କଟକ: ସାମାନ୍ୟ ସମସ୍ୟା ଆସିଲେ ମଣିଷ ପଛଘୁଞ୍ଚା ଦେଉଛି। ଅନ୍ୟର ଦୋଷ ଲଦୁଛି। କିନ୍ତୁ ସମସ୍ତେ ସମାନ ନୁହନ୍ତି। ଏମିତି କିଛି ମହାନ ଲୋକ ଅଛନ୍ତି, ଯିଏ ସର୍ବସ୍ୱ ହରାଇବି ଅନ୍ୟପାଇଁ ସାଜିଛନ୍ତି ଆଦର୍ଶ ଓ ପ୍ରେରଣା। ଦୁଇ ଗୋଡ଼ ନଥାଇବି ଅନ୍ୟମାନଙ୍କୁ ଜୀବନ ଦେଉଥ‌ିବା ଜଣେ ଦିବ୍ୟାଙ୍ଗଙ୍କ କାହାଣୀ। ଚାଉଳିଆଗଞ୍ଜ କୈବଲ୍ୟ ବିହାର ଅଞ୍ଚଳର ବାସିନ୍ଦା ୩୩ ବର୍ଷୀୟ ରବିନାରାୟଣ ଦାସ ଓରଫ୍ ବୁବା। ୨୦୧୯ରେ ଟ୍ରେନରେ ଯାଉଥିବା ବେଳେ ଦୂର୍ଭାଗ୍ୟବଶତଃ ଖସିପଡ଼ିଲେ। ବଞ୍ଚିବାର ଆଶା ବହୁତ କ୍ଷୀଣ ଥିଲା। ହେଲେ ପ୍ରଭୁଙ୍କ କୃପା ଓ ବନ୍ଧୁ, ପରିବାରବର୍ଗଙ୍କ ସହାୟତାରେ ଶରୀରରେ ନିଶ୍ବାସ ଟିକିଏ ବଞ୍ଚି ରହିଲା। ୩୪ଟି ରକ୍ତ ଓ ୧୭ଟି ପ୍ଲାଜମା ନେଇ ଦୁଇ ବର୍ଷର ସଂଘର୍ଷ ପରେ ସୁସ୍ଥ ହେଲେ ସତ। କିନ୍ତୁ ହରାଇ ବସିଲେ ଗୋଡ଼ ଦୁଇଟି। ସମ୍ପୂର୍ଣ ସୁସ୍ଥ ହେବାକୁ ଦୁଇ ବର୍ଷ ଲାଗିଗଲା।

କିନ୍ତୁ ଦୁଇ ବର୍ଷ ପରେ ଯେଉଁ ରବିଙ୍କୁ ଲୋକେ ଚିହ୍ନିଲେ ସେ ଥିଲେ ସମ୍ପୂର୍ଣ ଭିନ୍ନ, ନିଆରା ଓ ପରୋପକାରୀ। ଦୁଇ ଗୋଡ଼ ନଥାଇ ଚାଉଳିଆଗଞ୍ଜ କୈବଲ୍ୟ ବିହାର ଅଞ୍ଚଳର ବାସିନ୍ଦା ୩୩ ବର୍ଷୀୟ ରବିନାରାୟଣ ଦାସ ଓରଫ୍ ବୁବା ଏବେ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ରକ୍ତ ଦାନ ମହତ ଦାନ। ଏହା କେବଳ କଥାରେ ସୀମିତ ରହିନି ତାଙ୍କ ପାଇଁ। ସେ ଏହାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି। ଦୁର୍ଘଟଣାରେ ଦୁଇଟା ଯାକ ଗୋଡ଼ ହରାଇ ଅନ୍ୟମାନଙ୍କ ଭଳି ଯଦିଓ ଚାଲିବାରେ ସେ ଅସମର୍ଥ ହୋଇପଡ଼ିଛନ୍ତି ତଥାପି ସେବା ପଥରେ ଆଗେଇ ଚାଲିଛନ୍ତି ବୁବା ।

ଦିବ୍ୟାଙ୍ଗ ହୋଇ ମଧ୍ୟ ଗତ ୫ବର୍ଷ ମଧ୍ୟରେ ୩୩ ଥର ରକ୍ତଦାନ କରିସାରିଲେଣି ବୁବା। ଏହାସହ ଏସସିବିକୁ ଆସୁଥିବା ଲୋକମାନଙ୍କ ରକ୍ତ ଆବଶ୍ୟକ ହେବା ମାତ୍ରେ ସମସ୍ତେ ବୁବା ଭାଇଙ୍କୁ ଖୋଜିଥାନ୍ତି। ପାଖାପାଖି ୫ହଜାର ଲୋକଙ୍କ ପାଇଁ ସେ ରକ୍ତ ଯୋଗାଡ଼ କରି ସମାଜସେବା କ୍ଷେତ୍ରରେ ସାଜିଛନ୍ତି ନିଆରା ମଣିଷ। ସମସ୍ତଙ୍କ ପାଖରେ ସେ ବୁବା ଭାଇ ନାମରେ ପରିଚିତ। ପରିବାର କହିଲେ ବାପା ଦୁଃଖିଶ୍ୟାମ ଦାସ ଓ ମା ରେଣୁବାଳା ଦାସ। ବାପା ଗାଡ଼ି ଡ୍ରାଇଭିଂ କରି ଗୁଜୁରାଣ ମେଣ୍ଟାଉଥିଲେ।

