ଭୁବନେଶ୍ଵର: ବାତ୍ୟା ‘ଅକଭାନ’ ଅପସରି ଯିବା ପରେ ଏବେ ମାସ ଶେଷ ଆଡ଼କୁ ଅନୁଭବ ହେବ ଶୀତ । ରାଜ୍ୟରେ କମିବ ପାରଦ । ଏପରିକି ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫ ତଳୁକୁ ଖସିବ ତାପମାତ୍ରା। ଏପଟେ ରାଜ୍ୟରେ କୁହୁଡ଼ି ରହିବ। ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ରହିବାକୁ ନେଇ ପୂର୍ବାନୁମାନ କରିଛନ୍ତି ସୋଆ ସିଇସି ମୁଖ୍ୟ।

ବର୍ଷା ଯୋଗୁଁ ଶୀତ ଅନୁଭବ ହେଉ ନଥିବା ବେଳେ ନଭେମ୍ବର ଶେଷ ଆଡ଼କୁ ଅଧିକ ଶୀତ ଅନୁଭବ କରିବେ ଲୋକେ । ବର୍ଷା ଯୋଗୁଁ ଏ ବର୍ଷ ଶୀତ ବିଳମ୍ବରେ ଆରମ୍ଭ ହେଉଛି। ଆଉ ସପ୍ତାହ ମଧ୍ୟରେ ସବୁଠି କମିବ ପାରଦ । ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫ ତଳକୁ ଖସିବ ପାରଦ। ଉପକୂଳରେ ମଧ୍ୟ ଶୀତ ଅନୁଭବ କରିବେ ଲୋକେ ବୋଲି କହିଛନ୍ତି ସୋଆ ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ।

Also Read: ବଙ୍ଗୋପସାଗରରେ ବାତ୍ୟାର ବ୍ୟାକ୍-ଟୁ-ବ୍ୟାକ୍ ଆଟାକ୍ ! ୧୯୮୭ ସହ ମିଳୁଛି ପାଣିପାଗର ସମାନତା

ଏପଟେ ସକାଳୁ ସକାଳୁ ବିଭିନ୍ନ ଜାଗାରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିଛି। ରାଜଧାନୀ ସହିତ ଖୋର୍ଦ୍ଧା, ଗଞ୍ଜାମ, କୋରାପୁଟ, ଜଗତସିଂପୁର, ପୁରୀ ଓ ଅନ୍ୟାନ୍ୟ ଉପକୂଳ ଓଡ଼ିଶାରେ କୁହୁଡ଼ି ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ଦୃଶ୍ୟମାନ ୧୦୦ ମିଟରରୁ କମ ମଧ୍ୟ ରହିଛି। ଭୁବନେଶ୍ୱରରେ ଆଜି ମଧ୍ୟମ ଧରଣର କୁହୁଡି ରହିଥିଲା। ୧୫୦ ରୁ ୨୦୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ରହିଥିବା ଦେଖିବା କୁ ମିଳିଛି। ଏମିତିକି ଗାଡ଼ି ଚଳାଚଳ ପାଇଁ ମଧ୍ୟ ଅସୁବିଧା ସମ୍ମୁଖୀନ ହୋଇଥିଲା।

ତେବେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ କୁହୁଡ଼ି ରହିବ ବୋଲି କହିଛନ୍ତି ଶରତ ଚନ୍ଦ୍ର ସାହୁ। ଏପଟେ ୨୭ ରୁ ୨୮ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ନେଇ ମଧ୍ୟ ଆକଳନ କରାଯାଇଛି।