ହୋଇଛି, ଯାହାର ମୂଳ ସିନ୍ଧୁ ଉପତ୍ୟକା ସଭ୍ୟତା ସହ ଜଡ଼ିତ। ପ୍ରାଚୀନ ସହର ଯୋଜନା ଓ ବାଣିଜ୍ୟ କ୍ଷେତ୍ରରେ ଭାରତର ଆରମ୍ଭିକ ଅବଦାନ ଥିଲା। ସମୟ ସହିତ ଏଠାରେ ଅନେକ ଧର୍ମ, ଭାଷା ଓ ଚିନ୍ତାଧାରାର ବିକାଶ ହୋଇଛି, ଯାହା ଆଜି ମଧ୍ୟ ବିଶ୍ୱକୁ ପ୍ରଭାବିତ କରୁଛି।ଜର୍ଜିଆ :ଜର୍ଜିଆ ୩,୩୨୬ ବର୍ଷ ପୁରୁଣା ଦେଶ ଭାବେ ତାଲିକାରେ ରହିଛି। ଏହା ପୁରୁଣା ମଦ ପ୍ରସ୍ତୁତି ପରମ୍ପରା ଓ ୟୁରୋପ୍ ଓ ଏସିଆ ମଧ୍ୟରେ ଥିବା ସାଂସ୍କୃତିକ ମିଶ୍ରଣ ପାଇଁ ପରିଚିତ।

ଇଥିଓପିଆ : ଇଥିଓପିଆ ୩,୦୦୬ ବର୍ଷ ପୁରୁଣା ଏବଂ ଏହା ଆଫ୍ରିକାର ସବୁଠୁ ପ୍ରାଚୀନ ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ। ଏହାର ମୂଳ ପ୍ରାଚୀନ ରାଜ୍ୟଗୁଡ଼ିକ ସହ ଜଡ଼ିତ ଏବଂ ଏହାକୁ ପ୍ରାରମ୍ଭିକ ମାନବ ଇତିହାସ ସହିତ ମଧ୍ୟ ସମ୍ପର୍କ କରାଯାଏ।

ଗ୍ରୀସ୍ : ଗ୍ରୀସ୍ ୨,୮୨୬ ବର୍ଷ ପୁରୁଣା। ଏହା ଗଣତନ୍ତ୍ର, ଦର୍ଶନ ଓ ଅଲିମ୍ପିକ୍ କ୍ରୀଡ଼ା ଭଳି ଧାରଣାଗୁଡ଼ିକର ବିକାଶରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଏହି ପରମ୍ପରା ଓ ଧାରଣାଗୁଡ଼ିକ ଆଜି ମଧ୍ୟ ବିଶ୍ୱରେ ଜୀବନ୍ତ ରହିଛି।

ତେବେ କେତେକ ଗବେଷଣା ପ୍ରାଚୀନ ସଭ୍ୟତାର ଆରମ୍ଭ ସମୟକୁ ଆଧାର କରି ହୋଇଥାଏ ତ, ଆଉ କେତେକ ବର୍ତ୍ତମାନର ରାଷ୍ଟ୍ର ବ୍ୟବସ୍ଥା କିମ୍ବା ସମ୍ବିଧାନ ଅନୁଯାୟୀ ଦେଶର ବୟସ ନିର୍ଦ୍ଧାରଣ କରେ। ତେଣୁ ବିଭିନ୍ନ ସଂସ୍ଥା ଓ ଗବେଷଣାରେ ଦେଶମାନଙ୍କ କ୍ରମ ଭିନ୍ନ ହୋଇପାରେ। ଭାରତ କେବଳ ଏକ ଆଧୁନିକ ରାଷ୍ଟ୍ର ନୁହେଁ, ବରଂ ହଜାର ହଜାର ବର୍ଷର ସାଂସ୍କୃତିକ ଓ ଐତିହାସିକ ପରମ୍ପରା ବହନ କରୁଥିବା ବିଶ୍ୱର ଅନ୍ୟତମ ପ୍ରାଚୀନ ସଭ୍ୟତା।