ସମ୍ପର୍କୀୟଙ୍କ ଦୋକାନରେ କାମ କରୁଥିଲେ ତ ଆଉ କେତେବେଳେ ଗାଡ଼ି ବୁଝାବୁଝି କରୁଥିଲେ ବୁବା। କିନ୍ତୁ ରୋଜଗାର କରୁଥିବା ଟଙ୍କାର ସଦୁପଯୋଗ କରିପାରୁ ନ ଥିଲେ । ଯାହାକୁ ନେଇ ପରିବାର ଲୋକେ ବେଶ୍ ଚିନ୍ତିତ ମଧ୍ୟ ହୋଇପଡ଼ିଥିଲେ। କିନ୍ତୁ ସମୟଚକ୍ରରେ ସବୁକିଛି ଓଲଟପାଲଟ ହୋଇଗଲା।

୨୦୧୯ ମସିହାରେ ବ୍ରହ୍ମପୁର ଟ୍ରେନ୍‌ରେ ଯାଉଥିବା ସମୟରେ ଗଳିପଡ଼ି ଦୁର୍ଘଟଣାରେ ଗୋଡ଼ ଦୁଇଟି କଟିଯାଇଥିଲା ତାଙ୍କର । ୨୦୧୯ରୁ ୨୦୨୧ମସିହା ପର୍ଯ୍ୟନ୍ତ ଚିକିତ୍ସା ଚାଲିଲା । ବଞ୍ଚିବାର ସମ୍ଭାବନା କମ୍ ଥିଲା । କାରଣ ଚିକିତ୍ସା ସମୟରେ ୩୪ଟି ରକ୍ତ ଓ ୧୭ଟି ପ୍ଲାଜ୍‌ମା ଲାଗିଥିଲା। ସାଙ୍ଗସାଥୀ ଓ ସମ୍ପର୍କୀୟମାନେ ଯାହା ଯେମିତି କରି ଯୋଗାଡ କରିଥିଲେ। ପ୍ରଭୁଙ୍କ କୃପାରୁ ରବି (ବୁବା) ନୂଆ ଜୀବନ ପାଇଲେ ସିନା ଗୋଡ଼ ଦୁଇଟି ସବୁଦିନ ପାଇଁ ହରାଇ ବସିଲେ।

ବିପଦ ସମୟରେ ହିଁ ରକ୍ତର ଆବଶ୍ୟକତାକୁ ବୁଝିପାରିଥିଲେ ରବି । ତେଣୁ ନୂଆ କରି ପାଇଥିବା ଜୀବନକୁ ମାନବ ସେବାରେ ହିଁ ଉତ୍ସର୍ଗ କରିଦେଲେ। ବର୍ତ୍ତମାନ ସମୟରେ ମଧ୍ୟ ବଞ୍ଚିବାକୁ ସଂଘର୍ଷ ଜାରି ରଖିଛନ୍ତି ସେ। ତଥାପି ସବୁ ପ୍ରତିକୂଳ ପରିସ୍ଥିତି ଭିତରେ ପ୍ରତି ୩ମାସରେ ଥରେ ରକ୍ତ ଦେବା ସହିତ ପ୍ରତ୍ୟେକ ଦିନ ସ୍କୁଟି ଧରି ଏସ୍‌ସିବିରେ ଘେରାଉ ନ ମାରିଲେ ନିଦ ହୁଏନି। କୌଣସି ଲୋକଙ୍କର ରକ୍ତ ଆବଶ୍ୟକ କ ହେଲେ ରବି ହାଜର ହୋଇଯାଆନ୍ତି। ଫେସ୍‌ବୁକ୍ ଯୋଗେ ଲୋକମାନେ ଲୋକ ଯୋଗାଯୋଗ କଲେ କେଉଁଠୁ ନା କେଉଁଠୁ ରକ୍ତ ଯୋଗା ଯୋଗାଡ଼ କରି ଦିଅନ୍ତି ସେ। ଭିନ୍ନକ୍ଷମ ହୋଇ ବି ନିଜକୁ ଅସହାୟ ଅସହାଯ ଭାବୁଥିବା ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ରବି। ଏ ନେଇ ସେ କହନ୍ତି, ମୁଁ ଯେତିକି କଷ୍ଟ ପାଇଛି ଭଗବାନ ଏତେ କଷ୍ଟ କାହାକୁ ନ ଦିଅନ୍ତୁ। ସମାଜସେବା କରିବା ସହିତ ନିଜ ସାମର୍ଥ୍ୟ ଅନୁସାରେ ଏବେ ରାସ୍ତା କଡ଼ରେ ଏକ ଛୋଟ ଅଣ୍ଡା ଓ କ୍ଷୀର ଦୋକାନ କରିଛି। ସେଥିରୁ ହିଁ ମୋର ଗୁଜୁରାଣ ମେଣ୍ଟୁଛି। ରକ୍ତଦାନ ଓ ସେବା ମୋର ନିଶା ପାଲଟିଯାଇଛି।